ଓଡିଶା

odisha

ETV Bharat / state

ଆଶା ଦିଦି ଶିବାନୀଙ୍କ ସହ କଥାହେଲେ ମୋହନ ମାଝୀ; ଭଲ କାମ ପାଇଁ ପ୍ରଶଂସା କଲେ, ମିଳିବ ଘର

ଆଶା କର୍ମୀ ଶିବାନୀ ମଣ୍ଡଳଙ୍କ ସହ ଫୋନେ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭଲ କାମ ପାଇଁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ।

CM Mohan Charan Majhi
CM Mohan Charan Majhi (ETV Bharat Odisha)

By ETV Bharat Odisha Team

Published : 5 hours ago

Updated : 3 hours ago

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଆଶା କର୍ମୀ ଶିବାନୀ ମଣ୍ଡଳଙ୍କ ସହ ଫୋନେ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟା ବେଳେ ଶିବାନିଙ୍କ ସାହସିକ କାର୍ଯ୍ୟ କୁ ଭୁରି ଭୁରି ପ୍ରଶଂସା କଲେ ମୋହନ ମାଝୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ପୂର୍ବରୁ ଖସାମୁଣ୍ଡା ଗାଁର ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବାର ଦାୟିତ୍ବ ନେଇଥିଲେ। ଏହି ଦାୟିତ୍ବ ସେ ସୁନ୍ଦରଭାବେ ନିର୍ବାହ କରିଛନ୍ତି । ଗାଁର ଜୈନେକ ବୟସ୍କା ମହିଳା ପାରାଲିସିସ ଆକ୍ରାନ୍ତ ଏବଂ ପ୍ରବଳ ବର୍ଷା ଯୋଗୁଁ ଆଶ୍ରୟସ୍ଥଳକୁ ଯାଇ ପାରୁନଥିଲେ । ଶିବାନୀ ଦିଦି ତାଙ୍କୁ ନିଜ ପିଠିରେ ପକାଇ ଦେଢ କିଲୋମିଟର ଦୂରରେ ଥିବା ଆଶ୍ରୟସ୍ଥଳକୁ ବୋହି ନେଇ କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

CM Mohan Charan Majhi speaks to ASHA worker (ETV Bharat Odisha)

ମୁଖ୍ୟମନ୍ତ୍ରୀ ଆଶା ଦିଦିଙ୍କ ସହ ଫୋନ୍‌ରେ କଥା ହେବା ପରେ ଜାଣିବାକୁ ପାଇଲେ ଯେ ସେ ଦିନ ସେ ସମୁଦାୟ ୭ଜଣ ବୟସ୍କ ଏବଂ ୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଉତ୍ସର୍ଗୀକୃତ ସେବାର ଉଚ୍ଚ ପ୍ରଶଂସାକରିବା ସହିତ କହିଥିଲେ ଯେ ସରକାର ଏବଂ ମୁଁ ବ୍ୟକ୍ତିଗତ ଭାବେ ତୁମ କାମ ଉପରେ ବହୁତ ଖୁସି ।

ଏହା ବି ପଢନ୍ତୁ- ଅସହାୟଙ୍କ ଆଶାର କିରଣ ଆଶା କର୍ମୀ 'ଶିବାନୀ', ୭ ବୁଦ୍ଧାଙ୍କୁ କାନ୍ଧେଇ ନେଲେ ବାତ୍ୟା ଆଶ୍ରୟସ୍ଥଳୀ

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ଏରିଅଲ ସର୍ଭେ; 7 ଦିନରେ କ୍ଷୟକ୍ଷତି ରିପୋର୍ଟ: ରାଜସ୍ୱ ମନ୍ତ୍ରୀ

"ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମକୁ ସବୁବେଳେ ଭଲରେ ରଖନ୍ତୁ । ବିପଦ ବେଳେ ତୁମେ ସମସ୍ତଙ୍କୁ ଏହି ଭଳି ସାହାଯ୍ୟ କରୁଥାଅ। ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରର ଭଲମନ୍ଦ ବିଷୟରେ ବୁଝିଥିଲେ ଏବଂ ତାଙ୍କର ଘର ନଥିବାରୁ ଟେଲିଫୋନ୍‌ ଯୋଗେ ରାଜନଗର ବିଡିଓଙ୍କୁ ତାଙ୍କୁ ତୁରନ୍ତ ଏକ ଘର ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ," ମୁଖ୍ୟମନ୍ତ୍ରୀ । ଏହା ସହିତ ଶିବନୀଙ୍କୁ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

୭ ଜଣଙ୍କୁ କାନ୍ଧରେ ବୋହିଥିଲେ ଆଶା ଦିଦି:

ଆଶାକର୍ମୀ ଶିବାନୀ ମଣ୍ଡଳ । ଘର ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମ । 2006 ମସିହାରୁ ଦୀର୍ଘ 18 ବର୍ଷ ହେଲା ସେ ଆଶା ଦିଦି ଭାବେ କାର୍ଯ୍ୟ କରି ଆସୁଛନ୍ତି । ଜନସେବାରେ ନିଜକୁ ସେ ଉତ୍ସର୍ଗ କରି ଦେଇଛନ୍ତି । 'କର୍ମ ହିଁ ଭଗବାନ' । ଯାହାକୁ ପୂରା ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ସେ । ସେଥିପାଇଁ ତ ବାତ୍ୟା ଖବର ଆସିବା ମାତ୍ରେ ତାଙ୍କ ପାଦ ଆଉ ଘରେ ଅଟକି ନଥିଲା । ଆଶାକର୍ମୀଙ୍କ ୟୁନିଫର୍ମ ପିନ୍ଧି ବାହାରି ପଡିଥିଲେ ସେବା କାର୍ଯ୍ୟରେ । ରାଜକନିକାରେ ବାତ୍ୟା ଦାନା ଲ୍ୟାଣ୍ଡଫଲ ପୂର୍ବରୁ ନିଜ ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ସେହି ସମୟରେ ନିଜ କଥା କି ନିଜ ପରିବାରର କଥା ନୁହଁ ବରଂ ଜନ ସେବାରେ ନିଜକୁ ସାମିଲ କରିଥିଲେ ଶିବାନୀ ।

ବାତ୍ୟା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆ ଅଞ୍ଚଳ ବାସିନ୍ଦା ଆଶ୍ରୟ ସ୍ଥଳୀକୁ ଯାଉଥିଲେ । କିନ୍ତୁ ୭ ଜଣ ବୃଦ୍ଧା ଓ ଜଣେ କର୍ଭବତୀ ମହିଳା ବାତ୍ୟା ଆଶ୍ରୟସ୍ଥଳୀକୁ କାଦୁଇ ରାସ୍ତାରେ ପାଦରେ ଚାଲିଯିବାକୁ ସମର୍ଥ ହେଇନଥିଲେ । ସେହି ସମୟରେ ଶିବାନୀ ୭ ଜଣ ବୃଦ୍ଧାକୁ ଜଣଙ୍କ ପରେ ଜଣଙ୍କୁ କାନ୍ଧ ଦେଇ ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଥିଲେ । ଜଣେ ଗର୍ଭବତୀଙ୍କୁ ତାଙ୍କ ସ୍ବାମୀଙ୍କ ସହାୟତାରେ ଗାଡି ଯୋଗେ ସ୍ଥାନାନ୍ତର କରିଥିଲେ । ବାତ୍ୟା ସମୟରେ ତାଙ୍କର ଏପରି କାର୍ଯ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Last Updated : 3 hours ago

ABOUT THE AUTHOR

...view details