ପୁରୀ:ତିରୁପତି ବାଲାଜୀଙ୍କ ମନ୍ଦିର ଲଡୁରେ ଶୁଦ୍ଧ ଘିଅ ବ୍ୟବହାର ହେଉନଥିବା ଅଭିଯୋଗ ପରେ ଶ୍ରୀମନ୍ଦିରରେ ଯାଞ୍ଚ ହେବ ଘିଅର ମାନ । ଏଥିସହ ମହାପ୍ରସାଦ ପ୍ରସ୍ତୁତି ପାଇଁ ଯାଉଥିବା ପ୍ରତ୍ୟେକ ସାମଗ୍ରୀର ମାନ ଯାଞ୍ଚ ହେବ। ଏହାକୁ ନିରୀକ୍ଷଣ କରିବା ପାଇଁ ଶ୍ରୀ ମନ୍ଦିର ପ୍ରଶାସନରେ ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ନେଇ କହିଛନ୍ତି ଆଇନମନ୍ତ୍ରୀ । ଅନ୍ୟପଟେ ଶ୍ରୀମନ୍ଦିରରେ ଶୁଦ୍ଧଘିଅ ବ୍ୟବହାର ହେଉନଥିବା ଅଭିଯୋଗ ଆଣିଛନ୍ତି ଜଣେ ବରିଷ୍ଠ ସୂପକାର ସେବକ ବୈଦ୍ୟନାଥ ମହାସୁଆର । ମହାପ୍ରସାଦ ଓ ସୁଖିଲି ଖଜା ଭୋଗ ପ୍ରସ୍ତୁତିରେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଘିଅ ବ୍ୟବହାର ହେଉଥିବା ବୈଦ୍ୟନାଥ ମହାସୁଆର କହିଛନ୍ତି । ଏହା ପରମ୍ପରା ବିରୋଧୀ । ଏହାକୁ ବନ୍ଦ କରାଯାଉ ଓ ସରକାର ଭଲ ଘିଅ ସୂପକାର ମାନଙ୍କୁ ରିହାତି ଦରରେ ଯୋଗାଇ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ଶ୍ରୀମନ୍ଦିରରେ ନିର୍ଦ୍ଧିଷ୍ଟ କମ୍ପାନୀର ଘିଅ ବ୍ୟବହାର ବନ୍ଦ ହେବା ଉଚିତ:
ବରିଷ୍ଠ ସୂପକାର ସେବକ ବୈଦ୍ୟନାଥ ମହାସୁଆର କହିଛନ୍ତି, ''ସତ କଥା କହିବାକୁ ଗଲେ ଶ୍ରୀମନ୍ଦିର କୋଠ ଭୋଗରେ ପ୍ରତିଦିନ 25 ରୁ 30 କେଜି ଓମଫେଡ ଘିଅ ବ୍ୟବହାର ହୋଇଥାଏ । ପର୍ବ ପର୍ବାଣୀରେ ଆଉ କିଛି ଘିଅ ଅଧିକ ବ୍ୟବହାର ହେଇଥାଏ । ହେଲେ ଖଜା ଭୋଗ ସହିତ ବରାଦି ମହାପ୍ରସାଦରେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଘିଅ ବ୍ୟବହାର ହେଉଛି । ଭଲ ଘିଅ ବ୍ୟବହାର ହେଲେ ଭୋଗ ଦର ଅଧିକ ହେବ, ଭକ୍ତ ମାନେ ଏହାକୁ କିଣି ପାରିବେ ନାହିଁ। ଏଣୁ ସୂପକାର ମାନେ ଭଲ ଘିଅ ରିହାତି ଦରରେ ଯୋଗାଇ ଦେବା ପାଇଁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ଏହି ସମସ୍ୟା ଦୀର୍ଘ 20 ରୁ 25 ବର୍ଷ ହେବ ହେଲାଣି । ହେଲେ ସରକାର ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ଶ୍ରୀ ମନ୍ଦିରରେ ସମ୍ପୂର୍ଣ ନିର୍ଦ୍ଦିଷ୍ଟ କମ୍ପାନୀର ଘିଅ ବ୍ୟବହାର ବନ୍ଦ ହେବା ଉଚିତ୍ । ସରକାର କମ ଦାମରେ ସୂପକାର ସେବକଙ୍କୁ ଭଲ ଘିଅ ଯୋଗାଇ ଦେବା ଉଚିତ୍। ''
ସେ ଆହୁରି ମଧ୍ୟ କହିଛନ୍ତି, ''ଖଜାକୁ ନିର୍ଦ୍ଦିଷ୍ଟ କମ୍ପାନୀ ଘିଅରେ ପ୍ରସ୍ତୁତ କରାଯାଉଛି । ପ୍ରତ୍ୟେକ ଦିନ 30 ରୁ 50 ଟିଣ ଘିଅରେ ଖଜା ପ୍ରସ୍ତୁତ କରାଯାଉଛି । ମହାପ୍ରସାଦ ପ୍ରସ୍ତୁତିରେ ନିର୍ଦ୍ଦିଷ୍ଟ କମ୍ପାନୀର ଘିଅ ବେଶୀ ବ୍ୟବହାର ହେଉନାହିଁ । ପୋଟଳ ଭାଜିବା, ଛୁଙ୍କ ଦେବା ଆଦିରେ କିଛି ମାତ୍ରାରେ ସେହୁ ଘିଅ ବ୍ୟବହାର ହେଉଛି । କିଛି ସୂପକାର ସେବକ ଡାଲି, ତରକାରୀ, ଘିଅ ଅନ୍ନରେ ଭଲ ଘିଅ ବ୍ୟବହାର କରୁଛନ୍ତି । ସମ୍ପୂର୍ଣ୍ଣ ଯେ ଭଲ ଘିଅରେ ହେଉନାହିଁ ତାହା ଠିକ୍ ନୁହେଁ । ତେଣୁ ନିର୍ଦ୍ଦିଷ୍ଟ କମ୍ପାନୀର ଘିଅ ଶ୍ରୀମନ୍ଦିରରେ ସମ୍ପୂର୍ଣ ନିଷେଧ ହେବା ଦରକାର । ଯଦି ସରକାର ରିହାତି ଦରରେ ଭଲ ଘିଅ ଦେବେ ସୂପକାର ମାନେ ଏହାକୁ କିଣି ମହାପ୍ରସାଦ ପ୍ରସ୍ତୁତି କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଶ୍ରୀମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଲାବ୍ରୋଟୋରୀ ହେବା ଦରକାର । ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ସାମଗ୍ରୀ କଡ଼ା ଯାଞ୍ଚ କରାଯାଇ ଛଡ଼ାଯିବା ଉଚିତ୍। ''