ଭୁବନେଶ୍ବର:ଆଜି ଚଣ୍ଡିଖୋଲରେପ୍ରାୟ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ଅନେକ ପ୍ରକଳ୍ପ ଭେଟି ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି କହିଲେ ନବୀନ । ଦେଶକୁ ନୂଆ ଦିଶା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଦେଶକୁ ଆର୍ଥିକ ପାୱର ହାଉସ କରାଉଛନ୍ତି ପ୍ରଧାନମନ୍ତ୍ରୀ । ଚଣ୍ଡିଖୋଲରେ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ପ୍ରଶଂସାରେ ପୋତି ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ଆଜି ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ । ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିଜୁ ବାବୁ ଜଣେ ଦୃରଦୃଷ୍ଟି ସମ୍ପର୍ଣ୍ଣ ନେତା ଥିଲେ । ଦେଶ ଏପରିକି ବିଦେଶର ସ୍ବାଧିନତା ସଂଗ୍ରାମରେ ମଧ୍ୟ ନିଜର ଗୁରୁତ୍ବପୁର୍ଣ ଅବଦାନ ରଖିଛନ୍ତି । ଓଡ଼ିଶାର ଉନ୍ନତି ତଥା ଓଡ଼ିଆ ଜାତିର ଉନ୍ନତି ପାଇଁ ସେ ସାରା ଜୀବନ କାମ କରି ଯାଇଛନ୍ତି । 1990 ମସିହାରେ କଳିଙ୍ଗ ନଗରକୁ ଶିଳ୍ପ ହବ କରିବା ପାଇଁ ବିଜୁ ବାବୁ ଚିନ୍ତା କରିଥିଲେ । ଆଜି କଳିଙ୍ଗ ନଗର ଦେଶର ଷ୍ଟିଲ ହବ୍ ହୋଇ ପାରିଛି । କେବଳ ଓଡ଼ିଶା ନୁହେଁ, ସାରା ଦେଶ ଏଥିରୁ ଲାଭ ପାଉଛି ।"
ଖୁସିର କଥା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମ ସହିତ ଅଛନ୍ତି । ମୁଁ ତାଙ୍କୁ ଓଡ଼ିଶାକୁ ସ୍ଵାଗତ କରୁଛି । ଦେଶକୁ ନୂଆ ଦିଶା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶକୁ ଆର୍ଥିକ ପାୱର ହାଉସ କରିବା ଦିଗରେ ପ୍ରଧାନମନ୍ତ୍ରୀ ପଦକ୍ଷେପ ନେଉଛନ୍ତି । ବିଶ୍ୱରେ ଭାରତ 5ମ ଅର୍ଥନୀତି ହୋଇଛି । ଆଗାମୀ କିଛି ବର୍ଷ ମଧ୍ୟରେ ତୃତୀୟ ସ୍ଥାନକୁ ଯିବ । ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶାରେ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଚଣ୍ଡିଖୋଲ - ପାରାଦୀପ ଜାତୀୟ ରାଜପଥ ସହିତ ଅନେକ ରାଜପଥ ସମ୍ପ୍ରସାରଣ ପ୍ରକଳ୍ପ ରହିଛି । Desalination ପ୍ଲାଣ୍ଟ, ଏଲପିଜି ଟର୍ମିନାଲ, ଗ୍ୟାସ ପାଇପଲାଇନ, ନୂଆ ଟ୍ରେନ ପରି ବିଭିନ୍ନ ପ୍ରକଳ୍ପ ରହିଛି । ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।