ବୌଦ୍ଧ:ସରଗରମ ନିର୍ବାଚନୀ ମଇଦାନ। ବିଜୟ ଲାଭ କରିବା ପାଇଁ ରେସ୍ରେ 3 ଦଳ । ଏହାରି ଭିତରେ ଦଳକୁ ସୁଦୃଢ କରିବା ପାଇଁବଳ ଗୋଟାଉଛି ବିଜେପି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ତଥା ଶତାଧିକ ଅସନ୍ତୁଷ୍ଟ ବିଜେଡି ନେତା କର୍ମୀଙ୍କ ବିଜେପି ଦଳରେ ଯୋଗଦାନ ପରେ ବିଜେପି ସୁଦୃଢ ହେବାରେ ଲାଗିଛି । ସେପଟେ ବିଜେଡି ଗଡ଼ ଭାବରେ ପରିଚିତ ଆସନକୁ ନିଜ କବ୍ଜାକୁ ଆଣିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ବିଜେଡି ନେତା । ଅନ୍ୟପଟେ ପଦ୍ମ ଫୁଟାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଛନ୍ତି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ।
ବିଜେଡି ଗଡରେ ଶକ୍ତିଶାଳୀ ହେବାରେ ଲାଗିଛି ବିଜେପି ଦଳ । ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ ବର୍ତ୍ତମାନ ବିଜେପି ମୁହାଁ ହେଉଛନ୍ତି । ଫଳରେ ଟେନସନରେ ବିଜେଡି ବିଧାୟକ ତଥା ନେତା । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି । କାରଣ ବିଜେଡି ଗଡ଼ ଭାବରେ ପରିଚିତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ବିଧାୟକଙ୍କୁ ନିଜ ଦଳର ବିଦ୍ରୋହକୁ ସମ୍ମୁଖୀନ ହେବାକୁ ପଡ଼ୁଛି । ଦୁଇ ଦିନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଲସାଗୋରା ଗସ୍ତ ପରେ ବିଜେପି ଦଳର ନେତା ଓ କର୍ମୀମାନେ ପ୍ରବଳ ଉତ୍ସାହିତ ଅଛନ୍ତି । ଆଉ ଏଭଳି ସମୟରେ ବିଜେଡି ଦଳ ଛାଡି ପଦ୍ମ ପୋଖରୀକୁ ଡେଇଁଛନ୍ତି ଶହ ଶହ ବିଜେଡି ନେତା ଓ କର୍ମୀ । ଫଳରେ ବିଜେପି ଦଳର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବିଜେଡି ଦଳର ଦୁଇ ଦୁଇ ଥରର ବିଧାୟକ ମହୀଧର ରଣା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସମସ୍ତ ଜୋନରେ ବିଜେଡି କର୍ମୀ ସମାବେଶ କରିବାରେ ଲାଗିପଡିଛନ୍ତି ।