ଭୁବନେଶ୍ବର:ରାଜଧାନୀର ୩ଟି ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ପ୍ରଦର୍ଶନ । ନିର୍ବାଚନକୁ ଆଉ ଅଳ୍ପଦିନ ଥିବାବେଳେ ଭିନ୍ନ ଭିନ୍ନ ମୁଦ୍ଦାକୁ ନେଇ ରାଜନୈତିକ ଦଳମାନେ ନିଜ ଦଳର ପ୍ରଚାର ସହ ସଂଗଠକୁ ଦୃଢ କରିବାରେ ଲାଗିଛନ୍ତି । ସାରା ରାଜ୍ୟରେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ରାଜ୍ୟ ରାଜଧାନୀରେ ନିର୍ବାଚନୀ ତାତି ଦେଖିବାକୁ ମିଳିଛି । ଆଜି ବିଜେଡ଼ିର ୩ଟି ନିର୍ବାଚନ ମଣ୍ଡଳୀରେ ଦଳ ତାର ପ୍ରଚାର କରି ଶକ୍ତି ପ୍ରଦର୍ଶନ କରିଛି । ହେଲେ ଏକାମ୍ର ନିର୍ବାଚନୀ ମଣ୍ଡଳୀରେ ଗୋଟିଏ ଦିନରେ ଦୁଇଟି ଦଳୀୟ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ।
ଏକାମ୍ରରେ ମନ୍ତ୍ରୀ ଅଶୋକ ପଣ୍ଡା ବିରାଟ ପଟୁଆର ସହ ବିଶାଳ ମହିଳା ସମାବେଶ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ମହିଳା ନେତ୍ରୀ ଓ କର୍ମୀ ସହ ସଭା କରି ଲୋକଙ୍କ ସମର୍ଥନ ଲୋଡ଼ିଛନ୍ତି । ବର୍ତ୍ତମାନ ଅଶୋକ ପଣ୍ଡା ରାଜ୍ୟ ସରକାରଙ୍କ ମନ୍ତ୍ରୀ ହୋଇଥିବା ବେଳେ ଲୋକଙ୍କୁ ନିଜ ସପକ୍ଷରେ ଭୋଟ ମାଗିଛନ୍ତି । ଆଉ ତାଙ୍କ ପ୍ରଚାରରେ ସାମିଲ ହୋଇ ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା ।
ଅନ୍ୟପଟେ ସେହି ନିର୍ବାଚନ ମଣ୍ଡଳୀ ବା ଏକାମ୍ରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ବର୍ତ୍ତମାନର ବିଏମ୍ସି ୫୯ ୱାର୍ଡର କର୍ପୋରେଟର ବିରଞ୍ଚି ନାରାୟଣ ମହସୁପକାର । ସେ ନିଜର ଦଳୀୟ ସମର୍ଥକ ନେତା ,କର୍ମୀ ଏବଂ ଲୋକଙ୍କ ସମର୍ଥନକୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଛନ୍ତି । ଲୋକଙ୍କୁ ନିଜ ସମର୍ଥନରେ ଭୋଟ ମାଗିଛନ୍ତି । ଆଉ ତାଙ୍କ ସମର୍ଥନରେ କର୍ପୋରେଟର ଅମରେଶ ଜେନାଙ୍କ ସମେତ ବହୁ ପୂର୍ବତନ କର୍ପୋରେଟର ଯୋଗ ଦେଇ ତାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ତେବେ ଗୋଟିଏ ଦିନରେ ଏଭଳି ଦଳୀୟ କାର୍ଯ୍ୟକ୍ରମ ରୋଚକ ପରିସ୍ଥିତି ସୃଷ୍ଟି କରିଛି ।