ଭୁବନେଶ୍ବର: ଆଜି ଗୃହରେ ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା କଲେ ମନ୍ତ୍ରୀ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପର୍କୀୟ ଖର୍ଚ୍ଚ ଦାବି ଉପସ୍ଥାପନ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପାରିତ ହେଲା ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗର ୨୦ କୋଟି ୨୨ ଲକ୍ଷ ୫୩ ହଜାର ଟଙ୍କା । ଏହାସହ ଅନୁସୂଚିତ ଜାତି, ଜନଜାତି ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଗୃହରେ ପାରିତ ହୋଇଥିବା ବେଳେ ଅବଶିଷ୍ଟ ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଗୃହରେ ପାରିତ ହୋଇଛି । ସେପଟେ ଜବରଦଖଲ ଜମିରେ ଥିବା ଅଟାଳିକାରେ ବୁଲଡ଼ୋଜର ଚଢିବା ନେଇ ଗୃହରେ ବିବୃତ୍ତି ରଖିଛନ୍ତି ମନ୍ତ୍ରୀ ।
- ଜବରଦଖଲ କୋଠାରେ ଚଢିବ ବୁଲଡୋଜର: ରାଜସ୍ବ ମନ୍ତ୍ରୀ
ଆଜି ଗୃହରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି," ଯେଉଁମାନେ ସରକାରୀ ଜମିକୁ ଜବରଦଖଲ କରି ବଡ଼ ଅଟ୍ଟାଳିକା କରିଛନ୍ତି, ହାଇକୋର୍ଟ ରହିତାଦେଶ ଉଠିବା ପରେ ସେଥିରେ ବୁଲଡଜର ଚଢିବ । ଗରିବ ଲୋକଙ୍କୁ ପଟ୍ଟା ସହିତ ପକ୍କା ଘର ଦିଆଯିବ । ପ୍ରତି ଶନିବାର ଭୂମିହୀନଙ୍କୁ ଜମି ଦେବାପାଇଁ ତହସିଲଦାର ଏବଂ ବିଡ଼ିଓଙ୍କ ବୈଠକ ବସିବ । ହିତାଧିକାରୀଙ୍କୁ ପଟ୍ଟା ଏବଂ ଜମି ସହିତ ପକ୍କାଘର ଯୋଗାଇବେ ବିଡ଼ିଓ । ଏ ସରକାର ସମୟରେ ଜଣେ ହେଲେ ମଧ୍ୟ ଭୂମିହୀନ ରହିବେ ନାହିଁ । ୭୦ ପ୍ରତିଶତ ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ନାହିଁ । ଡିସେମ୍ବର ୩୦ ତାରିଖ ସୁଦ୍ଧା ସବୁ ସ୍କୁଲକୁ ଜମି ଦିଆଯିବ ।"