ଭୁବନେଶ୍ବର:ରାଜ୍ୟ ରାଜ୍ୟନୀତିରେ ପରିବର୍ତ୍ତନ ହୋଇଛି । ନୂଆ ସରକାର ଶପଥ ନେବାକୁ ଯାଉଛି । ସାଧାରଣ ନିର୍ବାଚନରେ ସ୍ପଷ୍ଟ ବହୁମତ ସହ ସରକାର ଗଢ଼ିବାକୁ ଯାଉଛି ବିଜେପି । ଆସନ୍ତା 10 ତାରିଖରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ । କାର୍ଯ୍ୟକ୍ରମରେ କେନ୍ଦ୍ରସ୍ତରୀୟ ବହୁ ନେତା ସାମିଲ ହେବେ । ଏନେଇ ରାଜନୈତିକ ଓ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି ।
ଜୁନ୍ 10 ତାରିଖରେ ଶପଥ ନେବେ ବିଜେପିର ମୁଖ୍ୟମନ୍ତ୍ରୀ । ଏନେଇ ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଶପଥ କାର୍ଯ୍ୟକ୍ରମ ଜନତା ମଇଦାନରେ ହେବାକୁ ଥିବାବେଳେ ଏନେଇ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ସହ ପ୍ରସ୍ତୁତି ଜୋରସୋରରେ ଚାଲିଛି । କିଏ ନୂଆ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସ୍ପଷ୍ଟ ହୋଇନଥିଲେ ବି ଆସନ୍ତା ସୋମବାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଜନତା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମଥର ପାଇଁ ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଥିବାରୁ ଶପଥ ସମାରୋହରେ ସାମିଲ ହେବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ବହୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ଏହି ସମାରୋହରେ ସାମିଲ ହେବେ ପ୍ରାୟ ଲକ୍ଷାଧିକ ଲୋକେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଶପଥ କାର୍ଯ୍ୟରେ ସାମିଲ ହେବା ପାଇଁ ଦେଶର ଶୀର୍ଷ ନେତା ଆସୁଥିବାରୁ ସେମାନଙ୍କୁ ସ୍ୱାଗତ କରିବା ପାଇଁ ବରିଷ୍ଠ ଓ ଯୁବ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଶତାଧିକ ଆଇଏଏସ, ଓଏଏସ, ଓଏଫଏସ ଓ ଓଆରଏସଙ୍କୁ ବିଭିନ୍ନ ଦାୟିତ୍ୱ ମିଳିଛି ।