ବଲାଙ୍ଗୀର/ ବ୍ରହ୍ମପୁର/ ଫୁଲବାଣୀ: ଧରାବତରଣ କଲେ ପ୍ରଭୁ ଯୀଶୁ । ଧୁମଧାମରେ ପ୍ରଭୁ ଯୀଶୁଙ୍କୁ ଧରାପୃଷ୍ଠକୁ ସ୍ୱାଗତ କଲେ ଖ୍ରୀଷ୍ଟିଆନ ଭାଇଭଉଣୀମାନେ । ମଧ୍ୟରାତ୍ରୀରେ ସବୁଠି ସେଲିବ୍ରେସନ । ପରସ୍ପରକୁ ମେରୀ ଖ୍ରୀଷ୍ଟମାସ କହି ଶୁଭେଚ୍ଛା ଜଣାଇଲେ ଖ୍ରୀଷ୍ଟିଆନ ଭାଇଭଉଣୀ । ଚର୍ଚ୍ଚ ଗୁଡିକରେ ପ୍ରବଳ ଭିଡ ।
ଧରାପୃଷ୍ଠକୁ ପ୍ରଭୁ ଯୀଶୁଖୀଷ୍ଟଙ୍କ ଆଗମନ :
ପାଳନ ହୋଇଛି ଖ୍ରୀଷ୍ଟିଆନ ଭାଇଭଉଣୀମାନଙ୍କ ସବୁଠୁ ବଡ ପର୍ବ ମେରି କ୍ରିସମାସ । ଧୁମଧାମରେ ପ୍ରଭୁ ଯୀଶୁଙ୍କୁ ଧରାପୃଷ୍ଠକୁ ସ୍ୱାଗତ କରାଯାଇଛି । ଯୀଶୁଙ୍କ ଜନ୍ମ ଜୟନ୍ତୀ ପାଳନ କରିବାକୁ ସମସ୍ତ ଚର୍ଚ୍ଚଗୁଡିକରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । କିମ୍ବଦନ୍ତୀ ଅନୁସାରେ ମେଣ୍ଢାଶାଳରେ ମାତା ମେରୀ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜନ୍ମ ଦେଇଥିଲେ । ରୀତିନୀତି ଅନୁସାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇଭଉଣୀମାନେ ଉତ୍ସୁକତାର ସହିତ ଏହି ସମୟକୁ ଅପେକ୍ଷା କରିଥିଲେ । ମେଣ୍ଢାଶାଳ ଓ ଉପାସନା ଗୃହ ଗୁଡିକ ସାଜସଜ୍ଜା ହୋଇଛି । ସାମୂହିକ ପ୍ରାର୍ଥନା ସହ ନୃତ୍ୟ ସଂଗୀତରେ ଉତ୍ସବମୁଖର ହେବ ଉପାସନା ଗୃହ ।
ବଲାଙ୍ଗୀରରେ ବ୍ୟାପକ ପ୍ରସ୍ତୁତି
ବଲାଙ୍ଗୀରରେ ଗାଁରୁ ପଲ୍ଲୀ ସବୁଠି ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ପାଳନ କରିବାକୁ ବେଶ ଉତ୍ସାହିତ। ରାତି ଉଜାଗର ରହି ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଭକ୍ତିର ସହ ନାଚ ଗୀତ ତଥା ସୁସ୍ୱାଦୁ ଭୋଜନ ଖାଇ ସମସ୍ତେ ମିଳିମିଶି ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିଛନ୍ତି । ସେପଟେ ନେତା ମନ୍ତ୍ରୀ ସମସ୍ତେ ଏହି ଅବସରରେ ଦେଇଛନ୍ତି ଶୁଭେଚ୍ଛା ବାର୍ତ୍ତା । ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇଭଉଣୀମାନେ ତାଙ୍କର ପବିତ୍ର ମାସ ମେରି ଖ୍ରୀଷ୍ଟ ମାସ ପାଳନ କରୁଛନ୍ତି । ଅନ୍ୟକୁ ପ୍ରେମ ସମ୍ମାନ ଓ ମାନବ ସେବା ଭଳି ଯୀଶୁଙ୍କ ବାର୍ତ୍ତାକୁ ନେଇ ଖ୍ରୀଷ୍ଟିଆନ ଭାଇ ଭଉଣୀ ନିତି ଦିନ ପ୍ରାର୍ଥନା ସଭା ଆୟୋଜନ କରୁଛନ୍ତି ।
ଜଣେ ଖ୍ରୀଷ୍ଟ ଧର୍ମାବଲମମ୍ବୀ ଶ୍ରଦ୍ଧାଳୁ ଜୋହାନ ଦୀପ କହିଛନ୍ତି " ବଡଦିନର ସପ୍ତାହେ ପୂର୍ବରୁ ଆମେ ଚର୍ଚ୍ଚରେ ଯୀଶୁଙ୍କ ଜନ୍ମ ଦିନ ପାଳନ ଆରମ୍ଭ କରିଥାଉ । ପ୍ରଭୁ ଯୀଶୁଙ୍କ ବାର୍ତ୍ତାର ପ୍ରଚାର ପ୍ରସାର ପାଇଁ ଉଦ୍ଦୀପନା ସଭା କରିଥାଉ । ଏଥିରେ ଆମ ସହିତ ସମସ୍ତେ ମିଳିମିଶି ଏହାକୁ ପାଳନ କରିଥାଉ ।"ସେହିପରି ଜଣେ ଖ୍ରୀଷ୍ଟିଆନ ଭଉଣୀ ଜ୍ୟୋସ୍ନାମୟୀ ଦୀପ କହିଛନ୍ତି, " ଆମ ପାଇଁ ନୁହେଁ ସାରା ଜଗତର ଉଦ୍ଧାର ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୃଥିବୀକୁ ଆସିଥିଲେ । ଜଗତରେ ପ୍ରେମ ,ଅନ୍ୟକୁ ସମ୍ମାନ ସହ ମାନବ ସେବା ପାଇଁ ସେ ବାର୍ତ୍ତା ଦେଇଥିଲେ । ତେଣୁ ଆମେ ତାଙ୍କ ବାର୍ତ୍ତାକୁ ଅନ୍ୟମାନଙ୍କ ପାଖରେ ପଞ୍ଚାଇବାକୁ ଆସିଛୁ । ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ ମଧ୍ୟ ଆମେ ଧୂମ ଧାମରେ ପାଳନ କରିବୁ। ରାତି ଉଜାଗର ରହିବୁ । ନାଚ ଗୀତ ସହ ହର୍ଷଉଲ୍ଲାସରେ ଏହାକୁ ପାଳନ କରିବୁ" ।
ଏହାମଧ୍ୟ ପଢନ୍ତୁ... ବିଶ୍ବ ରେକର୍ଡ଼ରେ ସ୍ଥାନ ପାଇଲା ସୁଦର୍ଶନ ପଟ୍ଟନାୟକଙ୍କ ଚକୋଲେଟ୍ ସାଣ୍ଟାକ୍ଲଜ |