ଓଡିଶା

odisha

ETV Bharat / state

ଐତିହ୍ୟ ସହରର ସୌନ୍ଦର୍ଯ୍ୟ ବିଗାଡୁଛି ପଲିଥିନ, ପ୍ରଶାସନର ଶୂନ୍ୟ କାର୍ଯ୍ୟନୁଷ୍ଠାନକୁ ସମାଲୋଚନା - ପୁରୀ ଶ୍ରୀମନ୍ଦିର

Polythene Bag Use in Puri: କଟକଣା ସତ୍ତ୍ବେ ପୁରୀରେ କମୁନି ପଲିଥିନ ବ୍ୟବହାର । ସହର ସମେତ ଶ୍ରୀମନ୍ଦିର ଭିତରେ ବେଧଡକ ଭାବେ ମାଳ ମାଳ ପଲିଥିନ ବ୍ୟାଗ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Feb 23, 2024, 12:32 PM IST

ପୁରୀରେ ପଲିଥିନ ବ୍ୟବହାର

ପୁରୀ:ଐତିହ୍ୟ ସହର ପୁରୀରେ ବ୍ୟବହାର ହେଉଛି ମାଳ ମାଳ ପଲିଥିନ । ସହରଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଭିତରେ ପଲିଥିନର ବହୁଳ ବ୍ୟବହାର କରାଯାଉଛି । ଭକ୍ତ ହୁଅନ୍ତୁ କିମ୍ବା ସେବାୟତ ଯାହାଙ୍କ ହାତରେ ଦେଖିବେ କେବଳ ପଲିଥିନ ବ୍ୟାଗ । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଲିଥିନ ସମ୍ପୂର୍ଣ୍ଣ ବ୍ୟାନ ନେଇ କଟକଣା ଲାଗିଥିଲେ ମଧ୍ୟ କେହି ଏହାକୁ ଖାତିର୍ କରୁନାହାନ୍ତି । ତେବେ ଲୋକ ଦେଖାଣିଆ ଭାବେ ପଲିଥିନ କଟକଣା ନକରି ପଲିଥିନ ପ୍ରସ୍ତୁତ ହେଉଥିବା ବିଭିନ୍ନ ଫ୍ୟାକ୍ଟ୍ରିରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ଦାବି କରିଛନ୍ତି ସମାଜସେବୀ ।

ଶ୍ରୀମନ୍ଦିର ଭିତରେ ବହୁଳ ପଲିଥିନ ବ୍ୟବହାର ହେଉଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଫୁଲ ଏବଂ ଭୋଗ ସାମଗ୍ରୀ ପଲିଥିନରେ ନେଉଥିବା ବେଳେ ଏହା ଉପରେ ଲାଗି ପାରୁନି କଟକଣା । ଶ୍ରୀମନ୍ଦିର ଭିତରେ ଥିବା ଆନନ୍ଦ ବଜାର, ଦୀପ ଦୋକାନରେ ମଧ୍ୟ ପଲିଥିନ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି । ଗତ କିଛି ମାସ ତଳେ ଶ୍ରୀମନ୍ଦିରରେ ପଲିଥିନ ଓ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ବ୍ୟାନ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଫୁଲ କିମ୍ବା ଭୋଗ ସାମଗ୍ରୀ ପଲିଥିନରେ ନଆଣି ଏହା ବଦଳରେ କପଡ଼ାରେ ପ୍ରସ୍ତୁତ ବ୍ୟାଗ ଅବା ବିଭିନ୍ନ ପ୍ରାକୃତିକ ପଦ୍ଧତିରେ ତିଆରି ବ୍ୟାଗ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର ଏସବୁ କଟକଣାକୁ ନା ଭକ୍ତ ମାନୁଛନ୍ତି ନା ସେବାୟତ ।

ଏହା ମଧ୍ୟ ପଢନ୍ତୁ:ପାରାଦ୍ୱୀପରେ ପଲିଥିନ ବ୍ୟାନ; ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ


ସେପଟେ ସେବାୟତଙ୍କ କହିବାନୁଯାୟୀ, ଶ୍ରୀମନ୍ଦିର ଭିତରେ ସେତେ ମାତ୍ରାରେ ପଲିଥିନ ବ୍ୟବହାର ହେଉନାହିଁ । ଅନେକ ସେବାୟତ ଏହି ନିୟମକୁ ପାଳନ କରୁଥିବା ବେଳେ ଅଳ୍ପ କିଛି ବ୍ୟବସାୟୀ ଓ ସେବାୟତ ଏହି ନିୟମକୁ ଅବମାନନା କରୁଛନ୍ତି । ତେଣୁ ଏଥିପ୍ରତି ବ୍ୟାପକ ସଚେତନତା ସହ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକ ବୋଲି ସମାଜସେବୀ ଦାବି କରିଛନ୍ତି । ତେବେ କେବଳ ଶ୍ରୀମନ୍ଦିର ନୁହେଁ ପୁରୀ ସହରରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନମାନଙ୍କରେ ମଧ୍ୟ ବହୁଳ ଭାବେ ସରକାରଙ୍କ ଦ୍ବାରା ବେଆଇନ ଘୋଷିତ ପଲିଥିନ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । ପଲିଥିନ ବ୍ୟବହାର ଦ୍ବାରା ଡ୍ରେନେଜରେ ସମସ୍ୟା ଦେଖାଦେଉଛି । ସେହିପରି ଗାଈଗୋରୁମାନେ ପଲିଥିନ ଖାଇ ଅସୁସ୍ଥ ହୋଇପଡୁଥିବା ବେଳେ ପ୍ରାଣ ହରାଉଛନ୍ତି ।

ଗତ ପାଞ୍ଚ ବର୍ଷ ପୂର୍ବେ ରାଜ୍ୟ ସରକାର ପଲିଥିନ ଉପରେ କଟକଣା ଲଗାଇଥିଲେ । କୌଣସି ସ୍ଥାନରେ ପଲିଥିନ ବିକ୍ରି କିମ୍ବା ବ୍ୟବହାର ନିୟମର ଉଲ୍ଲଘଂନ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଖୁବଶୀଘ୍ର ଏନେଇ ମ୍ୟୁନିସିପାଲଟି ଏନଫୋର୍ସ ମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଧରପଗଡ ହେବ । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ପଲିଥିନ ବ୍ୟବହାର ଦ୍ବାରା ପୁରୀର ପରିବେଶ ପ୍ରଦୂଷଣ ହେବା ସହ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେଉଛି । ତେଣୁ ସହରର ସୌନ୍ଦର୍ଯ୍ୟ ରକ୍ଷା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ଉଚିିତ ବୋଲି ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details