ବରଗଡ଼:ଆସନ୍ତାକାଲି ବରଗଡ଼ ଜିଲ୍ଲାଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପୂର୍ବରୁ କରିଥିବା ଘୋଷଣା ଓ ବରଗଡ଼ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବେ । ଦିନ ୧୨ଘଣ୍ଟା ସମୟରେ ବିଜେପୁର ବ୍ଲକ କନାପାଲୀ ଗ୍ରାମରେ ପହଞ୍ଚିବ । ସେଠାରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ ଆଦିର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ଅନ୍ୟ ୫୯ଟି ପ୍ରକଳ୍ପ ଉଦଘାଟନ କରିବା ସହ ୨୧ଟି ନୂତନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ଚାଷୀ ତଥା ବରଗଡବାସୀଙ୍କ ସ୍ଵପ୍ନକୁ ବାସ୍ତବତାର ରୂପ ଦେବାକୁ ଯାଉଛନ୍ତି । ବହୁ ପ୍ରତିକ୍ଷୀତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ଜଳ ସେଚନ ପ୍ରକଳ୍ପ ମାଧ୍ୟମରେ ଜିଲ୍ଲା ସମେତ ସୋନପୁର ଜିଲ୍ଲାର ୧୨୯ଟି ଗାଁର ଜମିକୁ ମାଡିବ ପାଣି । ବରଗଡ଼ ଜିଲ୍ଲାର ଚିର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଭାବେ ବେଶ ପରିଚିତ ବିଜେପୁର, ସୋହେଲା, ବରପାଲି ଓ ବରଗଡ଼ ବ୍ଲକ ସମେତ ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକର ସମୁଦାୟ ୧୨୯ଟି ଗାଁ ଜଳସେଚିତ ହେବ ।
୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଆସନ୍ତାକାଲି ପୂରଣ ଦେବ । ୧୬୭୭.୪୨ କୋଟି ଟଙ୍କା ବିନିମୟରେ ଏହି ବୃହତ ଜଳସେଚନ ପ୍ରକଳ୍ପ ଦ୍ବାରା ମରୁଡ଼ି ପ୍ରପୀଡ଼ିତ ଜମିଗୁଡ଼ିକ ଶସ୍ୟ ଶ୍ୟାମଲା ହେବାକୁ ଯାଉଛି । ତେବେ ୨୦୨୪ ନୂତନ ବର୍ଷରେ ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏହା ଉପହାର ବୋଲି ଚାଷୀମାନେ ଖୁସି ପ୍ରକାଶ କରିଛନ୍ତି । ସେହପରି ବିଜେପୁର ବ୍ଲକର ୭୭ଟି ଗାଁର ୧୫୨୦୦ହେକ୍ଟର, ସୋହେଲା ବ୍ଲକର ୬୪୦୦ହେକ୍ଟର, ବରପାଲି ବ୍ଲକର ୧୯ଟି ଗାଁର ୩୮୪୦ ସହ ବରଗଡ଼ ବ୍ଲକର କିଛି ଗାଁ ସମେତ ଡୁଙ୍ଗୁରୀପାଲି ଗାଁର ଆଂଶିକ ଅଞ୍ଚଳକୁ ଜଳସେଚନର ସୁବିଧା ବ୍ୟବସ୍ଥା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ....ସମ୍ବଲପୁରରେ ଆରମ୍ଭ ହେଲା ଲକ୍ଷ୍ମୀ ବସ ସେବା, ଦୈନିକ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ