ବଲାଙ୍ଗୀର:ପାଖେଇ ଆସିଲାଣି 2024 ନିର୍ବାଚନ । ଏବେଠୁ ସରଗରମ ହେଲାଣି ରାଜନୀତି ପାଣିପାଗ । ଆରମ୍ଭ ହେଲାଣି ଦଳ ଡିଆଁ ନୀତି । ଏ ଦଳ ଛାଡ଼ି ସେ ଦଳରେ ମିଶୁଛନ୍ତି ନେତା । ଏହାରି ଭିତରେ ବଲାଙ୍ଗୀରର ଆଉ ଜଣେ ଟାଣୁଆ କଂଗ୍ରେସ ନେତା ସୁରେନ୍ଦ୍ର ସିଂହ ଭୋଇ ବିଜେଡିରେ ମିଶିବା ନେଇ ଗତ କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହା ଏକ ଗୁଜବ । ବିରୋଧୀ ଷଡ଼ଯନ୍ତ୍ର କରି ଏଭଳି ଗୁଜବ କରୁଥିବାର ଅଭିଯୋଗ ଆଣିଛନ୍ତି ସୁରେନ୍ଦ୍ର ।
ତେବେ ବଲାଙ୍ଗୀରର ଟାଣୁଆ କଂଗ୍ରେସ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଓ ବର୍ତ୍ତମାନ କଂଗ୍ରେସ ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂହ ଭୋଇ ବିଜେଡି ଦଳରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ସେ କିଛି ସମର୍ଥକଙ୍କ ସହ ଭୁବନେଶ୍ୱର ନବୀନ ନିବାସରେ ଡେରା ପକାଇଥିବାର ମଧ୍ୟ ଚର୍ଚ୍ଚା ହେଉଥିଲା । ସେପଟେ ସୁରେନ୍ଦ୍ର ବିଜେଡିରେ ଯୋଗ ଦେଇଥିବାର ନେଇ ସାଧାରଣରେ ଲୋକେ ଆଲୋଚନା କରୁଥିଲେ । ହେଲେ ସୁରେନ୍ଦ୍ର ସିଂହ ଭୋଇ ଏଥିରେ ସାମ୍ନାକୁ ଆସି ନିଜ ବୟାନ ରଖିଛନ୍ତି । ସେ କଂଗ୍ରେସରେ ଥିଲେ । କଂଗ୍ରେସ ଓ ଲୋକଙ୍କ ପାଇଁ କାମ କରୁଥିଲେ ତଥା ଆଗକୁ ମଧ୍ୟ କଂଗ୍ରେସରେ ରହି କାମ କରିବେ ବୋଲି କହିଛନ୍ତି ।