ଓଡିଶା

odisha

ETV Bharat / state

ଅସହାୟଙ୍କୁ ସହାୟତା, ୫ ବର୍ଷ ହେଲା ଗଣବିବାହ କରାଇ ଆସୁଛନ୍ତି ଦମ୍ପତି - MASS WEDDING

ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବାକୁ ଶପଥ ନେଇଛନ୍ତି ୮ ଯୋଡ଼ି ନବଦମ୍ପତି । ଯାହାକୁ ସମ୍ଭବ କରାଇଛି କାହ୍ନା ଚାରିଟେବୁଲ ଟ୍ରଷ୍ଟ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ ।

Ganjam Berhampur Mass Marriage
Ganjam Berhampur Mass Marriage (ETV Bharat)

By ETV Bharat Odisha Team

Published : Feb 21, 2025, 5:25 PM IST

Updated : Feb 21, 2025, 6:26 PM IST

ବ୍ରହ୍ମପୁର(ଗଞ୍ଜାମ) : " କେବେ ଭାବିନଥିଲି ହାତରେ ମେହେନ୍ଦୀ ଲାଗିବ । କୁଙ୍କୁମ ନାଇ ପାଦରେ ଅଳତା ଲଗାଇ କନିଆଁ ସାଜିବି । ନାଲି ଓଢଣୀ ମୁଣ୍ଡରେ ଦେଇ ବେଦୀକୁ ଯିବି । ମୋ ମନର ମଣିଷ ମୋ ହାତ ଧରି ସାତଜନ୍ମର ସାଥୀ କରିବ । ଏସବୁ ସମ୍ଭବ ହେବାରୁ ଆଜି ସ୍ବପ୍ନ ଭଳି ଲାଗୁଛି । ବାଜା ବାଜିଛି, ବାଣ ଫୁଟିଛି ।" ଏ ହେଉଛି ଗଞ୍ଜାମ ଜିଲ୍ଲା ଲାଠିପଡ଼ା ଅଞ୍ଚଳରକନ୍ୟା ଉର୍ମିଳା ନାୟକଙ୍କ ମନକଥା । ବ୍ରହ୍ମପୁରରେ ଅନୁଷ୍ଠିତ ଗଣବିବାହରେ ହାତକୁ ଦୁଇ ହାତ ହୋଇ ଖୁସିରେ ବିଭୋର ଉର୍ମିଳା । ଆସନ୍ତୁ ଜାଣିବା 'ଗଣବିବାହ' କାର୍ଯ୍ୟକ୍ରମର ପୂରା କାହାଣୀ...

Ganjam Berhampur Mass Marriage (ETV Bharat Odisha)

ରୋଷଣୀ କରି ବିବାହ ମଣ୍ଡପରେ ପହଞ୍ଚିଲେ ୮ ଯୋଡି ବର-କନ୍ୟା । ଭୋଜିଭାତ ସାଙ୍ଗକୁ ଅତିଥି ସମସ୍ତେ ବିବାହରେ ଯୋଗ ଦେଇ ବରକନ୍ୟାଙ୍କୁ ଢାଳି ଆଶୀର୍ବାଦ ଦେଲେ । ଏକା ଥରକେ ବର ଓ କନ୍ୟା ବେଶରେ ସଜେଇ ହୋଇଥିଲେ ୮ ଯୋଡ଼ି । ଉଭୟ ବର ଓ କନ୍ୟା ବେଶରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିଲେ । ଆଉ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବାକୁ ଶପଥ ନେଇଛନ୍ତି ନବଦମ୍ପତି ଯୋଡ଼ି । ଏସବୁ ସମ୍ଭବ ଏବଂ ସାକାର ହୋଇପାରିଛି କେବଳ 'କାହ୍ନା ଚାରିଟେବୁଲ ଟ୍ରଷ୍ଟ'ର ଉଦ୍ୟମ ଓ ପରିଶ୍ରମ ପାଇଁ ।

Berhampur Mass Marriage (ETV Bharat)

ବିବାହ ପ୍ରତ୍ୟେକ ପୁରୁଷ ଓ ନାରୀ ଜୀବନରେ ଏକ ନିଆରା ଅନୁଭୂତି । କିନ୍ତୁ ବେଳେବେଳେ ଆର୍ଥିକ ସମସ୍ୟା ଓ ଅନ୍ୟାନ୍ୟ କାରଣ ଯୋଗୁଁ ରୀତିନୀତିରେ ବିବାହ କରିବାକୁ ଅସମର୍ଥ ହୋଇପଡନ୍ତି ପରିବାର । ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ହୋଇଯାଇଛି ଏଭଳି ଏକ ଗଣ ବିବାହ ଉତ୍ସବ । ଯେଉଁଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୮ ଯୋଡା ଯୁବକ ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିଛନ୍ତି । ସହରର ଗୀତା ଭବନ ପରିସରରେ ଆୟୋଜିତ ହୋଇଛି ଏଭଳି ଏକ ଗଣ ବିବାହ ଉତ୍ସବ । ଯାହାକୁ ଆୟୋଜିତ କରିଛି ସହରର ଅଗ୍ରଣୀ କାହ୍ନା ଚାରିଟେବୁଲ ଟ୍ରଷ୍ଟ । ଯେଉଁଥିରେ ସାମିଲ ହୋଇଥିଲେ ଉଭୟ ବର ଓ କନ୍ୟା ପରିବାରର ସଦସ୍ୟ , ବନ୍ଧୁ ପରିଜନ ଏବଂ ଗଞ୍ଜାମ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ । ଗରିବ ଓ ଅସହାୟ ପରିବାରକୁ ଚୟନ କରି କ୍ରମାଗତ ଭାବରେ କରାଯାଉଛି ଏଭଳି ସାମୁହିକ ବିବାହ । ହିନ୍ଦୁ ରୀତିନୀତିରେ ବିବାହ ପରେ ଯେପରି ପ୍ରତ୍ୟେକ ଝିଅ ନିଜର ନୂତନ ପରିବାର ଗଢିବା ପାଇଁ ଶାଶୁ ଘରକୁ ସମସ୍ତ ପ୍ରକାର ଆସବାବପତ୍ର ନେଇ ଯାଇଥାନ୍ତି ତାହାକୁ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଛି ।

Eight Newly Married Couple (ETV Bharat)
  • କାହ୍ନା ଚାରିଟେବୁଲ ଟ୍ରଷ୍ଟ

ବ୍ରହ୍ମପୁର ସହରର କାହ୍ନା ଚାରିଟେବୁଲ ଟ୍ରଷ୍ଟ । ପ୍ରତିବର୍ଷ ଏହି ଟ୍ରଷ୍ଟ ଗଣବିବାହ ଆୟୋଜିତ କରି ଆସୁଛନ୍ତି । " ଚଳିତବର୍ଷ ଏହି ଗଣ ବିବାହରେ ଆଠ ଯୋଡ଼ା ଯୁବକ /ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ପ୍ରକ୍ରିୟାରେ ଆଗାମୀ ଦିନରେ ୨୧ ଯୋଡି କିମ୍ୱା ୫୦ ଯୋଡିଙ୍କୁ ବିବାହ କରାଯିବ" ବୋଲି ଟ୍ରଷ୍ଟ ସଭାପତି ରଞ୍ଜନା ମିଶ୍ରକହିଛନ୍ତି । ସମାଜର ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସମାଜରେ ଅବହେଳିତ , ଦିବ୍ୟାଙ୍ଗ ଯୁବକ /ଯୁବତୀଙ୍କୁ ଚିହ୍ନଟ କରିବା ସହ ଯେଉଁମାନଙ୍କ ବାପା ଓ ମାଆ ନଥାନ୍ତି ସେଭଳି ପରିବାରକୁ ଚିହ୍ନଟ କରାଯାଇ ଏଭଳି ପ୍ରତି ବର୍ଷ ବିବାହ ଉତ୍ସବ ଆୟୋଜନ କରାଯାଉଛି ।

କାହ୍ନା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ (ETV Bharat)

ଚଳିତ ବର୍ଷର ସାମୁହିକ ବିବାହ ଉତ୍ସବ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ରହୁଥିବା ଯୁବକ/ଯୁବତୀଙ୍କ ମଧ୍ୟରେ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟରେ କାହ୍ନା ଟ୍ରଷ୍ଟକୁ ଧରାକୋଟ ଅଞ୍ଚଳର ଜିତେନ୍ଦ୍ର ନାୟକ ନାମକ ବ୍ୟକ୍ତି ସହାୟତା କରିଆସୁଛନ୍ତି । ଜିତେନ୍ଦ୍ର ଅଞ୍ଚଳର ଏଭଳି ଆର୍ଥିକ ଅନଗ୍ରସର ପରିବାରକୁ ଚୟନ କରି କୋର୍ଟର ନିୟମ ଅନୁଯାୟୀ ରେଜିଷ୍ଟ୍ରି ମ୍ୟାରେଜ କରାଇଥାନ୍ତି । ଏହା ପରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପାଦାନ ହୋଇଥାଏ । ଗତ ପାଞ୍ଚ ବର୍ଷ ଧରି ଲଗାତର ଭାବରେ ଏଭଳି ଗଣବିବାହ ଆୟୋଜନ କରାଯାଇ ଆସୁଥିବା ବେଳେ ଏହାପୂର୍ବରୁ ଗତ ବର୍ଷ ୧୧ ଗୋଟି ଯୋଡିଙ୍କ ସାମୁହିକ ବିବାହ ହୋଇଥିବା ବେଳେ ତାରି ପୂର୍ବ ବର୍ଷ ପାଞ୍ଚ ଜଣ ଯୋଡିଙ୍କୁ ନେଇ ଏଭଳି ଗଣ ବିବାହ ଆୟୋଜନ କରାଯାଇଥିଲା ।

  • କାହିଁକି ଟ୍ରଷ୍ଟ କରିଥିଲା ଏଭଳି ପରିକଳ୍ପନା ?

ପ୍ରତିଷ୍ଠାତା ତଥା ସଭାପତି ରଞ୍ଜନା ମିଶ୍ରଙ୍କ ପୁତ୍ରଙ୍କ ନାମରେ ନାମକରଣ ହୋଇଛି କାହ୍ନା ଚାରିଟେବୁଲ ଟ୍ରଷ୍ଟ । କାହ୍ନା ଜଣେ ଇଂଞ୍ଜିନିୟର ହୋଇଥିବା ବେଳେ ତାଙ୍କର ଅକାଳ ବିୟୋଗ ପରେ ତାର ରହିଥିବା ସ୍ୱପ୍ନକୁ ଏବଂ ସମାଜ ସେବା ପାଇଁ ରହିଥିବା ଲକ୍ଷ୍ୟକୁ ପୂରଣ କରୁଛି ଏହି ଟ୍ରଷ୍ଟ । ପ୍ରତିଷ୍ଠାତା ରଞ୍ଜନା ମିଶ୍ର, ତାଙ୍କ ସ୍ୱାମୀ ରବୀନ୍ଦ୍ର ମିଶ୍ର ଏବଂ ତାଙ୍କ ପରିବାର ବର୍ଗ ମିଳିତ ଉଦ୍ୟମରେ କାହ୍ନାର ଯାହା ସ୍ୱପ୍ନ ରହିଥିଲା ତାହାକୁ ନେଇ ସାମାଜିକ କ୍ଷେତ୍ରରେ , ମାଙ୍ଗଳିକ କାର୍ଯ୍ୟରେ ସମାଜରେ ଯେପରି ସମସ୍ତଙ୍କର ମଙ୍ଗଳ ହେବ ସେହି ଦୃଷ୍ଟିକୋଣକୁ ବିଚାର କରି ଏଭଳି ପଦକ୍ଷେପ ନେଇଛନ୍ତି । ଏହି ଟ୍ରଷ୍ଟ ସହିତ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲା ଏବଂ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଏହାର ସଦସ୍ୟ ରହିଛନ୍ତି । କେବଳ ଗଣବିବାହ ନୁହେଁ ଏହା ପୂର୍ବରୁ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଥାଏ କାହ୍ନା ଚାରିଟେବୁଲ ଟ୍ରଷ୍ଟ । ଏଥିସହିତ ରକ୍ତଦାନଠାରୁ ଆରମ୍ଭ କରି ସଚେତନତା କାର୍ଯ୍ୟକ୍ରମ , ବୃକ୍ଷରୋପଣ ଭଳି ନିଆରା କାର୍ଯ୍ୟକ୍ରମ ମଧ୍ୟ ଟ୍ରଷ୍ଟ ସମ୍ପାଦାନ କରିଛି । ପ୍ରଥମେ ୧୦ ରୁ ୧୫ ଜଣ ସଦସ୍ୟ ଏଥିରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ହଜାର ହଜାର ସଦସ୍ୟ ଏଥିରେ ସାମିଲ ହେଉଛନ୍ତି ।

ଚାଲିଛି ବିବାହ ଶୋଭାଯାତ୍ରା (ETV Bharat)

ଏହା ମଧ୍ୟ ପଢନ୍ତୁକାହିଁକି ଉଚ୍ଚପଦସ୍ଥ ଚାକିରି ଛାଡି ସଢେଇ କଳାକୁ ଆପଣାଇଲେ ଏମବିଏ ଛାତ୍ର ? 3 ଲକ୍ଷରେ ବିକିଲେ ମୟୂର

ଏହା ମଧ୍ୟ ପଢନ୍ତୁଅସହାୟଙ୍କ ସାହାରା ସାଜିଛନ୍ତି ସରପଞ୍ଚ, ୬୦ ଥର ରକ୍ତଦାନ କରି ଚର୍ଚ୍ଚାରେ ସଞ୍ଜୟ

  • 'ଭଲ ଉଦ୍ଦେଶ୍ୟ ନେ ଇ ସମାଜସେବା କରୁଛି'

ପ୍ରତିଷ୍ଠାତା ରଞ୍ଜିତା ଦାସ କହିଛନ୍ତି ‘‘ଆମର ଏହି ଟ୍ରଷ୍ଟ ଗଞ୍ଜାମ ଜିଲ୍ଲାରେ ଏମିତି ଉନ୍ନତିମୂଳକ ପଦକ୍ଷେପ ନେଉଛି । ଏମିତି ଯଦି ସବୁବେଳେ ସହଯୋଗ ରହିବ ଆମେ ଆହୁରି 21 ରୁ 50 ଯୋଡିଙ୍କ ବିବାହ କରାଇପାରିବୁ । ପାଉଁଜିଠୁ ନେଇ ସୁନାରୂପା, ସବୁ କାଠ ସାମଗ୍ରୀ ଝିଅକୁ ଦେଇ ବିଦା କରୁଛୁ । ଧରାକୋଟର ଜିତେନ୍ଦ୍ର ନାୟକ ଏହି ବିବାହ କାର୍ଯ୍ୟ ପାଇଁ ସବୁ କିଛି ବୁଝାସୁଝା କରିଥାନ୍ତି । ଏଥିପାଇଁ ବେଳେବେଳେ ବର୍ଷବର୍ଷ ଲାଗିଯାଏ । ଉପଯୁକ୍ତ ପାତ୍ରଙ୍କୁ ଚୟନ କରି ସେମାନଙ୍କର ଘର ସଂସାର ବସାଇବା କଷ୍ଟକର ବ୍ୟାପାର । ବହୁତ ବ୍ୟକ୍ତି ସ୍ବଇଚ୍ଛାରେ ଆମକୁ ସହଯୋଗ କରୁଛନ୍ତି । ଆମ ସଙ୍ଗଠନକୁ 5 ବର୍ଷ ହୋଇଗଲାଣି । କୋରୋନା ସମୟରେ ବି ଆମେ ବହୁତ ସାହାଯ୍ୟ ସହଯୋଗ କରିପାରିଛୁ । ଏହା ପଛର ଉଦ୍ଦେଶ୍ୟଟା କହିବା ଉଚିତ ଭାବୁନାହିଁ । କିନ୍ତୁ ଏକ ଭଲ ଉଦ୍ଦେଶ୍ୟ ନେଇ ବଞ୍ଚିଥିବା ଯାଏଁ ସମାଜସେବା କରିବି ’’।

8 ଯୋଡି ନବଦମ୍ପତି (ETV Bharat)

ଗଣବିବାହରେ ୮ ଦମ୍ପତି

  1. ପ୍ରଥମ ଦମ୍ପତି : ଦିଲ୍ଲୀ ନାୟକ (କୁଲଗଡ ଖଣ୍ଡା, ଗଞ୍ଜାମ) ଏବଂ ମାମି ନାୟକ ( ସୋରିଷବାଡି ସରାବାଡି, ଗଞ୍ଜାମ)
  2. ଦ୍ୱିତୀୟ ଦମ୍ପତି: ମିଥୁନ ନାହାକ (ବଣନଈ,ବୀରଜଗନ୍ନାଥପୁର, ଗଞ୍ଜାମ) ଏବଂ କନ୍ୟା ଅନିତା ନାହାକ ( ବଣ ନଈ ବଡ଼ ଖରିଡା, ଗଞ୍ଜାମ)
  3. ତୃତୀୟ ଦମ୍ପତି: ସୁଶାନ୍ତ କୁମାର ଦାସ (ଦଶମୁଣ୍ଡଳି, ଗଞ୍ଜାମ) ଏବଂ ଆରତୀ ଗୌଡ ( ଦଶ ମୁଣ୍ଡଳି, ଗଞ୍ଜାମ)
  4. ଚତୁର୍ଥ ଦମ୍ପତି: କାହ୍ନା ନାୟକ ( ବି.ନୂଆପଲ୍ଲୀ, ଗଞ୍ଜାମ) ଏବଂ ପାପାଲି ଜେନା( ରମ୍ପା,ଯାଜପୁର)
  5. ପଞ୍ଚମ ଦମ୍ପତି: ଚିତ୍ରସେନ ନାୟକ (ଖଡିଆଗୁଡ଼ା, ଗଞ୍ଜାମ) ଏବଂ ଉର୍ମିଳା ନାୟକ ( ଲାଠିପଡ଼ା, ଗଞ୍ଜାମ)
  6. ଷଷ୍ଠ ଦମ୍ପତି: ରଞ୍ଜିତ ଦାସ (ବିକ୍ରମ ପୁର ଗଞ୍ଜାମ) ଏବଂ କନ୍ୟା ଅଞ୍ଜୁ ଖଣ୍ଡାଇ
  7. ସପ୍ତମ ଦମ୍ପତି: ସତ୍ୟ ନାରାୟଣ ଗୌଡ (ନୂଆଗଡ, ଗଞ୍ଜାମ) ଏବଂ ସୁଜାତା ଗୌଡ଼ (ଲକ୍ଷ୍ମୀପୁର, ଗଞ୍ଜାମ)
  8. ଅଷ୍ଟମ ଦମ୍ପତି: ଭୋଳା ନାଇକ (ସୋରଡ଼ା, ଗଞ୍ଜାମ) ଏବଂ ମାନିନୀ ନାହାକ (ହରିଡା ପଦର ଗଞ୍ଜାମ)
  • କ’ଣ କୁହନ୍ତି ବରକନ୍ୟା ?

ଗଣ ବିବାହରେ ସାମିଲ ହୋଇଥିବା ଗଞ୍ଜାମ ଜିଲ୍ଲାର ଲାଠିପଡା ଅଞ୍ଚଳର କନ୍ୟା ଉର୍ମିଳା ନାୟକଙ୍କ କହିବା କଥା ‘‘ଏହି ସାମୁହିକ ବିବାହ ଉତ୍ସବରେ ସାମିଲ ହୋଇ ନିଜର ଜୀବନସାଥି ଖାରିଆଗୁଡା ଅଞ୍ଚଳର ଚିତ୍ରସେନ ନାୟକଙ୍କୁ ପାଇବା ଜୀବନ ତମାମ ମନେ ରହିବ ।" ସେପଟେ ଟ୍ରଷ୍ଟ ପକ୍ଷରୁ ଯେପରି ଭାବରେ ସହଯୋଗ କରାଯାଇଛି ତାହାକୁ ନେଇ ସେ ଏହାର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଗଞ୍ଜାମ ଦଶମୁଣ୍ଡଳୀ ଅଞ୍ଚଳର ସୁଶାନ୍ତ କୁମାର ଦାସ କହିଛନ୍ତି ‘‘ଏଭଳି ଗଣବିବାହରେ ଯୋଗ ଦାନ କରି ବେଶ ଖୁସି ଅନୁଭବ କରିଛୁ । ଯେପରି ନିଜ ଗ୍ରାମରେ ରୀତିନୀତି ଅନୁଯାୟୀ ବିବାହ ହେବା କଥା ସେପରି ଏଠାରେ ଆୟୋଜନ କରାଯାଇଛି । ନିଜ ଅଞ୍ଚଳର ଆରତୀ ଗୌଡଙ୍କୁ ଏଠାରୁ ଜୀବନସାଥି ଭାବରେ ପାଇଥିବା ନେଇ ବେଶ ଖୁସି ’’ । ସୁଶାନ୍ତଙ୍କ ବାହଘର ଠିକ୍ ହୋଇଥିବା ବେଳେ ପରିବାରର ଆର୍ଥିକ ପରିସ୍ଥିତି କାରଣରୁ ସେ ଗତ କିଛି ବର୍ଷ ଧରି ବିବାହ କରିପାରୁନଥିଲେ । ହେଲେ ଏଭଳି ଗଣବିବାହ ହେଉଥିବା ଖବର ପାଇଁ ଯୋଗାଯୋଗ କରି ଏଠାକୁ ଆସିଥିବା କହିଛନ୍ତି । ଏପରିକି ଏଠାରେ ସମସ୍ତ ପ୍ରକାର ସହଯୋଗ କରାଯାଉଥିବା ବେଳେ ବିବାହ ସମୟରେ ଯେପରି ବାପା ଓ ମାଆ ପୋଷାକପତ୍ରଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସହଯୋଗ କରିଥାନ୍ତି ଏଠାରେ ସେହିପରି ଭାବରେ ଆୟୋଜକ ମାନେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ।

କାହ୍ନା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ (ETV Bharat)
  • ଆର୍ଥିକ ଅନଗ୍ରସର ପରିବାର ପାଇଁ ବରଦାନ

ଟ୍ରଷ୍ଟ ସମ୍ପାଦକ ସୋନମ ଦାଶକହିଛନ୍ତି ‘‘ବିବାହ ଭଳି ଏକ ବ୍ୟୟବହୁଳ ପାରିବାରିକ ଉତ୍ସବ ଆୟୋଜନ କରିବାକୁ ଅନେକ ଭୟ କରିଥାନ୍ତି । ହେଲେ ଗତ କିଛି ବର୍ଷ ଧରି ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କର ସହଯୋଗରେ ଏହାକୁ ଆମେ ଗଣବିବାହ କରିବା ପାଇଁ ଆୟୋଜନ କରାଯାଉଥିବା ବେଳେ ଏଥିରେ ସାମିଲ ହେବା ପାଇଁ ଟ୍ରଷ୍ଟ ପକ୍ଷରୁ ଉଦ୍ୟମ କରାଯାଉଛି । କ୍ରମାଗତ ଭାବରେ ଏହାକୁ ଆୟୋଜନ କରାଯାଉଥିବା ଯୋଗୁଁ ଅନେକ ବ୍ୟକ୍ତି ବିଶେଷ ନିଜ ପକ୍ଷରୁ ଏଥିରେ ସାମିଲ ହେବା ପାଇଁ ଫୋନ୍ କରି ଯୋଗାଯୋଗ କରନ୍ତି । " ଏପରିକି ଅନେକ ଏଭଳି ଗଣବିବାହ ଉତ୍ସବରେ ଯୋଗ ଦେଇ ନିଜେ କନ୍ୟାଦାନ କରିବାକୁ ଚାହୁଁଥିବା ଓ ସହଯୋଗ କରିବାକୁ ପ୍ରସ୍ତାବ ଦେଇ ଆସୁଥିବା ସେ କହିଛନ୍ତି ।

ବିବାହ ଶୋଭାଯାତ୍ରାରେ ବରକନ୍ୟା (ETV Bharat)

ଏଭଳି ଏକ ନିଆରା ଗଣ ବିବାହ ଉତ୍ସବରେ ଯୋଗ ଦାନ କରିଥିବା ବ୍ରହ୍ମପୁର ସହରର ଚିକିତ୍ସକ ଡା.ଗୁଣାକାର ରଥ କହିଛନ୍ତି ‘‘ଏହି ଗଣ ବିବାହରେ ସାମିଲ ହୋଇଥିବା ଆଠ ଯୋଡି ଯୁବକ/ଯୁବତୀଙ୍କୁ ନିଜର ପରିବାର ଭଳି ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଏଠାକୁ ଅଣାଯାଇଥିବାବେଳେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଭାବରେ ଏଠାରେ ସାମିଲ ହୋଇଛନ୍ତି । ଏପରିକି କେବଳ ଗଣବିବାହ ନୁହେଁ ଯେଉଁ ଗରିବ ପରିବାରର ପୁଅମାନେ ବ୍ରତ୍ରୋପନୟନ ଭଳି କାର୍ଯ୍ୟ କରିପାରୁନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ସାମୁହିକ ବ୍ରତ୍ରୋପନୟନ କାର୍ଯ୍ୟ ଏହି ଟ୍ରଷ୍ଟର କର୍ମକର୍ତ୍ତାମାନେ କହିଛନ୍ତି । ବିବାହ ପାଇଁ ଅନେକ ଅର୍ଥର ଆବଶ୍ୟକ ରହିଥିବା ବେଳେ ଏଠାକୁ ଆସୁଥିବା ଦମ୍ପତି ଆର୍ଥିକ ଅନାଟନ କାରଣରୁ ତାହା କରିପାରୁନଥିବା ଯୋଗୁଁ ଏହାକୁ ନେଇ ଟ୍ରଷ୍ଟ ପକ୍ଷରୁ କରାଯାଉଛି’’ ।

ଗଣବିବାହ କରିଥିବା ଦମ୍ପତି (ETV Bharat)

ଏଭଳି ବିବାହରେ ସାମିଲ ହୋଇ ସୋରଡା ଅଞ୍ଚଳର ପୂଜକ ସୁବାସ ଚନ୍ଦ୍ର ମିଶ୍ରଙ୍କ କହିବା କଥା " କାହ୍ନା ଟ୍ରଷ୍ଟ ପ୍ରତିବର୍ଷ ଏଭଳି ଗଣ ବିବାହ ଆୟୋଜନ କରୁଛି । ଏଭଳି ସାମୁହିକ ବିବାହ ନିଆରା । ଗରିବ ଓ ଅସହାୟ ପରିବାରକୁ ଏହି ଟ୍ରଷ୍ଟ ସହଯୋଗ କରୁଥିବା ଅତ୍ୟନ୍ତ ଖୁସିର ବିଷୟ । "

ବରବେଶରେ ଯୁବକ (ETV Bharat)

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Feb 21, 2025, 6:26 PM IST

ABOUT THE AUTHOR

...view details