ଭୁବନେଶ୍ବର:ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ଲାଗି ଯୁକ୍ତ ଦୁଇ ନାମଲେଖା ପାଇଁ ଆଜିଠୁ ଆବେଦନ ଆରମ୍ଭ ହୋଇଛି । ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ଶିକ୍ଷା ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନରେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । www samsodisha.gov.in ପୋର୍ଟାଲରେ ଆବେଦନ କରିହେବ ।
ରାଜ୍ୟର ମୋଟ ୨ ହଜାର ୨୨୧ଟି କଲେଜରେ ଯୁକ୍ତ ଦୁଇ ପାଇଁ ନାମଲେଖା ହେବ । ଏଥିପାଇଁ କଳାରେ ୨ ଲକ୍ଷ ୯୪ ହଜାର ୮୪୦ ସିଟ୍ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯ଟି ସିଟ୍ ରହିଛି । ସେହିପରି ଭାବରେ ବାଣିଜ୍ୟରେ ୪୦ ହଜାର ୧୦୪, ସଂସ୍କୃତରେ ୧୩ ହଜାର ୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪ ସିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ରହିଛି । ଆଡମିଶନ ସମ୍ପର୍କିତ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ ହେଲ୍ପଲାଇନ୍ ନମ୍ବର ୧୫୫୩୩୫ / ୧୮୦୦୩୪୫୬୭୭୦ରେ ଯୋଗାଯୋଗ କରିପାରିବେ ।
ସାମ୍ସ ତଥ୍ୟ ଅନୁସାରେ, ୨୦୨୩-୨୪ ଶିକ୍ଷାବର୍ଷରେ ୨୨୧୬ଟି ଯୁକ୍ତ ଦୁଇ କଲେଜ ରହିଥିଲା । କଳାରେ ୨ ଲକ୍ଷ ୯୪ ହଜାର ୬୧୯ ସିଟ ରହିଥିବା ବେଳେ ୩୩ ହଜାର ୮୯୮ ସିଟ ବଳକା ରହିଥିଲା । ସେହିପରି ଭାବରେ ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୩୩ଟି ସିଟ ରହିଥିବା ବେଳେ ୫୫ ହଜାର ୮୦ଟି ସିଟ ବଳକା ରହିଥିଲା । ବାଣିଜ୍ୟରେ ୪୦ ହଜାର ୧୦୬ଟି ସିଟ ଥିବାବେଳେ ୧୩ ହଜାର ୬୪୪ ସିଟ୍ ବଳକା ପଡିଥିଲା ।