ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ଫେବୃୟାରୀ ୨୮ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତ କରିବେ । ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ, ଭୁବନେଶ୍ବର ଓ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ଲାଗି ଆଜି ଅନୁଷ୍ଠିତ ହୋଇଛି ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା ବୈଠକ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ।
ଅଧିକ ପଢନ୍ତୁ- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି ରାଷ୍ଟ୍ରପତି, ୨୫ତମ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
ଗୃହ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା ରାଷ୍ଟ୍ରପତିଙ୍କ ଓଡିଶାରେ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ଫେବୃୟାରୀ ୨୮ ତାରିଖରେ ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ୨୯ ତାରିଖ ସକାଳେ ରାଷ୍ଟ୍ରପତି ମା’ କୀଚକେଶ୍ବରୀ ମନ୍ଦିର ପରିଦର୍ଶନ, କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରକୁ ଉଦଘାଟନ କରିବେ । ସେହିଦିନ ଅପରାହ୍ନରେ ଭୁବନେଶ୍ବରରେ ଉତ୍କଳ ବିଶ୍ବବିଦ୍ୟାଳୟର ୫୩ ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ସାମିଲ ହେବେ । ସେହିପରି ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ସେ ଯୋଗ ଦେବେ । ରାଷ୍ଟ୍ରପତିଙ୍କର ମାର୍ଚ୍ଚ ୨ ତାରିଖରେ ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତି ଓଡିଶାରେ ପହଞ୍ଚିବାଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ଏ ପର୍ଯ୍ୟନ୍ତ ରାଜ୍ୟ ପ୍ରଶାସନ ଏବଂ ସଂପୃକ୍ତ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ରାଷ୍ଟ୍ରପତି ଗସ୍ତରେ ଯିବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଭିସି ଜରିଆରେ ବୈଠକରେ ସାମିଲ ହୋଇଥିଲେ । ରାଷ୍ଟ୍ରପତିଙ୍କର ବିଭିନ୍ନ ସ୍ଥାନରେ ଏକାଧିକ କାର୍ଯ୍ୟକ୍ରମ ରହିଛି । ଏ ସବୁ ସ୍ଥାନଗୁଡିକୁ ପୂର୍ବରୁ ଭଲ ଭାବେ ଯାଞ୍ଚ କରିବା ସହ ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରି ତଦନୁସାରେ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।