କଟକ:ବାରବାଟୀ-କଟକ ନିର୍ବାଚନୀ ମାମଲା । ହାଇକୋର୍ଟରେ ଆବେଦନକାରୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଯୁକ୍ତି ଉପସ୍ଥାପନ ଶେଷ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ନାମାଙ୍କନ ବେଳେ ଦାଖଲ ସତ୍ୟପାଠରେ ସଂପତ୍ତି ଓ ଅପରାଧିକ ମାମଲା ସଂକ୍ରାନ୍ତରେ ଦେଇଥିବା ତଥ୍ୟ ମିଥ୍ୟା ବୋଲି ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଦର୍ଶାଯାାଇଛି । ତେବେ ଆବେଦନକାରୀଙ୍କ ଯୁକ୍ତି ଉପରେ ମାମଲାର ପ୍ରତିପକ୍ଷ ବିଧାୟକ ମହମ୍ମଦ ମୋକିମ ଉତ୍ତର ରଖିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାରେ ପ୍ରତିପକ୍ଷ ତଥା ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ଆଇନଜୀବୀ ପ୍ରଥମେ ଯୁକ୍ତି ଉପସ୍ଥାପନ କରିବେ ବୋଲି ଗତ ନଭେମ୍ବର ୮ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସମଗ୍ର ମାମଲା ଉପରେ ପ୍ରତିପକ୍ଷଙ୍କ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିବେ। ଏହା ପରେ ନିର୍ବାଚନ ମୋକଦ୍ଦମାର ଆବେଦନକାରୀ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ସମଗ୍ର ମାମଲା ଉପରେ ଉତ୍ତର ରଖାଯିବ। ଆବେଦନକାରୀଙ୍କ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିବା ପରେ ପ୍ରତିପକ୍ଷଙ୍କ ଆଇନଜୀବୀ ଚାହିଁଲେ କୋର୍ଟଙ୍କ ଅନୁମତି ପୂର୍ବକ ଯୁକ୍ତି ରଖି ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରିଥିଲେ । ଏନେଇ ନଭେମ୍ବର ୨୦ରେ ବିଧାୟକ ମହମ୍ମଦ ମୋକିମଙ୍କ ତରଫରୁ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇ ଜାନୁଆରୀ ୯ ରେ ଶେଷ ହୋଇଥିଲା। ସେହିପରି ଜାନୁଆରୀ ୧୧ରେ ଆବେଦନକାରୀ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇଥିଲା।