ପାରାଦ୍ବୀପ:ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ସ୍ଥିତ ତୈଳ ରିଫାଇନାରୀ ପରିସରରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ବିଭିନ୍ନ କିସମର ପୁଷ୍ପ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ପ୍ରକାରର ଭଳିକି ଭଳି ଫୁଲ ଏହି ପ୍ରଦର୍ଶନୀରେ ଦେଖିବାକୁ ମିଳିଥିଲା । ଏପରିକି ଆମେରିକା, ଫ୍ରାନ୍ସ, ୟୁରୋପ, ଅଷ୍ଟ୍ରେଲିଆ, ଜାପାନ, ଇଣ୍ଡୋନେସିଆ, ନେପାଳ, ଶ୍ରୀଲଙ୍କା, ଲଣ୍ଡନ, ମାଲେସିଆ, ଆଦି ଦେଶର ଭଳିକି ଭଳି ପନିପରିବା ମଧ୍ୟ ପ୍ରଦର୍ଶନୀରେ ସାମିଲ କରାଯାଇଥିଲା । ପାରାଦ୍ବୀପବାସୀ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ ଜମାଇଥିଲେ । ଓଡ଼ିଶାର ଦେଶୀ ଫୁଲ ଯଥା ଯାଇ, ଜୁଇ, ମାଳତୀ, ଗେଣ୍ଡୁ , କନିଆର, ବିଭିନ୍ନ ଜାତିର ମନ୍ଦାର, ତରାଟ, ଚମ୍ପା, କାଠଚମ୍ପା, କଇଁ, ପଦ୍ମ ଆଦି ଫୁଲ ସହିତ ଅନେକ ବିଦେଶୀ ଫୁଲ ପ୍ରଦର୍ଶନୀରେ ଦେଖିବାକୁ ମିଳିଥିଲା ।
ସମ୍ପୂର୍ଣ୍ଣ ପ୍ରଦର୍ଶନୀଟି ରାତ୍ରି ସମୟରେ ରଙ୍ଗୀନ ଆଲୋକ ସଜ୍ଜାରେ ବେଶ୍ ଝଲସୁଛି । ବିଭିନ୍ନ ପ୍ରକାର ଫୁଲରେ ପିରାମିଡ୍, ଶୁଭ ଘଟ, ଫଟୋ ଉଠା ଫ୍ରେମ, ସୁନ୍ଦରୀ ନାରୀ ଓ ଡଙ୍ଗା ତିଆରି ହୋଇଥିଲା । ଏତଦ୍ ବ୍ୟତୀତ ଗେଣ୍ଡୁରେ ତିଆରି ରିକ୍ସା, ହାତୀ ସହିତ ବାଲିରେ ନିର୍ମିତ ପରିବେଶ ସଚେତନ ଧର୍ମୀ ବାଲୁକା କଳା ଓ ଶ୍ରୀ ଜଗନ୍ନାଥଙ୍କ ବାଲୁକା କଳା ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ।