ବାଲେଶ୍ୱର: ଜିଲ୍ଲାରେ ସାଧାରଣ ନିର୍ବାଚନ ନେଇ ସରଗରମ ରହିଛି ରାଜନୀତି । ସଦର ନିର୍ବାଚନ ମଣ୍ଡଳୀରେ 3 ପ୍ରମୁଖ ଦଳ ସମେତ ସ୍ୱାଧୀନ ପ୍ରାର୍ଥୀ ଭାବେ ବିକ୍ରମ ପଣ୍ଡା ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ତେବେ ରଣାଙ୍ଗନାରେ ଏବେ 4 ପ୍ରାର୍ଥୀ ଥିବା ବେଳେ କିଏ କାହାର ଭୋଟ କାଟିବ, କିଏ କାହାପାଇଁ କଣ୍ଟା ହେବ ସେନେଇ ଚାଲିଛି ଅଙ୍କକଷା । ଏହାରି ଭିତରେ ବିକ୍ରମ ପଣ୍ଡା ନିଜର ନିର୍ବାଚନୀ ଇସ୍ତାହାର ବିକ୍ରମ ଗ୍ୟାରେଣ୍ଟି ବୋଲି ଉନ୍ମୋଚନ କରିଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ମଧ୍ୟ ତାଙ୍କର ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ।
ଜନସାଧାରଣଙ୍କ ନିକଟରୁ ମତାମତ ସଂଗ୍ରହ କରାଯାଇ ପ୍ରସ୍ତୁତ ହୋଇଥିବା ଭାରତୀୟ ଜନତା ପାର୍ଟିର ବିକଶିତ ବାଲେଶ୍ୱର ସଂକଳ୍ପ ପତ୍ର ଓ ମୋଦି ଗ୍ୟାରେଣ୍ଟି ଜାରି କରାଯାଇଛି । ବିଗତ ୧୦ ବର୍ଷର ମୋଦି ସରକାରଙ୍କ ବିଶ୍ୱସନୀୟତାକୁ ନେଇ ଆଗାମୀ ୫ବର୍ଷରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀକୁ ବିକଶିତ ଅଞ୍ଚଳରେ ରୂପାନ୍ତରିତ ପାଇଁ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ମାନସ ଦତ୍ତ ତାଙ୍କର ସଂକଳ୍ପ ପତ୍ରରେ ଉଲ୍ଲେଖ କରିଛନ୍ତି ।
ବାଲେଶ୍ୱର ପୌରପାଳିକାର କଳେବର ବୃଦ୍ଧି ସହ ମହାନଗର ନିଗମରେ ରୂପାନ୍ତରିତ ପାଇଁ ସହରବାସୀଙ୍କ ଦୀର୍ଘ ଦିନର ଦାବିକୁ ସମର୍ଥନ ଜଣାଇ ତାହାର ସଫଳ ରୂପାୟନରେ ପଦକ୍ଷେପ ଗ୍ରହଣ ପ୍ରମୁଖ ହେବ ବୋଲି ସେ କହିଛନ୍ତି । ସେହିପରି କୃଷକଙ୍କ ପାଇଁ ସଦର ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ମାଧ୍ୟମରେ ବ୍ୟାପକ ନିଯୁକ୍ତି ସୃଷ୍ଟି, ମହାନାଳର ପୁନଃରୁଦ୍ଧାର, ସୁବ୍ୟସ୍ଥିତ ଭେଣ୍ଡିଂ ଜୋନ ସ୍ଥାପନ, ବାସହୀନ ବସ୍ତିବାସିନ୍ଦାଙ୍କ ପାଇଁ କଲୋନୀ ନିର୍ମାଣ, ସହର ରାସ୍ତା ପ୍ରଶସ୍ତିକରଣ ସହ ଛକମାନଙ୍କରେ ଫୁଟ ଓଭର ବ୍ରିଜ ନିର୍ମାଣ, ପ୍ରସ୍ତାବିତ ରିଂ-ରୋଡ ପୂର୍ଣ୍ଣାଙ୍ଗୀକରଣ, ବୁଢାବଲଙ୍ଗ ନଦୀରେ ମେଗାଲିଫ୍ଟ ବ୍ୟାରେଜ ନିର୍ମାଣ, ଗ୍ରାମୀଣ ପର୍ଯ୍ୟଟନର ବିକାଶ କରାଯିବ ବୋଲି ମାନସ ଦତ୍ତ କହିଛନ୍ତି । ପୂର୍ବରୁ ଶାସକ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ସମ୍ପ୍ରତି ପାଣିର ଗାର ପାଲଟି ଯାଇଥିବା ବେଳେ ସେଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଜେପି ପକ୍ଷରୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।