ଭୁବନେଶ୍ୱର:ଆଜି ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ନୂତନ ଆଲୋକବର୍ତ୍ତିକା ସୃଷ୍ଟି ହୋଇଛି । ଭର୍ଚ୍ଚୁଆଲ ମୋଡ଼ରେ ମାଲକିନଗିରି ଜିଲ୍ଲାର ବଡପଡାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଶିକ୍ଷା ସୌଧ ଉଦଘାଟନ କରିଛନ୍ତି । ଏହି ଶିକ୍ଷା ସୌଧରେ ପ୍ରଥମରୁ ଉଚ୍ଚ ମାଧ୍ୟମିକ (ଦ୍ୱାଦଶ ଶ୍ରେଣୀ) ପର୍ଯ୍ୟନ୍ତ ପିଲାମାନେ ଗୋଟିଏ ସ୍ଥାନରେ ଶିକ୍ଷା ଲାଭ କରିପାରିବେ ।
୭ ଏକର ଜମିରେ ସ୍ଥାପନ କରାଯାଇଥିବା ଏହି ଆଧୁନିକ ଶିକ୍ଷା ସୌଧ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ୧,୦୦୦ ରୁ ଅଧିକ ପିଲା ପାଠ ପଢିବେ । ଭବିଷ୍ୟତ ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବାକୁ ଏଥିରେ ସମସ୍ତ ଆଧୁନିକ ସୁବିଧା ସୁଯୋଗ ରହିଛି । ସ୍ମାର୍ଟ କ୍ଲାସ ରୁମ, ୩ ହଜାର ପୁସ୍ତକ ବିଶିଷ୍ଟ ଇ-ଲାଇବ୍ରେରୀ, ଟ୍ରାଇବାଲ କର୍ଣ୍ଣର, କୁନି ପିଲାଙ୍କ ଆକ୍ଟିଭିଟି ରୁମ, ଏନ.ସି.ସି. ପ୍ରକୋଷ୍ଠ, କମ୍ପ୍ୟୁଟର ଲ୍ୟାବ, ଆଇସିଟି ସ୍ମାର୍ଟ ଲର୍ଣ୍ଣିଙ୍ଗ ସେଣ୍ଟର, ବିଜ୍ଞାନ ପରୀକ୍ଷାଗାର, ୨୦୦ ଆସନ ବିଶିଷ୍ଟ ଛାତ୍ରାବାସ, ୫୦୦ ଆସନ ବିଶିଷ୍ଟ ଛାତ୍ରୀନିବାସ, ଆମ୍ପିଥିଏଟର, ସୁଦୃଶ୍ୟ ବଗିଚା, ସ୍ପୋର୍ଟ କୋର୍ଟ୍ସ, ଜିମ, ସୋଲାର ଲାଇଟିଂ, ସୋଲାର ୱାର୍ଟର ସପ୍ଲାଏ, Water Harvesting System ଭଳି ଆହୁରି ଅନେକ ସୁବିଧା ରହିଛି ।
ତେବେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରି ସବୁବେଳେ, ସବୁ କାମରେ ମୋର ପ୍ରଥମ ପସନ୍ଦ ହୋଇ ରହିଆସିଛି । ଟଙ୍କିକିଆ ଚାଉଳ ହେଉ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ ବା ଲକ୍ଷ୍ମୀ ଯୋଜନା ହେଉ ସବୁ କାର୍ଯ୍ୟକ୍ରମ ମୁଁ ପ୍ରଥମେ ଏହିଠାରୁ ହିଁ ଆରମ୍ଭ କରିଆସିଛି । ବଡପଡା ଶିକ୍ଷା ସୌଧ ପାଇଁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଲାମାନଙ୍କ ପାଠ ପଢାର ସୁବିଧା ତଥା ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ଏହି ଅନୁଷ୍ଠାନ ଗଢାଯାଇଛି । ଏହି ସବୁ ସୁବିଧା ସହରର କୌଣସି ଆଧୁନିକ ଶିକ୍ଷା ଅନୁଷ୍ଠାନର ସୁବିଧାଠାରୁ କମ୍ ନୁହେଁ । ତେବେ ସ୍ୱାଭିମାନ ଅଞ୍ଚଳର ପିଲାମାନେ ଏହାର ସୁଯୋଗ ନେଇ ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢିବେ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଛନ୍ତି ।
ଏଥିସହ ମୁଖ୍ୟମନ୍ତ୍ରୀ ଶୃଙ୍ଖଳା, ପ୍ରତିବଦ୍ଧତା ସହିତ କଠିନ ପରିଶ୍ରମ ଓ ନିଷ୍ଠାର ସହ କାମ କଲେ ସଫଳତାର ମାର୍ଗ ପ୍ରଶସ୍ତ ହୁଏ ବୋଲି ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଶିକ୍ଷା ସୌଧରେ ଥିବା ସମସ୍ତ ସୁବିଧାର ଉପଯୋଗ କରି ନିଜର ପ୍ରତିଭାର ବିକାଶ ପାଇଁ କାମ କରିବାକୁ ଏବଂ ନିଜ ପରିବାର, ନିଜ ସ୍କୁଲ ଓ ନିଜ ଗାଁ ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ ।