କଟକ:ସହରରେ ଜଳବନ୍ଦୀ ସମସ୍ୟାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ । ବିଶେଷକରି ବର୍ଷା ସମୟରେ କାହିଁକି ବକ୍ସ ଡ୍ରେନରେ ଜଳମଗ୍ନ ହେଉଛି ତାହାର କାରଣ ଖୋଜିଥିଲେ ବିଧ୍ୟାୟିକା ସୋଫିଆ । ସିଏମସିର ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଯାଞ୍ଚ କରିଥଲେ ସୋଫିଆ । ତେବେ ଏନେଇ ସ୍ଥିତିର ସମୀକ୍ଷା କରିବା ପରେ ବାସ୍ତବ କାରଣ ଖୋଜି ପାଇଛନ୍ତି ସୋଫିଆ । ବକ୍ସ ଡ୍ରେନ ଉପରେ ଜଳମଗ୍ନ ପରିସ୍ଥିତିର ସମୀକ୍ଷା କରି ତାହାର ନିରାକରଣ ଉପରେ ପଦକ୍ଷେପ ନେବାକୁ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଧାୟିକା ସୋଫିଆଙ୍କ କହିବା ମୁତାବକ କଟକ ସହରର ବକ୍ସ ଡ୍ରେନ ଥିବା ଅଞ୍ଚଳ ରେ ସାମନ୍ୟ ବର୍ଷା ହେଲେ ଜଳମଗ୍ନ ହୋଇଯାଉଛି । ତେବେ କାହିଁକି ଜଳମଗ୍ନ ହେଉଛି ସେନେଇ ଆଜି ସିଏମସି ବିଭାଗୀୟ ଅଧିକାରୀ ଙ୍କୁ ନେଇ ସ୍ଥିତିର ସମୀକ୍ଷା କରିଥିଲେ । ବକ୍ସ ଡ୍ରେନ କାର୍ଯ୍ୟ ଚାଲି ରହୁଥିବାରୁ ତାହାର ମୁହଁ ସବୁ ବନ୍ଦ କରାଯାଇଛି।ଅନେକ ସ୍ଥାନରେ ଆବର୍ଜନାରେ ଜାମ ହୋଇଯାଇଛି । ଫଳରେ ଅଳ୍ପ ବର୍ଷା ହେଲେ ବର୍ଷା ଜଳ ଠିକ ରେ ନିଷ୍କାସନ ହୋଇପାରୁନାହିଁ । ସେହିପରି ଅନେକ ସ୍ଥାନ ତଳିଆ ହୋଇଥିବାରୁ ଉଚ୍ଚ ସ୍ଥାନକୁ ଜଳ ନିଷ୍କାସିତ ହୋଇପାରୁନାହିଁ । ଯେଉଁ କାରଣରୁ ସହରର ଅନେକ ତଳିଆ ଅଞ୍ଚଳରେ ବର୍ଷା ଜଳ ଜମି ରହୁଛି ।
ତେବେ ଏହାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ । ବିଶେଷକରି ଡ୍ରେନ ମୁହଁରେ ଯେପରି ଅଳିଆ ଆବର୍ଜନା ଜମି ନରୁହେ ସେଥିପାଇଁ ପଦକ୍ଷେପ ନେବାକୁ ସିଏମସିକୁ ନିର୍ଦ୍ଦେଶ ଦିଆଯାଇଛି।କେବଳ ସେତିକି ନୁହେଁ ତଳିଆ ଅଞ୍ଚଳ ରେ ଯେପରି ବର୍ଷା ପାଣି ଜମି ନରୁହେ ସେଥିପାଇଁ ମଟର ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।