ଭୁବନେଶ୍ବର:ଦିନକୁ ଦିନ ବଢିବାରେ ଲାଗିଛି ଲୁଟ୍ପାଟ୍ ମାମଲା । ଲୁଟିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି ଲୁଟେରା । ଟଙ୍କା ଧାର ମାଗିବା ଆଳରେ କରୁଛନ୍ତି ଲୁଟ । ଗାଡି ଚାଳକଙ୍କ ବେକରୁ ସୁନାଚେନ ଲୁଟି ନେବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ତେବେ ଅଭିଯୁକ୍ତ ଜଣକ ଚନ୍ଦକା ଥାନା ଅଞ୍ଚଳର କୁକୁଡାମୁଣ୍ଡିର ସୁନିଆ ବେହେରା ବୋଲି ଜଣାପଡିଛି ।
ସୁଚନା ମୁତାବକ, ଗଞ୍ଜାମର ଭି ସ୍ବପ୍ନଶ୍ୱର ରାଜୁ ନାମକ ବ୍ୟକ୍ତି ସୋମବାର ଦିନ ଅପରାହ୍ନ ସମୟରେ କାର ନେଇ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ସେହି ସମୟରେ ମେଣ୍ଢାଶାଳ ଫାଣ୍ଡି ଅଧିନସ୍ତ କୁକୁଡ଼ାମୁଣ୍ଡି ଠାରେ ଗାଡିର ଟାୟାର ପମ୍ପଚର ହୋଇଯାଇଥିଲା । ସେ ଗାଡିରୁ ଓହ୍ଲାଇ ଟାୟାର ପରିବର୍ତ୍ତନ କରିବାକୁ ଯାଉଥିବା ବେଳେ କୁକୁଡ଼ାମୁଣ୍ଡି ଗ୍ରାମର ସୁନିଆ ବେହେରା ନାମକ ଯୁବକ ପାଖକୁ ଆସି ନିଜର ଅକ୍ଷମତା ପ୍ରକାଶ କରି ୧୦୦ଟଙ୍କା ମାଗିଥିଲେ । ବହୁ କାକୁତିମିନତି ହୋଇ କହିବାପରେ ସ୍ବପ୍ନଶ୍ୱର ପର୍ସ ବାହାର କରି ସୁନିଆକୁ ୧୦୦ ଟଙ୍କା ଦେଇଥିଲେ । ଏହି ସୁଯୋଗରେ ସ୍ୱପ୍ନସ୍ବର ବେକରେ ପକାଇଥିବା ୨୪ଗ୍ରାମ ଓଜନର ସୁନା ଚେନକୁ ଛିଣ୍ଡାଇନେଇ ସୁନିଆ ଦୌଡ଼ି ପଳାଇଯାଇଥିଲା । ଏହାପରେ ସ୍ବପ୍ନଶ୍ୱର ମେଣ୍ଢାଶାଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ୧୧୮/୨୪ କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ଏନେଇ ମଙ୍ଗଳବାର ଦିନ ପୋଲିସ ସୁନିଆକୁ ଗିରଫ କରି କୋର୍ଟଚାଲାଣ କରିବା ସହ ତାଠାରୁ ଲୁଟ ଚେନକୁ ଜବତ କରିଛି ।