ବରଗଡ: ଅଦିନିଆ ବର୍ଷା ଯୋଗୁଁ ଫିକା ପଡ଼ିଲା ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ଲଗାତର 5 ଦିନ ହେଲା ତୁହାକୁ ତୁହା ବର୍ଷା ସହିତ ପ୍ରବଳ ଶୀତ ବରଗଡ଼ର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାକୁ ଫିକା କରିଦେଇଛି । ଏନେଇ ଦୂର ଦୁରନ୍ତରୁ ଆସିଥିବା ବହୁ ବ୍ୟାପାରୀଙ୍କୁ କ୍ଷତି ସହିବାକୁ ପଡିଛି । ତେବେ ବର୍ଷା ହେବା ନେଇ ପୂର୍ବ ସୂଚନା ରହିଥିଲେ ସୁଦ୍ଧା ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ସୁବିଧା କରାଯାଇନାହିଁ । ଫଳରେ ଅନେକ ମହିଳା SSG ତଥା ଅନେକ ଛୋଟ ଛୋଟ ଅନୁଷ୍ଠାନ ବିକ୍ରି ପାଇଁ ଆଣିଥିବା ନିଜର ସାମଗ୍ରୀ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ।
ବରଗଡ଼ର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ଏହି ଯାତ୍ରାରେ ପ୍ରବଳ ଦର୍ଶକଙ୍କ ସମାଗମ ହୋଇଥାଏ। 11 ଦିନ ଧରି ଚାଲିଥିବା ବରଗଡର ଧନୁଯାତ୍ରାରେ ବ୍ୟାପାରୀମାନେ ଭଲ ରୋଜଗାର କରନ୍ତି । ଯାହା ଫଳରେ ଦେଶର କୋଣ ଅନୁକୋଣରୁ ବିଭିନ୍ନ ପ୍ରକାରର ସାମଗ୍ରୀ ନେଇ ବ୍ୟାପାର ପାଇଁ ସମସ୍ତେ ପହଞ୍ଚି ଯାଇଥାନ୍ତି । ସେହିପରି ମିଶନ ଶକ୍ତି ଯୋଜନାରେ ରାଜ୍ୟର 30 ଗୋଟି ଜିଲ୍ଲାର SSG ମାଆମାନଙ୍କୁ ବ୍ୟାପାରର ସୁଯୋଗ ଦେବା ଉଦ୍ଦେଶ୍ୟରେ ପଲ୍ଲିଶ୍ରୀ ମେଳାରେ ମାଗଣାରେ ସ୍ଥାନ ଦିଆଯାଇଥାଏ । ତେଣୁ ପ୍ରତି ବର୍ଷ ଏହି ପଲ୍ଲିଶ୍ରୀ ମେଳାକୁ ହଜାର ହଜାର ମହିଳା ଆସି ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରି ଭଲ ରୋଜଗାର କରିଥାନ୍ତି । ମାତ୍ର ଏହି ପଲ୍ଲିଶ୍ରୀ ମେଳାରେ ପ୍ରଶାସନର ଲାଭ ହେଉ ନ ଥିବାରୁ ମିନା ବଜାରଠାରୁ ପଲ୍ଲିଶ୍ରୀ ମେଳାକୁ ଅନ୍ୟତ୍ର ଜିରା ନଦୀକୂଳକୁ ଠେଲି ଦିଆଯାଇଛି । ସେଠାରେ ମିନା ବଜାର ପରି ଭିଡ଼ ହେଉନଥିବା ବେଳେ ବିକ୍ରି ମଧ୍ୟ ସେତିକି ପରିମାଣରେ ହେଉନାହିଁ । ତେଣୁ ଦୂର ଦୂରାନ୍ତରୁ ରୋଜଗାର ପାଇଁ ନିଜ ପରିବାର ଛାଡ଼ି ଆସୁଥିବା ଅନେକ ମହିଳାଙ୍କୁ କ୍ଷତି ସହିବାକୁ ପଡୁଛି ।