ବୌଦ୍ଧ/ଅନୁଗୋଳ/ଝାରସୁଗୁଡା:ଆଗକୁ ନିର୍ବାଚନ। ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଯେଉଁ ଯେଉଁ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ସେଠାରେ ବିଜେପି ପ୍ରାର୍ଥୀ ଏବେ ପ୍ରଚାର ମଇଦାନରେ । ବୌଦ୍ଧ, ଅନୁଗୋଳ ଓ ଝାରସୁଗୁଡାରେ ବିଜେପି ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ।
ଭୈରବୀଙ୍କ ଆଶୀର୍ବାଦ ନେଲେ ସରୋଜ:ବୌଦ୍ଧ ଜିଲ୍ଲାର ଆରାଧ୍ୟା ଦେବୀ ମା' ଭୈରବୀଙ୍କ ଆଶୀର୍ବାଦ ନେଇ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ । ତେବେ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ନାଁ ଘୋଷଣା ପରେ ସମସ୍ତ ଦଳର ଶିବିରରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । ଏନେଇ ବିଜେପିର ଦୁଇ ବିଧାୟକ ପ୍ରାର୍ଥୀ ଗତକାଲି(ବୁଧବାର) ଉଭୟ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।
ଜିଲ୍ଲାର ଦୁଇ ବିଧାନସଭା ଆସନରେ ଚଳିତ ନିର୍ବାଚନ ବେଶ ଜୋରଦାର ହେବ ବୋଲି ସୂଚନା ମିଳିଛି । ପ୍ରମୁଖ ରାଜନୈତିକ ଦଳ ଶାସକ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ସରିଛି । ଏନେଇ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ମହୀଧର ରଣାଙ୍କୁ ତୃତୀୟ ଥର ପାଇଁ ପ୍ରାର୍ଥୀ କରିଥିବା ବେଳେ ବିଜେପିର ବରିଷ୍ଠ ନେତା କହ୍ନେଇ ଚରଣ ଡାଙ୍ଗ ଓ କଂଗ୍ରେସର ମନୋଜ ଆଚାର୍ଯ୍ୟ ଦଳୀୟ ଟିକେଟରେ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଜିଲ୍ଲାର ବିଧାନସଭା ଆସନରୁ ବିଜେଡି ଦଳ ବରିଷ୍ଠ ନେତା ପ୍ରଦୀପ କୁମାର ଅମାତଙ୍କୁ ନିର୍ବାଚନ ମୈଦାନକୁ ଆଣିଥିବା ବେଳେ ବିଜେପି ଦଳ ହରଭଙ୍ଗା ବ୍ଲକର ଯୁବ ନେତୃତ୍ବ ନେଉଥିବା ନେତା ସରୋଜ କୁମାର ପ୍ରଧାନଙ୍କ ଉପରେ ଭରସା କରିଛି । ସେହିପରି ଜିଲ୍ଲା କଂଗ୍ରେସର ସଭାପତି ନବ କୁମାର ମିଶ୍ରଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି ।
ଗତ ମଙ୍ଗଳବାର ଉଭୟ ବିଜେପି ଓ କଂଗ୍ରେସ ଜିଲ୍ଲାର ଦୁଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ । ଆଉ ଗତକାଲି ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଜିଲ୍ଲାର ଆରାଧ୍ୟ ଦେବୀ ମା' ଭୈରବୀଙ୍କ ମନ୍ଦିରରେ ପହଞ୍ଚି ଦେବୀଙ୍କ ଶରଣାପନ୍ନ ହୋଇଥିଲେ । ଏହାପରେ ପୁରୁଣା କଟକ ଠାରୁ ରାମଗଡ଼ ପର୍ଯ୍ୟନ୍ତ ସରୋଜ ଏକ ବିଶାଳ ଶୋଭାଯାତ୍ରାରେ ବିଜେପି ଦଳର ନେତା ଓ କର୍ମୀଙ୍କ ସହିତ ବାହାରିଥିବା ବେଳେ ବିଭିନ୍ନ ସ୍ଥାନରେ ବିଜେପି ପ୍ରାର୍ଥୀଙ୍କୁ ଶୁଭେଚ୍ଛୁ ତଥା ସାଧାରଣ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।