କଟକ:ନେହେରୁପଲ୍ଲୀ ଦେବେନ୍ଦ୍ର ନଗରରେ ମହିଳାଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତ ମୁନା ଭୂୟାଁକୁ ଗିରଫ କଲା ସିଆରଆଇ ଥାନା ପୋଲିସ । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ପୋଲିସ ଜବତ କରିଛି । ତେବେ ଏହି ହତ୍ୟାକାଣ୍ଡକୁ ରେଡ ଫ୍ଲାଗ ମାମଲା ଭାବେ ଗ୍ରହଣ କରିବା ସହ ଏକ ମାସ ଭିତରେ ତଦନ୍ତ କରି ଚାର୍ଜସିଟ୍ ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ମୁତାବକ, ଗତ ରବିବାର ଦିନ କଟକର ସିଆରଆଇ ଥାନା ଦେବେନ୍ଦ୍ର ନଗରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭାରତୀ ସାହୁ ନାମକ ଜଣେ ମହିଳାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଅତି ବୀଭତ୍ସ ଭାବେ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା । ତେବେ କିଛି ଦିନ ପୂର୍ବରୁ ମୃତ ଭାରତୀଙ୍କ ଝିଅକୁ ଅଭିଯୁକ୍ତ ମୁନା ଦୁର୍ବ୍ୟବହାର କରିଥିଲା । ଯାହାକୁ ନେଇ ଭାରତୀ ଥାନାରେ ଅଭିଯୋଗ କରିବା ଫଳରେ ଜେଲ ଯାଇଥିଲା ମୁନା । ସେହି ରାଗରେ ମୁନା ଗତ ରବିବାର ରାତିରେ ଏହି ହତ୍ୟାକାଣ୍ଡ ଘଟାଇଥିଲା ।
ତେବେ ମୁନା ସ୍ଥାନୀୟ ଅଞ୍ଚଳର ଜଣେ ପେଶାଦାର ଅପରାଧୀ । ସେପଟେ ଅଭିଯୁକ୍ତ ମୁନାକୁ ଫାଶୀ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ମୃତ ଭାରତୀଙ୍କ ଝିଅ । ଗତକାଲି (ମଙ୍ଗଳବାର) ମୁନାକୁ ପୋଲିସ ଗିରଫ କରିଥିବା ବେଳେ ଅତିରିକ୍ତ ଡିସିପି, ଏସିପିଙ୍କ ସମେତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଏହା ଏକ ବୀଭତ୍ସ ହତ୍ୟାକାଣ୍ଡ ହୋଇଥିବାରୁ ଏହାକୁ ରେଡ ଫ୍ଲାଗ ମାମଲା ହିସାବରେ ଗ୍ରହଣ କରାଯିବ । ହତ୍ୟାକାଣ୍ଡର ଗୁରୁତ୍ବକୁ ଦେଇ ଆଇଆଇସି ଘଟଣାର ତଦନ୍ତ କରି ଏକ ମାସ ଭିତରେ ଚାର୍ଜସିଟ ପ୍ରଦାନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।