କେନ୍ଦ୍ରାପଡା:ତୁଳସୀ କ୍ଷେତ୍ରରେ ବଡଠାକୁର ପ୍ରଭୁ ବଳଦେବଜୀଉଙ୍କ ପାଳିତ ହେଲା ସ୍ନାନ ଉତ୍ସବ । ଦେବସ୍ନାନ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିରରେ ସମସ୍ତ ନୀତିକାନ୍ତି ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ସକାଳ ୯ଟାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେବକ ପଣ୍ଡାମାନେ ଧାଡି ପହୁଣ୍ଡିରେ ସ୍ନାନ ମଣ୍ଡପକୁ ଆଣିଥିଲେ । ପରେ ଜୟମଙ୍ଗଳା ଆଳତୀ, ନୀତି ସ୍ନାନ, ବଲ୍ଲଭ ଭୋଗ, ମଙ୍ଗଳାର୍ପଣ କରାଯାଇଥିଲା । ଏହା ପରେ ଅପରାହ୍ନ ସମୟରେ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ୧୦୮ କଳସୀରେ ସୁବାସିତ ଜଳ ଦ୍ବାରା ମହାସ୍ନାନ କରାଯାଇଥିଲା ।
ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କ ୧୦୮ କଳସୀରେ ମୁଣ୍ଡ ଉପରେ ଢାଳି ସ୍ନାନ କରାଯାଉଥିବା ବେଳେ ତୁଳସୀ କ୍ଷେତ୍ରରେ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତି ଚରଣରେ ଜଳ ଅର୍ପଣ କରି ସ୍ନାନ କରାଇ ଥାନ୍ତି ସେବକମାନେ । ସେହିପରି ଅପରାହ୍ନରେ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ଗଜବଦନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ରାତିରେ ଶ୍ରୀଜୀଉମାନଙ୍କୁ ଧାଡି ପହଣ୍ଡିରେ ଅଣସର ଗୃହକୁ ନେବାର ବ୍ୟବସ୍ଥା ରହିଥିବା କହିଛନ୍ତି ସେବାୟତ । ତୁଳସୀ କ୍ଷେତ୍ରର ପରମ୍ପରା ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଦିନ ବ୍ରହ୍ମ ତାଳଧ୍ବଜ ରଥର କାର୍ଯ୍ୟ ଅନୁକୂଳ ହୋଇ ୧୪ଟି ଚକ ୭ଟି ଅଖରେ ସଂଯୋଗ କରାଯାଇଥାଏ । ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଦୁଇଟି ନୂଆ ଚକ ନିର୍ମାଣ କରାଯାଏ । ଆଉ ସ୍ନାନ ମଣ୍ଡପରୁ ଶ୍ରୀବଳଦେବଜୀଉ ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥାନ୍ତି ।