ଭୁବନେଶ୍ବର:ଡିଜି ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ 3 ଦିନ ଓଡ଼ିଶାରେ ରହଣୀ କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆସନ୍ତା 29ରୁ ଓଡ଼ିଶା ଗସ୍ତରେ ଆସି ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ରହିବେ ।
29ରୁ ଭୁବନେଶ୍ବରରେ DG-IG ସମ୍ମିଳନୀ:
ଆସନ୍ତା ନଭେମ୍ବର 29ରୁ ଡିସେମ୍ବର 1 ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ ଯାଉଛି ଡିଜି ଆଇଜି ସମ୍ମିଳନୀ । ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ପ୍ରଥମଥର ପାଇଁ ଓଡ଼ିଶାର ଭୁବନେଶ୍ବରରେ ଏହି ସମ୍ମିଳନୀ ହେବାକୁ ଯାଉଛି । ଏହି ସମ୍ମିଳନୀରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜି, ଆଇଜିଙ୍କ ସହ ଏନଏସଜି, ଏନଆଇଏ, ଏସପିଜି, ଆଇବି, ଏସଏସଏଫ, ସିଆରପିଏଫ ଓ ସିଆଇଏସଏଫ ଭଳି ସଂସ୍ଥାର ଡିଜି ଓ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେବେ ।
କଣ କହିଲେ ଆଇନ ମନ୍ତ୍ରୀ:
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ଏହା ଆମ ପାଇଁ ଖୁସିର ମୁହୂର୍ତ୍ତ ଓ ଗୌରବର ମୁହୂର୍ତ୍ତ ପ୍ରଥମ ଥର ଓଡ଼ିଶାରେ ଡିଜି ଓ ଆଇଜିଙ୍କ ସମ୍ମିଳନୀ ହେଉଛି । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାକୁ କେତେ ଗୁରୁତ୍ବ ଦେଉଛନ୍ତି । 29,30,1 ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ପ୍ରଧାମନ୍ତ୍ରୀ ନଭେମ୍ବର 29ରୁ ଆସି ଡିସେମ୍ବର 1 ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ।’
ସେ ଆହୁରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଅତୀତରେ କହିଛନ୍ତି, ଓଡ଼ିଶା ପୂର୍ବୋଦୋୟର ପୂରା ରାସ୍ତା ତିଆରି କରିବ । ପ୍ରତୀୟମାନ ହେଉଛି ଓଡ଼ିଶା ହିଁ ବିକାଶର ଦ୍ବାର ହେବ । ଓଡ଼ିଶା ହଁ ଭାରତବର୍ଷର ନୂଆ ବିକାଶର ଅଧ୍ୟାୟ ତିଆରି କରିବ ।’