ଭୁବନେଶ୍ବର: ରାଜ୍ୟରେ ଖୋଲିଲା ଆଉ ୧୬ଟି ଉପ-ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ କେନ୍ଦ୍ର । ଡାଏଲେସିସ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ଜରିଆରେ ଲୋକାର୍ପଣ କରିଛନ୍ତି । ସାରା ରାଜ୍ୟରେ ୩୨ଟି ଉପଜିଲ୍ଲା ସ୍ତରୟୀ ଡାଏଲେସିସ କେନ୍ଦ୍ର ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମାଗଣା ଡାଏଲେସିସ ସେବା ଯୋଗାଇ ଦେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହୋଇଥିବାବେଳେ ଚିକିତ୍ସା ପାଇଁ ଲୋକଙ୍କ ଅର୍ଥ ଚିନ୍ତା ଦୂର ହୋଇଛି ବୋଲି ସେ କହିଛନ୍ତି ।
ଅଧିକ ପଢନ୍ତୁ- ୧୩ ଜିଲ୍ଲାରେ ୧୯ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର, ଖର୍ଚ୍ଚ ହେବ ୪୬୦୦ କୋଟି
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ ସ୍ବାସ୍ଥ୍ୟ ସେବା କେନ୍ଦ୍ରଗୁଡିକରେ ମାଗଣାରେ ଚିକିତ୍ସା ଦିଆଯାଉଛି । ଏହା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ BSKY ନବୀନ କାର୍ଡ ଜରିଆରେ ବର୍ଷକୁ ୪ କୋଟିରୁ ଅଧିକ ଲୋକଙ୍କୁ ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି । ଏହା ଦ୍ବାରା ରୋଗ ହେଲେ ଲୋକମାନଙ୍କର ଅର୍ଥ ପାଇଁ ଚିନ୍ତା କରିବାର ସମସ୍ୟା ଦୂର ହୋଇପାରିଛି । କିଡନୀ ରୋଗର ଚିକିତ୍ସା ବହୁତ ବ୍ୟୟସାପେକ୍ଷ । ଏସବୁ କେନ୍ଦ୍ର ପ୍ରତିଷ୍ଠା ଦ୍ବାରା ଏଣିକି କିଡନୀ ରୋଗୀ ମାନେ ଘର ପାଖରେ ବିନା ମୂଲ୍ୟରେ ଡାଏଲେସିସ ସେବା ପାଇ ପାରିବେ । ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୮ରେ ମାଗଣା ଡାଏଲେସିସ ସେବା - ସହାୟ ଆରମ୍ଭ ହୋଇଥିଲା । ଏହି ସେବା ଯୋଗାଇ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା ।
ପ୍ରଥମ ପର୍ଯ୍ୟାୟରେ ଏହି ସେବା ସମସ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆରମ୍ଭ ହୋଇଛି । ଏବେ 5T ଉପକ୍ରମରେ ଏହାକୁ ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନା ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି । ଉପଜିଲ୍ଲା ସ୍ତରରେ 32 ଟି ଡାଏଲେସିସ କେନ୍ଦ୍ର ଖୋଲାଯିବ । ରୋଗୀଙ୍କୁ ମାଗଣା ଡାଏଲେସିସ ସେବା ଦେବା ପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ପାଇଁ ସବୁ ଜୀବନ ମୂଲ୍ୟବାନ । ସରକାରୀ ସ୍ବାସ୍ଥ୍ୟ ସେବା କେନ୍ଦ୍ରଗୁଡିକର ରୁପାନ୍ତର କରାଯାଉଛି । ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ରୋଗୀଙ୍କୁ ଭଲ ସେବା ଯୋଗାଇ ଦେବା ପାଇଁ କାମ ଚାଲିଛି । ସେଠାରେ ଧନୀ ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳୁଛି । ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ଆମର ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ।
୨୦୧୮ରେ ରାଜ୍ୟ ସରକାର ‘ସହାୟ-ଦେୟମୁକ୍ତ ଡାଏଲେସିସ ସେବା’ ଆରମ୍ଭ କରିଥିଲେ । ଏଥିରେ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲ୍ଲା ହେଡକ୍ବାର୍ଟର୍ସ ହସ୍ପିଟାଲରେ ୩୬ଟି ଡାଏଲେସିସ କେନ୍ଦ୍ର ଖୋଲିଥିଲେ । ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ କେନ୍ଦ୍ର ଖୋଲା ଯିବାର ଲକ୍ଷ୍ୟ ରଖାଯାଇଛି । ଏଥିରୁ ମୁଖ୍ୟମନ୍ତ୍ରୀ ଆଜି ୧୬ଟି ଲୋକାର୍ପିତ ହୋଇଛି । ଏହି କେନ୍ଦ୍ରଗୁଡିକ ହେଉଛି ଖୋର୍ଦ୍ଧା, ପାଲଲହଡା, ତାଳଚେର, ସୋର,କାମକ୍ଷାନଗର, ହିନ୍ଦୋଳ, ଧର୍ମଗଡ, ଗୁଣୁପୁର, ବାଲିଗୁଡା, ଆନନ୍ଦପୁର, ଚମ୍ପୁଆ, ବଣାଇଗଡ, ରାଇରଙ୍ଗପୁର, ଉଦଳା, ତିଗିରିଆ ଓ ଡୁଙ୍ଗୁରିପାଲି । ଏହି ସଂପ୍ରସାରଣ ଦ୍ବାରା ୬୮ଟି ଡାଏଲେସିସ କେନ୍ଦ୍ରରେ ବର୍ଷକୁ ୩.୭୦ ଲକ୍ଷ ସେସନ ଡାଏଲେସିସ ହୋଇପାରିବ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ଓଡିଶାର ସାଢେ ୪ କୋଟି ଜନସାଧାରଣ ତାଙ୍କ ପରିବାର । ପ୍ରତି ଜୀବନ ତାଙ୍କ ପାଇଁ ମୂଲ୍ୟବାନ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ଆଜି ରାଜ୍ୟର ଗରୀବ ରୋଗୀ ଦେଶର ପ୍ରତିଷ୍ଠିତ ଡାକ୍ତରଖାନାରେ ଚିକିତ୍ସିତ ହୋଇପାରୁଛି । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ଏଣିକି ଡାଏଲେସିସ ପାଇଁ କିଡନୀ ରୋଗୀମାନଙ୍କୁ ଆଉ ଦୂରକୁ ଯିବାକୁ ପଡିବ ନାହିଁ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବହୁ ଯୁଗାନ୍ତକାରୀ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରି ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ।
5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି ଯେ, କ୍ୟାନସର ଓ କିଡନୀ ରୋଗ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ମୁଖ୍ୟମନ୍ତ୍ରୀ ଓଡିଶାର ସାଢେ ୪ କୋଟି ଲୋକଙ୍କୁ ପରିବାର ଭାବେ ଗ୍ରହଣ କରିଛନ୍ତି । କ୍ୟାନ୍ସର ପାଇଁ କେମୋଥେରାପି ସୁବିଧା ଓ କିଡନୀ ରୋଗ ପାଇଁ ଡାଏଲେସିସ ସୁବିଧା ଘର ପାଖରେ ମାଗଣାରେ କରିଛନ୍ତି । ଏହି ଡାଏଲେସିସ ସୁବିଧା ଆଜି ଘର ପାଖରେ ଉପଲବ୍ଧ ହୋଇଛି । ସମସ୍ତ ରୋଗୀ ଏଣିକି ବିନା ଖର୍ଚ୍ଚରେ ଘର ପାଖରେ ଏହି ସୁବିଧା ପାଇବେ । ଗ୍ରାମାଞ୍ଚଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଜୁ ନବୀନ କାର୍ଡ ଆରମ୍ଭ କରାଯାଇଛି । ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏଥିରେ ଅନ୍ତର୍ଭୁକ୍ତ ହେବେ । କମ୍ୟୁନିଟି ସପୋର୍ଟ ଷ୍ଟାଫ ସମାଜର ସେବା କରୁଛନ୍ତି । ତେଣୁ ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ବହୁତ ଗୁରୁତ୍ବପୂର୍ଣ୍ଣ । BSKY ନବୀନ କାର୍ଡ ପଞ୍ଜିକରଣ ସମୟ ଅବଧିକୁ ଆବଶ୍ୟକ ପଡିଲେ ଆହୁରି ବୃଦ୍ଧି କରାଯିବ । କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିବାବେଳେ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର