କଟକ: ଏସସିବିରେ ଉତ୍କଟ ରୂପ ନେଉଛି ରକ୍ତ ସଙ୍କଟ । ମହାମାରୀ ପରଠୁ ଲାଗି ରହିଛି ସମସ୍ୟା । ପୂର୍ବରୁ ଅନେକ ସରକାରୀ ବେସରକାରୀ ସ୍ତରରେ ବ୍ଲଡ ଡୋନେସନ କ୍ୟାମ୍ପ ଯୋଗୁଁ ରକ୍ତର ଅଭାବ ପରିଲକ୍ଷିତ ହେଉନଥିଲା, କିନ୍ତୁ ବର୍ତ୍ତମାନ ସମୟରେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଏପରି ପରିସ୍ଥିତିରେ ଏସସିବି ପକ୍ଷରୁ ରକ୍ତର ଆବଶ୍ୟକତା ନେଇ ରକ୍ତଦାନ କରିବାକୁ ସ୍ବେଚ୍ଛାସେବୀ ସଂଗଠନକୁ ଅନୁରୋଧ କରାଯାଇଛି ।
କଟକ ଏସସିବିରେ ରକ୍ତ ସଙ୍କଟ, ରକ୍ତଦାନ ପାଇଁ ସ୍ବେଛାସେବୀ ସଂଗଠନକୁ ଅନୁରୋଧ (ETV Bharat Odisha) ରାଜ୍ୟର ଅଗ୍ରଣୀ ସରକାରୀ ହସ୍ପିଟାଲ ଏସସିବି ମେଡିକାଲରେ ଦେଖାଦେଇଛି ରକ୍ତର ଅଭାବ । ପ୍ରତିଦିନ ଥାଲାସେମିଆ ରୋଗୀଙ୍କଠୁ ଆରମ୍ଭ କରି ସାଧାରଣ ରୋଗୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଆବଶ୍ୟକତା ପଡିଥାଏ ରକ୍ତ । ଏସସିବି ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ୧୫୦ ରୁ ୧୬୦ ପର୍ଯ୍ୟନ୍ତ ରକ୍ତ ବିନା ଡୋନରରେ ଦିଆଯାଇଥାଏ । ପ୍ରତିଦିନ ଥାଲାସେମିଆ ରୋଗୀ ପାଖାପାଖି ୧୦୦ ଜଣଙ୍କ ପାଇଁ ବ୍ଲଡ଼ର ଅବଶ୍ୟକତା ଥାଏ । ସେହିଭଳି ଦେଷ୍ଟିଚ୍ୟୁଡ଼ ରୋଗୀ ବା ପରିଚୟ ବିହୀନ ରୋଗୀଙ୍କ ନିମନ୍ତେ ପାଖାପାଖି ୫୦ ରୁ ୬୦ ରକ୍ତର ଅବଶ୍ୟକତା ରହିଛି । କିନ୍ତୁ କୋଭିଡ ମହାମାରୀ ପରଠାରୁ ରକ୍ତର ଅବଶ୍ୟକତା ରକ୍ତର ସଂଗ୍ରହ ସଂଖ୍ୟା କମିବାରେ ଲାଗିଛି । ଯାହାକି ବର୍ତ୍ତମାନ ସମୟରେ ଏକ ପ୍ରକାର ଚିନ୍ତାର କାରଣ ପାଲଟିଛି ।
ସେପଟେ ଏସସିବି କୂଳସଚିବଙ୍କ କହିବାନୁଯାୟୀ ଏଭଳି ସମୟରେ ସାମାଜିକ ସ୍ଥରରେ ସମସ୍ତଙ୍କୁ ଆଗକୁ ଆସି ରକ୍ତ ହୀନତାର ପରିପୂରଣ କରିବାର ଆବଶ୍ୟକତା ରହିଛି । ପୂର୍ବରୁ ଏସସିବି ବ୍ଲଡ଼ ବ୍ୟାଙ୍କରେ ୩୦୦୦ଟଙ୍କାରେ ବ୍ଲଡ଼ ବିକ୍ରି କଥା ମଧ୍ୟ ସାମ୍ନାକୁ ଆସିଛି ଯାହା ଏଯାବତ ତଦନ୍ତ ଘେରରେ ରହିଛି । ତେଣୁ ସମୟ ଥାଉ ଥାଉ ରକ୍ତ ସଙ୍କଟ ଦୂର କରିବା ନିତ୍ୟନ୍ତ ଆବଶ୍ୟକ ନଚେତ ସ୍ଥିତି ଆହୁରି ସଙ୍ଗୀନ ହେବା ଦିଗକୁ ଏଡାଇ ଦିଆଯାଇନପାରେ ।
ଏହା ମଧ୍ୟ ପଢନ୍ତୁ:ଦୂର ହେବ ଏସସିବିରେ ରକ୍ତ ଅଭାବ, ସ୍ବେଚ୍ଛାକୃତ ରକ୍ତଦାନ କରୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ
ସୂଚନା ଥାଉ କି, ନିୟମିତ ଭାବରେ ଏସସିବି ମେଡିକାଲରେ ରକ୍ତଭଣ୍ଡାର ଉପରେ ସାଧାରଣ ରୋଗୀଙ୍କ ସହିତ ଥାଲେସେମିଆ, ସିକଲସେଲ୍ ଓ ହେମୋଫିଲିଆ ରୋଗୀମାନେ ପ୍ରତ୍ୟେକ ମାସରେ ରକ୍ତ ନେଇଥାନ୍ତି । ଏପରିକି ନିୟମିତ ଡାଏଲିସିସରେ ହେଉଥିବା ରୋଗୀ ମଧ୍ୟ ଦୈନିକ ରକ୍ତ ଦିଆଯାଇଥାଏ । ଏପରି ସ୍ଥିତିରେ ରକ୍ତର ଅଭାବ ରହିଲେ ଶହ ଶହ ରୋଗୀଙ୍କ ଜୀବନ ପ୍ରତି ଏକ ପ୍ରକାର ବିପଦ ସୃଷ୍ଟି କରିବ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଏଣୁ ସମସ୍ତେ ଆସନ୍ତୁ ରକ୍ତର ଅଭାବ ଦୂର କରିବା ପାଇଁ ରକ୍ତଦାନ ଭଳି ମହତଦାନ କ୍ଷେତ୍ରରେ ନିଜକୁ ସାମିଲ କରାନ୍ତୁ ବୋଲି କୁହାଯାଉଛି ।
ଇଟିଭି ଭାରତ, କଟକ