କଟକ:ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ମେଜର-ବାନ୍ଧବୀ ଏବଂ ପୋଲିସ ବିବାଦ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ମାମଲାର ଅଗ୍ରଗତି ନେଇ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ସେନା କର୍ମଚାରୀଙ୍କ ସମ୍ପର୍କରେ SOP ପ୍ରସ୍ତୁତ କରାଯାଇଛି । SOP ପ୍ରସ୍ତୁତ ନେଇ କୋର୍ଟଙ୍କୁ ଅବଗତ କରିଛନ୍ତି ସରକାର । ପୋଲିସ ADG ଦୟାଲ ଗଙ୍ଗୱାର ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠରେ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି ADG ।
CCTV installed in police station (ETV BHARAT ODISHA) ସତ୍ୟପାଠରେ କ'ଣ ରହିଛି ?
ପୋଲିସ ADG ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ପ୍ରାୟ 96 ପ୍ରତିଶତ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ ହୋଇଛି । ବାକି 4 ପ୍ରତିଶତ କ୍ୟାମେରା ଆସନ୍ତା 30 ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି କୋର୍ଟଙ୍କୁ ଅବଗତ କରାଯାଇଛି । 85 ପ୍ରତିଶତ ଥାନାର ସିସିଟିଭି ପୋଲିସ ମୁଖ୍ୟାଳୟ ସହ ଜଡିତ । ଆସନ୍ତା 19 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ସବୁ ସିସିଟିଭି କ୍ୟାମେରାକୁ ପୋଲିସ ମୁଖ୍ୟାଳୟ ସହ ସଂଯୋଗୀକରଣ କରାଯାଇ ମନିଟରିଂ କରାଯାଉଛି । ୨୯୫ଟି ପୋଲିସ ଫାଣ୍ଡିରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପ୍ରକ୍ରିୟା ଜାରି ରହିଛି । ମାର୍ଚ୍ଚ ୨୦୨୫ ସୁଧା ରାଜ୍ୟର ସମସ୍ତ ପୋଲିସ ଫାଣ୍ଡିରେ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ହେବ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ।
ଆସନ୍ତା ୧୯ରେ ପରବର୍ତ୍ତୀ ଶୁଣାଣୀ:
ଅନ୍ୟପଟେ ପୋଲିସ ଷ୍ଟେସନକୁ ଆସୁଥିବା ସେନା କର୍ମଚାରୀଙ୍କ ସହ ପୋଲିସର ବ୍ୟବହାର ନେଇ ଜାରି ଏସଓପିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଥିବା ସତ୍ୟପାଠରେ କୋର୍ଟଙ୍କୁ ଜଣାଇଲେ ସରକାର। ଆଜି ଏହି ମାମଲାର ଶୁଣାଣି ସମୟରେ ପୋଲିସ ମୁଖ୍ୟାଳୟ ଏଡିଜିପି ଦୟାଲ ଗଙ୍ଗୱାର ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ତେବେ ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
କ'ଣ କହିଲେ ହାଇକୋର୍ଟର ଆଇନଜୀବୀ ?
ଏନେଇ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ କହିଛନ୍ତି,"ଆଜି ପୋଲିସ ADG ଦୟାଲ ଗଙ୍ଗୱାର ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି 96 ପ୍ରତିଶତ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ କରିଛନ୍ତି । ଯାହାକୁ ଜିଲ୍ଲାସ୍ତରରେ ତଦାରଖ କରାଯାଉଛି । ବାକି 4 ପ୍ରତିଶିତ କ୍ୟାମେରା ନଭେମ୍ବର ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।"
ଜାଣନ୍ତୁ କ'ଣ ରହିଛି SOP:
ଆସନ୍ତୁ ଜାଣିବା ସେନା କର୍ମଚାରୀଙ୍କ ସହ ପୋଲିସର ବ୍ୟବହାର ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇ ଥିବା SOP :
- କୌଣସି ସେନା କର୍ମଚାରୀ ଡ୍ୟୁଟିରେ ରୁହନ୍ତୁ କିମ୍ବା ନରୁହନ୍ତୁ, ସେମାନେ ପୋଲିସ ଷ୍ଟେସନରେ କୌଣସି ଅଭିଯୋଗ କଲେ ତୁରନ୍ତ ତା ଉପରେ କାର୍ଯ୍ୟକାରୀ କରିବେ ପୋଲିସ ଅଧିକାରୀ
- ସେନା କର୍ମଚାରୀଙ୍କ ଅଭିଯୋଗ ଓ ଅସୁବିଧାକୁ ଗୁରୁତର ସହ ନେବା ସହ ଆଇନ ଅନୁଯାୟୀ ପଦକ୍ଷେପ ନେବ ପୋଲିସ
- ସେନା କର୍ମଚାରୀ ଲିଖିତ ଅଭିଯୋଗ କଲେ ତାକୁ ଆଇନ ଅନୁଯାୟୀ ଅଧିକ ପ୍ରାଧାନ୍ୟ ଦେଇ ତୁରନ୍ତ ପଦକ୍ଷେପ ନେବେ ପୋଲିସ ଅଧିକାରୀ
- ସେନା କର୍ମଚାରୀ ଏତଲା ଲେଖିବା ସମୟରେ ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ କରିବେ ପୋଲିସ
- କୌଣସି ସେନା କର୍ମଚାରୀ କୌଣସି ସଙ୍ଗୀନ ଅପରାଧ ସମ୍ପର୍କରେ ମୌଖିକ ଭାବେ ଅଭିଯୋଗ କଲେ ତାଙ୍କୁ ଲିଖିତ ଏତଲା ଦେବା ପାଇଁ ନକହି ପୋଲିସ ଅଧିକାରୀ ନିଜେ ଏତଲା ଲେଖି ପଦକ୍ଷେପ ନେବେ
- କୌଣସି ଆର୍ମି , ନାଭି ଓ ଏୟାର ଫୋର୍ସ କର୍ମଚାରୀ ଡ୍ୟୁଟିରେ ଥିଲେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ସେମାନଙ୍କୁ ଗିରଫ କରି ପାରିବେ ନାହିଁ ପୋଲିସ
- ସେନା କର୍ମଚାରୀଙ୍କୁ ଗିରଫ କରିବା ପାଇଁ ନିକଟସ୍ଥ ଷ୍ଟେସନ କମାଣ୍ଡର ମେଜର ରାଙ୍କ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଅନୁମତି ନମିଳିଲେ ପୋଲିସ ଉକ୍ତ ସେନା କର୍ମଚାରୀଙ୍କୁ ଅଟକ ରଖି ସେନା ପୋଲିସକୁ ହସ୍ତାନ୍ତର କରିବ
- କେବଳ ଦୁଷ୍କର୍ମ, ହତ୍ୟା, ଅପହରଣ ପରି ଜଘନ୍ୟ ଅପରାଧିକ ଘଟଣାରେ ହିଁ ଡ୍ୟୁଟିରେ ଥିବା ସେନା କର୍ମଚାରୀଙ୍କୁ ବିନା ଅନୁମତିରେ ଗିରଫ କରିପାରିବ ପୋଲିସ । ଯଦି ଜଘନ୍ୟ ଅପରାଧ ସହ ସେମାନଙ୍କ ସମ୍ପୃକ୍ତି ନଥିବ, ତାହେଲେ ବିନା ଅନୁମତିରେ ସେମାନଙ୍କୁ ଗିରଫ କରିପାରିବ ନାହିଁ ପୋଲିସ ।
- ସେନା କର୍ମଚାରୀଙ୍କୁ ସେମାନଙ୍କ ଡ୍ୟୁଟି ବ୍ୟତୀତ ଅନ୍ୟ କୌଣସି ଘଟଣାରେ ଗିରଫ କରିବାକୁ ହେଲେ ନିକଟରେ ଥିବା ସେନା ପୋଲିସ ମୁଖ୍ୟାଳୟକୁ ସୂଚନା ଘଟଣାସ୍ଥଳ, ତାରିଖ, ଦିନ ସମ୍ପର୍କରେ ଜଣାଇବେ ପୋଲିସ ଅଧିକାରୀ
- ସେନା କର୍ମଚାରୀଙ୍କ ବିରୋଧରେ ଆସୁଥିବା ଅଭିଯୋଗକୁ ଗୁରୁତର ସହ ବିଚାର କରିବେ ପୋଲିସ । ଏନେଇ ସେନା କମାଣ୍ଡରଙ୍କୁ ମଧ୍ୟ ଜଣାଇବେ ।
- ସେନା କର୍ମଚାରୀଙ୍କୁ ଗିରଫ କରିବା ସମୟରେ ସେମାନଙ୍କୁ ହାତକଡି ପିନ୍ଧାଇବେ ନାହିଁ ପୋଲିସ । ସେମାନଙ୍କ ଶରୀରକୁ କ୍ଷତି ପହଞ୍ଚାଇବା ଭଳି କୌଣସି ପଦକ୍ଷେପ ନେବେ ନାହିଁ
- ସେନା କର୍ମଚାରୀଙ୍କ ବିରୋଧରେ ମାମଲାର ବିଚାର ପାଇଁ BNSର ଧାରା ୫୨୧ ଏବଂ କ୍ରିମିନାଲ କୋର୍ଟ ରୁଲ ୩.୩ ଓ କୋର୍ଟ ମାର୍ଶାଲ ନିୟମ ୧୯୭୮କୁ ଧ୍ୟାନ ରଖିବେ କୋର୍ଟ ।
ସିସିଟିଭି ସିଧାପ୍ରସାରଣ:
ପୂର୍ବରୁ ଅକ୍ଟୋବର 8 ତାରିଖରେ ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଥିଲା । ସତ୍ୟପାଠରେ ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ ଓ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ ନାମରେ ପୋଲିସ ବିଭାଗ ଦୁଇଟି ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ବୋଲି ସତ୍ୟପାଠରେ କୋର୍ଟଙ୍କୁ ଦର୍ଶାଇଥିଲେ ପୋଲିସ ମୁଖ୍ୟାଳୟ ଏଡିଜି ଦୟାଲ ଗଙ୍ଗଓ୍ବାର। ଏହାଦ୍ବାରା ନିଜ ଅଧୀନରେ ଥିବା ଥାନା ଗୁଡ଼ିକର ସିସିଟିଭି ଗୁଡ଼ିକର ସିଧାପ୍ରସାରଣ ଏସପିଙ୍କ କାର୍ଯ୍ୟାଳୟରେ ହେବ । ସେହିଭଳି ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ ପୋଲିସ ମୁଖ୍ୟାଳୟରେ ରହିବ ଆସୁଥିବା ଭିଡିଓ ଗୁଡ଼ିକୁ ସେଠାରେ ଲାଇଭ ଦେଖା ଯାଇପାରିବ ।
ଆର୍ମି ମେଜର ଓ ପୋଲିସଙ୍କ ବିବାଦ:
କହିରଖୁଛୁ ଭରତପୁର ଥାନାରେ ଆର୍ମି ମେଜର ଓ ପୋଲିସଙ୍କ ବିବାଦ ଘଟଣା ସାମନାକୁ ଆସିଥିଲା । ୪ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ମିଳିନାହିଁ ଅନ୍ତରୀଣ ସୁରକ୍ଷା । ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ୫ ପୋଲିସ ଅଧିକାରୀ । ନିଲମ୍ବିତ ଆଇଆଇସିଙ୍କ ବ୍ୟତୀତ ଅନ୍ୟ ୪ ଜଣଙ୍କର ଅନ୍ତରୀଣ ସୁରକ୍ଷା ମାମଲାର ଶୁଣାଣି କରି କୋର୍ଟ ଅନ୍ତରୀଣ ସୁରକ୍ଷା ପାଇଁ ମନା କରିଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ୪ ପୋଲିସ ଅଧିକାରୀ ହେଉଛନ୍ତି ବୈଶାଳିନୀ ପଣ୍ଡା,ବଳରାମ ହଂସଦା,ସଗରିକା ରଥ ଓ ଶୈଳମୟୀ ସାହୁ।
ଇଟିଭି ଭାରତ, କଟକ