ଭୁବନେଶ୍ବର: ମାଣ୍ଡିଆ ଦିବସରେ ଆରମ୍ଭ ହେଲା ଦୁଇଦିନିଆ ଶ୍ରୀଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ । ଭୁବନେଶ୍ବରରେ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ-୨୦୨୪’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ସମ୍ମିଳନୀ ଆସନ୍ତାକାଲି ଶେଷ ହେବ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି ସିଂହଦେଓ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅନ୍ୟ ବରିଷ୍ଠ ଅଧିକାରୀମାନେଙ୍କ ସମେତ ସାମାଜିକ ସଂଗଠନ, ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।
- ଓଡ଼ିଶାର କୃଷି ଐତିହ୍ୟକୁ ସୁରକ୍ଷା ଓ ପୁଷ୍ଟି ପୋଷକତା ବୃଦ୍ଧି ଲକ୍ଷ୍ୟ
ଫସଲଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ଚିରନ୍ଧନ ଚାଷ ପଦ୍ଧତିରେ ସହାୟତା ଏବଂ ପୌଷ୍ଟିକତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥିମଧ୍ୟରୁ ଅନେକ ଫସଲ ମରୁଡ଼ି ସହନଶୀଳ ଏବଂ କୀଟନାଶକକୁ ପ୍ରତିରୋଧ କରିବାର କ୍ଷମତା ରଖିଥାଏ । ଓଡ଼ିଶାର ପାରମ୍ପରିକ ଶସ୍ୟଗୁଡିକ ଏହି ଫସଲ ସହିତ ଜଡ଼ିତ, ଯାହା ଯେକୌଣସି ପରିବେଶରେ ଖାପଖୁଆଇ ଭଲଭାବେ ବଢ଼ିପାରେ । ଏହି ସବୁ ଖାଦ୍ୟକୁ ସଂରକ୍ଷଣ କରିବା ଦ୍ବାରା କେବଳ ଓଡ଼ିଶାର କୃଷି ଐତିହ୍ୟକୁ ସୁରକ୍ଷା ନୁହେଁ ବରଂ ପୁଷ୍ଟି ପୋଷକତା ବୃଦ୍ଧି କରିବାରେ ସହାୟକ ହେବା ନେଇ ସମ୍ମିଳନୀରେ ମତ ପ୍ରକାଶ ପାଇଛି ।
- ଅଂଶଗ୍ରହଣ କରିଛନ୍ତି କୃଷକ, ମହିଳା ଓ ଛାତ୍ରଛାତ୍ରୀ
ସମ୍ମିଳନୀ ମାଧ୍ୟମରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ନୀତି ନିର୍ଦ୍ଧାରକ, ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗୀ, ଗବେଷଣା ପ୍ରତିଷ୍ଠାନ, ସ୍ବାସ୍ଥ୍ୟ ଅନୁଷ୍ଠାନ, ହୋଟେଲ ଆସୋସିଏସନ୍, ସେଫ୍ ସଂଗଠନ, ବ୍ଲଗର୍ ଏବଂ ଛାତ୍ରଙ୍କ ସମେତ ବହୁ ହିତକାରୀଙ୍କୁ ସାମିଲ୍ କରାଯାଇ ଶ୍ରୀଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏଥିରେ ଶ୍ରୀ ଅନ୍ନ, ବିଲୁପ୍ତପ୍ରାୟ ଶସ୍ୟ ଓ ଖାଦ୍ୟ ସହିତ ଜଡ଼ିତ କୃଷକ ସମ୍ପ୍ରଦାୟଙ୍କ ଦ୍ବାରା ଅଭିନବ ତଥା ଚିରନ୍ଧନ କୃଷି ପଦ୍ଧତି, ଜୈବ ବିବିଧତା ସଂରକ୍ଷଣକୁ ପ୍ରାଧାନ୍ୟ, ବ୍ୟବସାୟିକରଣ ସୁଯୋଗ ଏବଂ ନୀତିଗତ ଦୃଷ୍ଟିକୋଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।