ରାୟଗଡା: ନାବାଳିକା ମୃତଦେହ ଉଦ୍ଧାର ଘଟଣାର ଖୋଲିଲା ଗୁମର । କେବଳ ହତ୍ୟା ନୁହେଁ ନାବାଳିକା ସହ ହୋଇଥିଲା ଦୁଷ୍କର୍ମ । କୁକର୍ମ ଲୁଚାଇବାକୁ ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ଆଉ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଫେରାର ମାରିଥିଲା । ଶେଷରେ ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରିଛି ମୁନିଗୁଡା ପୋଲିସର ସ୍ବତନ୍ତ୍ର ଟିମ୍ । ଅଭିଯୁକ୍ତ ଜଣକ ବିହାରୀର ହରିଶ ରାମ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ମୁନିଗୁଡ଼ା ଥାନା ଅଞ୍ଚଳର ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ଗତ ମାର୍ଚ୍ଚ ୬ ତାରିଖ ରାତିରେ ଖାଇ ଶୋଇଥିଲେ । ପରଦିନ ସକାଳୁ ଘରେ ନ ଥିବା ଦେଖି ପରିବାର ଲୋକେ ଆଖପାଖ ଗ୍ରାମରେ ଖୋଜାଖୋଜି କରିଥିଲେ । ବହୁ ଖୋଜା ଖୋଜି ପରେ ମଧ୍ୟ ନାବାଳିକାଙ୍କ ସନ୍ଧାନ ପାଇନଥିଲେ । ଶେଷରେ ପରିବାର ଲୋକେ ମାର୍ଚ୍ଚ ୮ ତାରିଖ ଦିନ ମୁନିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଦୀର୍ଘ ଦିନ ପରେ ଅର୍ଥାତ ୧୭ ତାରିଖ ଦିନ ଗାଁ ନିକଟ ଜଙ୍ଗଲରେ ଏକ ମୃତଦେହ ପଡିଥିବା ଛେଳି ଚରାଇବା ପିଲାଙ୍କ ଠାରୁ ଖବରପାଇ ପରିବାର ଲୋକେ ମୃତଦେହକୁ ଚି଼ହ୍ନଟ କରିଥିଲେ ।
ଖବରପାଇ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ପୋଲିସ ଜାଣିବାକୁ ପାଇଲେ ଗାଁ ନିକଟ ପାଣିଟାଙ୍କି କାମରେ ନିୟୋଜିତ ୨୪ ବର୍ଷୀୟ ବିହାରୀ ଯୁବକ ହରିଶରାମ ଘଟଣା ଦିନଠାରୁ ଅନୁପସ୍ଥିତ ଥିଲା । ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତକୁ ଦିଲ୍ଲୀରୁ ଧରିଥିବା ପରେ ଅଭିଯୁକ୍ତ ସମସ୍ତ ଦୋଷ ସ୍ୱୀକାର କରିଥିବା ଜଣାପଡିଛି ।