ପୁରୀ:ବିଶ୍ବାସ ଓ ମାନ୍ୟତା ରହିଛି ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କଲେ ଦିବଙ୍ଗତ ଆତ୍ମାର ସଦଗତି ହୁଏ । ଏହି ବିଶ୍ବାସ ଆଧାରରେ ହିଁ ଅନେକ ଲୋକ ନିଜ ଆତ୍ମୀୟ ସ୍ବଜନଙ୍କ ଅନ୍ତିମ ସଂସ୍କାର ସ୍ବର୍ଗଦ୍ବାରରେ କରିବାକୁ ଇଚ୍ଛା ରଖିଥାଆନ୍ତି । ତେବେ ଏହାରି ମଧ୍ୟରେ ସ୍ବର୍ଗଦ୍ବାରରେ ବଢିବାରେ ଲାଗିଛି ମୃତଦେହ ସଂଖ୍ୟା । ଗତ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ଘଟିଛି । ମାତ୍ର ଏହି ବୃଦ୍ଧି ସହ ଏବେ ଏକ ନୂଆ ସମସ୍ୟା ମଧ୍ୟ ସାମ୍ନାକୁ ଆସିଲାଣି । ମୃତଦେହ ବଢୁଥିବା ବେଳେ ସେହି ଧାରାରେ ଆବଶ୍ୟକ ପରିମାଣର କାଠ ସ୍ବର୍ଗଦ୍ବାରକୁ ଆସୁନି । ଝାଉଁ ଜଙ୍ଗଲ ପରିମାଣ ଦିନକୁ ଦିନ ହ୍ରାସ ପାଇବା ମଧ୍ୟ ଏହି କାଠ ସଙ୍କଟର ଅନ୍ୟ ଏକ ପ୍ରମୁଖ କାରଣ । ଫଳରେ ସ୍ବର୍ଗଦ୍ବାରକୁ ଆବଶ୍ୟକ ପରିମାଣର କାଠ ଯୋଗାଣରେ ଅସହାୟ ପ୍ରକାଶ କଲାଣି ବନ ବିଭାଗ ।
- ଏବେ 100 ଛୁଇଁବାକୁ ବସିଲାଣି ଦୈନିକ ଦାହ ସଂଖ୍ୟା:-
ତଥ୍ୟ ଅନୁସାରେ, ତିନି ବର୍ଷ ପୂର୍ବରୁ ପ୍ରତିଦିନ ସ୍ବର୍ଗଦ୍ବାରରେ ମୃତଦେହ ଦାହ ସଂଖ୍ୟା ସର୍ବାଧିକ ୫୦ ମଧ୍ୟରେ ସୀମିତ ରହୁଥିଲା । ଏବେ ଦୈନିକ ୭୦ରୁ ୯୦ଟି ମୃତଦେହ ଦାହ ହେଉଛି । କେବେ କେବେ ସଂଖ୍ୟା 90 ମଧ୍ୟ ପାର କରୁଛି । ଶ୍ରୀମନ୍ଦିର ରୋଷ ଓ ଅନ୍ୟାନ୍ୟ କାର୍ଯ୍ୟ ସମେତ ସ୍ବର୍ଗଦ୍ବାର ଦାହ ପ୍ରକ୍ରିୟା ପାଇଁ କାଠ ଯୋଗାଣର ଦାୟିତ୍ବ ‘ଓଡିଶା ବନ ଉନ୍ନୟନ ନିଗମ’ କାନ୍ଧରେ ନ୍ୟସ୍ତ ରହିଛି । ଏବେ ଗୋଟିଏ ଦାହ ପିଛା ପ୍ରାୟ ଏକ କୁଇଣ୍ଟାଲ ୮୦ କିଲୋଗ୍ରାମ କାଠ ଯୋଗାଇ ଦିଆଯାଉଛି । ସେହିପରି କେତେକ ଦାହରେ ଅତିରିକ୍ତ କାଠର ମଧ୍ୟ ଆବଶ୍ୟକତା ପଡୁଛି । ସେହି ହିସାବରେ ଏବେ ସ୍ବର୍ଗଦ୍ବାରରେ ଦୈନିକ ୧୨ରୁ ୧୪ଟନ୍ କାଠର ଆବଶ୍ୟକ ପଡୁଛି । ସେହି ଅନୁପାତରେ ମାସକୁ ପ୍ରାୟ ୪ ଶହ ଟନ କାଠ ଆବଶ୍ୟକ ପଡୁଥିବା ବେଳେ ସେହି ପରିମାଣର କାଠ ଯୋଗାଇବା ସମ୍ଭବ ହେଉନି ।
- ବିଦ୍ୟୁତ୍ ଚୁଲା କାର୍ଯ୍ୟକାରୀ କରିବାକୁ ଦାବି:-
ସେପଟେ ସ୍ବର୍ଗଦ୍ବାରର ଏହି କାଠ ସଙ୍କଟର ସମାଧାନ ପାଇଁ ବିକଳ୍ପ ବ୍ୟବସ୍ଥା ସହ ଦାବି ମଧ୍ୟ ସାମ୍ନାକୁ ଆସିଲାଣି । କାଠରେ ଦାହ ପରିବର୍ତ୍ତେ ବିଦ୍ୟୁତ୍ ଚୁଲା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପରିବେଶବିତ୍ ଓ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ପ୍ରସ୍ତାବ ରଖିଛନ୍ତି । ଏହା କୌଣସି ପରମ୍ପରା ବିରୋଧୀ କାର୍ଯ୍ୟ ହେବ ନାହିଁ ବରଂ ଏହା ଫଳରେ କାଠ ସମସ୍ୟା ଦୂର ହୋଇପାରିବ ବୋଲି ସେମାନେ ଯୁକ୍ତି ବାଢିଛନ୍ତି । ଅନ୍ୟପଟେ ଏପରି ବିକଳ୍ପ ପ୍ରସ୍ତାବକୁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଅସ୍ବୀକାର ମଧ୍ୟ କରିନି । ଜିଲ୍ଲାପାଳ କହିଛନ୍ତି, ଦାହ ପାଇଁ ଆସୁଥିବା ଲୋକଙ୍କ ଫିଡବ୍ୟାକ ନିଆଯାଉଛି । ଆବଶ୍ୟକ ସ୍ଥଳେ ସେହି ଆଧାରରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ମଧ୍ୟ ଏହି ବିଦ୍ୟୁତ ଚୁଲା କଥା ବିଚାର କରାଯାଇପାରେ ।
- ଦାହରେ କେବଳ ଝାଉଁ କାଠର ବ୍ୟବହାର ପରମ୍ପରା ରହିଛି...
ସ୍ବର୍ଗଦ୍ବାରରେ ମୃତଦେହ ଦାହ ପାଇଁ କେବଳ ଝାଉଁ କାଠ ବ୍ୟବହାରର ପରମ୍ପରା ରହିଆସିଛି । ତେବେ ସୂଚନା ଅନୁସାରେ ‘ଓଡିଶା ବନ ଉନ୍ନୟନ ନିଗମ’ ଅଧିନରେ ଅସ୍ତରଙ୍ଗର କାଜୁରୀନି କୂପରେ ପାଞ୍ଚ ହଜାର ଝାଉଁ ଗଛ ଥିଲା । ସେଥିମଧ୍ୟରୁ ଏବେ ଆଉ ମାତ୍ର ଦୁଇ ହଜାର ଗଛ ଅଛି । କାଜୁରୀନା କୂପରୁ ଝାଉଁ ଗଛ ପରିମାଣ ହ୍ରାସ ପାଇବା ଫଳରେ କାଠ ଯୋଗାଣ ପ୍ରଭାବିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ:- ଏଣିକି ସ୍ୱର୍ଗଦ୍ୱାରରେ ଗୋବର ଘଷିରେ ହେବ ମୃତଦେହ ଦାହ ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳି/କାଳିପୂଜା ଦ୍ୱନ୍ଦ୍ୱ: ୩୧ ନା ୧? କେଉଁ ଦିନ ପାଳିବା ଉଚିତ, ଜାଣନ୍ତୁ |
- ପରିବେଶର ସୁରକ୍ଷା ସହ ପରମ୍ପରା ଅକ୍ଷୂର୍ଣ୍ଣ ରଖିବାକୁ ପଦକ୍ଷେପ ନିଅ: ପରିବେଶବିତ