ଓଡିଶା

odisha

ETV Bharat / state

ଡରାଉଛି ଡେଙ୍ଗୁ: ବଲାଙ୍ଗୀରରେ 18 ରୋଗୀ ଚିହ୍ନଟ, ସ୍ବାସ୍ଥ୍ୟ ବିଭାଗର ପ୍ରତିକାରମୂଳକ ବ୍ୟବସ୍ଥା - DENGUE CASES RISING IN ODISHA

Dengue Cases Rising: ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବଲାଙ୍ଗୀରରେ 18 ଡେଙ୍ଗୁ ରୋଗୀ ଚିହ୍ନଟ ହେବା ସହ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଘରକୁ ଘର ବୁଲି ଯାଞ୍ଚ କରୁଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 6, 2024, 10:20 PM IST

Dengue Cases Rising
Dengue Cases Rising (ETV Bharat Odisha)

ବଲାଙ୍ଗୀର/ଭୁବନେଶ୍ବର: ବର୍ଷାଦିନ ଆରମ୍ଭରୁ କାୟା ମେଲେଇବାରେ ଲାଗିଲାଣି ଡେଙ୍ଗୁ । ବଲାଙ୍ଗୀରରେ ଅଳ୍ପ ଦିନ ମଧ୍ୟରେ 18 ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ବଢ଼ିଛି ଚିନ୍ତା । ସୂଚନା ଅନୁସାରେ ବଲାଙ୍ଗୀର ସଇଁତଳାର କେବଳ ଗୋପବନ୍ଧୁପଡ଼ାରୁ ଏହି ସବୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କର ଚିକିତ୍ସା ଏବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଜାରି ରହିଛି । ସେହିପରି ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ମାନଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାର ଜଣାପଡ଼ିଛି ।

Dengue Cases Rising (ETV Bharat Odisha)

ସ୍ବାସ୍ଥ୍ୟବିଭାଗ ଏହି ବିଷୟରେ ତତ୍ପରତା ଦେଖାଇବା ସହ ନିୟୋଜିତ ଥିବା ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଘରକୁ ଘର ବୁଲି ଯାଞ୍ଚ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି । ସେହିପରି ଏହି ପଡ଼ାରୁ 144 ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ତେବେ ଏଠି ଡେଙ୍ଗୁର କାରଣ ଓ ନିରାକରଣ ଉପରେ ସ୍ବାସ୍ଥ୍ୟ ବିଭାଗ ଏବେ ଗୁରୁତ୍ଵ ଦେଇଛି । ଏହି ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଆଜି ଟିଟିଲାଗଡ ବିଧାୟକ ନବୀନ ଜୈନ ସଂପୃକ୍ତ ଅଞ୍ଚଳ ବୁଲି ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଏବଂ ଏଠି ସାନିଟାଇଜେଶନ, ବିଭିନ୍ନ ସ୍ଥାନରେ ଜମିଥିବା ପାଣି ନିଷ୍କାସନ, ମଶା ଔଷଧ ଛିଞ୍ଚନ, ଲୋକଙ୍କ ରକ୍ତ ପରୀକ୍ଷା ସହ ସମସ୍ତ ରୋଗୀଙ୍କ ଉଚିତ୍ ଚିକିତ୍ସା ପାଇଁ ବ୍ୟବସ୍ଥା କରାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏକ ଡ଼ାକ୍ତରୀ ଦଳ ସବୁ ବେଳେ ମହଜୁଦ ରହିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ସେହିପରି ଚିକିତ୍ସାଧୀନ ମାନଙ୍କ ମଧ୍ୟରୁ ତିନି ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ 15 ଜଣ ଏବେବି ଚିକିତ୍ସାଧୀନ ଥିବାର ସେ କହିଛନ୍ତି । ସେହିପରି ଜଣକ ଅବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସା ପରେ ତାର ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବାର ସେ କହିଛନ୍ତି । ସାଧାରଣତଃ ଡେଙ୍ଗୁ ରୋଗ ସହରାଞ୍ଚଳରେ ବ୍ୟାପିବାର ନଜିର ଥିବା ବେଳେ ଏଥର ଏଠି ଗ୍ରାମାଞ୍ଚଳରେ ବ୍ୟାପିଛି, ଯାହା ପାଇଁ ସେ ଏହାର ବାହକ ମଶା ବାହାରୁ ଆସିଥିବ ଓ ଏଠି ବଂଶ ବିସ୍ତାର ପରେ ଏହି ପରିସ୍ଥିତି ହୋଇଛି ବୋଲି ସେ କହିଛନ୍ତି । ସମାନ ଭାବରେ ଏବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ବୁଲି ସ୍କ୍ରିନିଂ ଆରମ୍ଭ ହୋଇଥିବା ବେଳେ ମୋଟ 144 ଜଣଙ୍କର ରକ୍ତ ନମୂନା ସଂଗ୍ରହ କରା ଯାଇଛି ଓ ପରୀକ୍ଷା ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ରୋଗୀ ଦୁଇ ଗୁଣା; ଜାଣନ୍ତୁ ଲକ୍ଷଣ ଓ ପ୍ରତିକାର - Dengue Situation in Odisha

ବଢୁଥିବା ଡେଙ୍ଗୁ ସ୍ଥିତି ପାଇଁ ସ୍ବାସ୍ଥ୍ୟ ବିଭାଗ ବେଶ ସତର୍କ ହୋଇଯାଇଛି । ଭୁବନେଶ୍ବରରୁ ସ୍ବାସ୍ଥ୍ୟ ବିଭାଗର ଟିମ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ମଶାରୀରେ ଭିତରେ ରୋଗୀଙ୍କୁ ଆବଦ୍ଧ ରଖି ଚିକିତ୍ସା କରାଯାଉଛି । ଏନେଇ ବଲାଙ୍ଗୀର ସିଡିଏମଓଙ୍କ ସହ ଯୋଗାଯୋଗ ରଖି କାମ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ନିର୍ଦେଶକଙ୍କ ନିର୍ଦ୍ଦେଶ ରହିଛି । କିଭଳି ରୋଗ ନ ବ୍ୟାପିବ ସେଥିପାଇଁ ଚେଷ୍ଟା କରାଯାଉଛି । ଟେଷ୍ଟିଙ୍ଗ ବଢ଼ାଯାଇଛି । ରାଜ୍ୟର ସବୁ ହସ୍ପିଟାଲ ରେ ଡେଙ୍ଗୁ ୱାର୍ଡ କରାଯାଇଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଅନ୍ୟପଟେ ବର୍ଷା ଶୀଘ୍ର ଆସିଥିବାରୁ ଡେଙ୍ଗୁ କେସ ବଢିବାର ସମ୍ଭାବନା ରହିଥାଏ, କିନ୍ତୁ ଏଥର ଆଗୁଆ ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ବିଭାଗ । ଚଳିତ ବର୍ଷ ଭୁବନେଶ୍ବରରେ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶହେ ପାର ହୋଇଛି ଡେଙ୍ଗୁ । ବିଭିନ୍ନ ପ୍ରକାର ପଦକ୍ଷେପ ଡେଙ୍ଗୁ ନ ବଢିବା ପାଇଁ ନିଆଯାଇଛି । ଘରକୁ ଘର ବୁଲି ସର୍ଭେ କରିବା ସହ ଟିମ୍ ବୁଲି ଯାଞ୍ଚ କରୁଛି, କେଉଁ ଘର ବାହାରେ ପାଣି ଜମିଛି କି ନାହିଁ, ଫଗିଂ କରାଯାଉଛି ।

ଜନସ୍ବାସ୍ଥ୍ୟ ନିର୍ଦେଶକ କହିଛନ୍ତି ଯେ ଶୀଘ୍ର ରୋଗ ଚିହ୍ନଟିକରଣ ପାଇଁ ଏଲିଶା ମେସିନ ଦିଆଯାଇଛି । ପ୍ରାଇଭେଟ୍‌ରେ ଟେଷ୍ଟ ନ କରାଇ ସରକାରୀ ଜାଗାରେ ପରୀକ୍ଷା ପାଇଁ କୁହାଯାଇଛି । ଯେଉଁ ପରୀକ୍ଷା ପଦ୍ଧତି ଗ୍ରହଣୀୟ ସେଥିରେ ପରୀକ୍ଷା କରନ୍ତୁ । ଭୁବନେଶ୍ଵର ପରୀକ୍ଷା କେନ୍ଦ୍ର ବଢ଼ାଯାଇଛି । ଏହା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଡେଙ୍ଗୁ ପରୀକ୍ଷା ନେଇ ବ୍ୟବସ୍ଥା କରାଯାଇଛି । ଗତ ବର୍ଷ ଏହି ସମୟ ସୁଦ୍ଧା ୨୨୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ସେହି ତୁଳନାରେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୩୮୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଖୋର୍ଦ୍ଧାରୁ ୧୦୦ ରୋଗୀ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୩୮ ଓ ବଲାଙ୍ଗୀରରୁ ୩୩ ରୋଗୀ ଚି଼ହ୍ନଟ ହୋଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର/ଭୁବନେଶ୍ବର

ABOUT THE AUTHOR

...view details