ଓଡିଶା

odisha

ETV Bharat / state

ବାଲିଯାତ୍ରା ଦ୍ୱନ୍ଦ୍ୱ, ଉପର ପଡ଼ିଆରେ ବ୍ୟବସାୟ ହେବ କି ନାହିଁ ୪ରେ ନିଷ୍ପତ୍ତି

ବାଲିଯାତ୍ରା ଆୟୋଜନକୁ ସଂପୂର୍ଣ୍ଣ ଭାବେ ତଳ ପଡ଼ିଆରେ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ହାଇକୋର୍ଟ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ବୈଠକ ଡାକି ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Bali yatra 2024
Bali yatra 2024 (ETV Bharat Odisha)

By ETV Bharat Odisha Team

Published : Nov 2, 2024, 10:36 PM IST

କଟକ: ବାଲିଯାତ୍ରାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଆସିବା ପରେ ଦ୍ୱନ୍ଦ୍ୱ ଉପୁଜିଛି । ବିଶେଷ କରି ଉପର ବାଲିଯାତ୍ରା ପଡ଼ିଆରେ ଯଦି ବାଲିଯାତ୍ରା ପାଇଁ ଅନୁମତି ନମିଳେ ତେବେ କେମିତି କେବଳ ତଳ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ଟେନସନ ବଢିଯାଇଛି । ହାତରେ ଆଉ ମାତ୍ର କମ ସମୟ ଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଯେଉଁ ବ୍ୟବସାୟୀମାନେ ଉପର ପଡିଆ ପାଇଁ ବୁକିଂ କରି ସାରିଲେଣି ସେମାନେ ଯେତିକି ଚିନ୍ତାରେ ନାହାନ୍ତି, ତାହାଠାରୁ ଅଧିକ ଚିନ୍ତା ଘାରିଲାଣି ଆୟୋଜକମାନଙ୍କୁ । ଅର୍ଥାତ ଜିଲ୍ଲା ପ୍ରଶାସନ କିପରି ଏହାକୁ ମ୍ୟାନେଜ କରିବ ତାକୁ ନେଇ ଏବେ ବଡ଼ ସମସ୍ୟା ସୃଷ୍ଟି ହେଲାଣି । ବାଲିଯାତ୍ରା ତଳ ପଡିଆର ସମସ୍ତ ସ୍ଥାନରେ ବାଲିଯାତ୍ରା ଆୟୋଜନ କରିବା ସମ୍ଭବ ପର ନୁହେଁ ।

Bali yatra 2024 (ETV Bharat Odisha)

୩୪ ଏକର ଜମିରେ ବାଲିଯାତ୍ରା:

NGT ଗାଇଡ଼ଲାଇନ ଅନୁଯାୟୀ, ତଳ ପଡିଆରେ କେବଳ ୩୪ ଏକର ଜମିରେ ବାଲିଯାତ୍ରା କରାଯାଇପାରିବ । ଏହାଠାରୁ ଅଧିକ ଜମିରେ ଆୟୋଜନ ଉପରେ କଟକଣା ଲାଗୁ କରାଯାଇଛି । ଏହି କ୍ରମରେ ଉପର ପଡିଆ ବ୍ୟବସାୟୀଙ୍କୁ ତଳ ପଡିଆରେ ଥଇଥାନ କରିବା ସମ୍ଭବ ହେବ ନାହିଁ । ତଳ ପଡିଆରେ କେଉଁ ବ୍ୟବସାୟୀମାନେ ବ୍ୟବସାୟ କରିବେ ସେନେଇ ମଧ୍ୟ ସ୍ଥିର ହୋଇ ସାରିଛି ଏବଂ ବୁକିଂ ପ୍ରକ୍ରିୟା ବି ସମ୍ପୂର୍ଣ୍ଣ ଶେଷ ହୋଇ ନଥିଲେ ବି ପ୍ରାୟ ସରିବା ଉପରେ । ତେଣୁ ହାଇକୋର୍ଟଙ୍କ ପରାମର୍ଶ ବା ନିର୍ଦ୍ଦେଶକୁ ପାଳନ କରି ବାଲିଯାତ୍ରା କିପରି ଆୟୋଜନ କରାଯିବ ସେନେଇ ପ୍ରଶାସନର ଚିନ୍ତା ବଢିଗଲାଣି । ଏନେଇ ବ୍ୟବସାୟୀଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି ।

Bali Yatra 2024 (ETV Bharat Odisha)


କ'ଣ କହୁଛନ୍ତି ଉପର ପଡ଼ିଆରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରୁଥିବା ବ୍ୟବସାୟୀ!:

ଯେଉଁ ବ୍ୟବସାୟୀମାନେ ଦୀର୍ଘ ବର୍ଷ ଧରି ଉପର ବାଲିଯାତ୍ରା ପଡ଼ିଆରେ ବ୍ୟବସାୟ କରୁଛନ୍ତି, ସେମାନେ ଏଭଳି ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନିରଞ୍ଜନ ଦାସ ନାମକ ଜଣେ ବ୍ୟବସାୟୀ କହିଛନ୍ତି, "ମୁଁ ଆଜକୁ ୨୫ରୁ ୩୦ ବର୍ଷ ଧରି ଉପର ବାଲିଯାତ୍ରା ପଡ଼ିଆରେ ବ୍ୟବସାୟ କରି ଆସୁଛି । ଯେତେବେଳେ ପ୍ରଶାସନ ଲାଇଟ ବ୍ୟବସ୍ଥା କରୁ ନଥିଲା ଆମେ ଲଣ୍ଠନରେ ବ୍ୟବସାୟ କରୁଥିଲୁ । ଉପର ବାଲିଯାତ୍ରା ପଡ଼ିଆରେ ପ୍ରଥମେ ବାଲିଯାତ୍ରା ଆରମ୍ଭ ହୋଇଥିଲା । ଏହି ପରମ୍ପରା ରହି ଆସୁଛି । ମାତ୍ର ଉପର ବାଲିଯାତ୍ରା ପଡିଆରେ ଯଦି ବ୍ୟବସାୟ ପାଇଁ ଅନୁମତି ନ ମିଳିବା ତେବେ ପରମ୍ପରା ଭାଙ୍ଗିବ । ଉପର ପଡ଼ିଆରେ ପାର୍କିଂ ଵ୍ୟଵସ୍ଥା ହେଲେ କଣ ଭିଡ଼ ହେବନି ? ଲୋକେ କ'ଣ ଉଡି ଉଡି ଆସି ପାର୍କିଂ ସ୍ଥଳରେ ପହଞ୍ଚିବେ । ବାଲିଯାତ୍ରା ହେଲେ ଭିଡ଼ ହେବ । ତେଣୁ ଉପର ପଡ଼ିଆରେ ଅନୁମତି ଦିଆଯାଉ । ଆମେ ପ୍ଲଟ ବୁକିଂ କରି ସାରିଲୁଣି । ଯଦି ଉପର ପଡ଼ିଆରେ ଅନୁମତି ନ ମିଳେ ତେବେ ଆମେ ଆନ୍ଦୋଳନ କରିବୁ । ଆବଶ୍ୟକ ପଡ଼ିଲେ ବ୍ୟବସାୟ କରିବୁ ନାହିଁ ।"


୪ ତାରିଖ ଅପରାହ୍ନରେ ଚୂଡାନ୍ତ ନିଷ୍ପତ୍ତି:

ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ। ସେ କହିଛନ୍ତି,"ହାଇକୋର୍ଟ ଯେଉଁ ପରାମର୍ଶ ଦେଇଛନ୍ତି ଆମେ ତାହା ଉପରେ ସମୀକ୍ଷା କରିବୁ । ସମସ୍ତ ବିଭାଗଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ନିଷ୍ପତ୍ତି ନେବୁ । କାରଣ ପ୍ଲଟ ବୁକିଂ କାମ ପ୍ରାୟ ଅଧା ହେଲାଣି ।ତେଣୁ ସମସ୍ତ କଥାକୁ ବିଚାରକୁ ନେଇ ବୈଠକରେ ଆଲୋଚନା କରାଯିବ । ଆସନ୍ତା ୪ ତାରିଖ ଅପରାହ୍ନରେ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଏବଂ ହାଇକୋର୍ଟଙ୍କ ପରାମର୍ଶ ଅନୁଯାୟୀ କିପରି ଆୟୋଜନ କରାଯିବ ଆଲୋଚନା କରାଯିବ । ବିଶେଷକରି ଚଳିତବର୍ଷ କିପରି ଆୟୋଜନ ହେବ ସେନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ।ଯାହା ନିଷ୍ପତ୍ତି ହେବ ତାହା ହାଇକୋର୍ଟଙ୍କୁ ଅବଗତ କରାଯିବ ।"


ବାଲିଯାତ୍ରା ଆୟୋଜନ ଉପରେ କ'ଣ କହିଥିଲେ ହାଇକୋର୍ଟ:

ଉପର ବାଲିଯାତ୍ରା ପଡିଆରେ ବାଲିଯାତ୍ରା କରିବା ପରିବର୍ତ୍ତେ କେବଳ ତଳ ବାଲିଯାତ୍ରା ପଡିଆରେ ବାଲିଯାତ୍ରା କରିବା ଉପରେ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ଉପର ବାଲିଯାତ୍ରା ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । କଟକ ଜିଲ୍ଳାପାଳ ଏନେଇ ବୈଠକ ଡାକି ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଶୁଣାଣି ମଧ୍ୟରେ ଏନେଇ ବୈଠକ କରି ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ଜିଲ୍ଳାପାଳ ଏହି ବୈଠକ ଡାକିବେ । କଟକ ଡିସିପି ଏବଂ ସିଏମସି କମିଶନର ଏହି ବୈଠକରେ ଉପସ୍ଥିତ ରହିବେ ବୋଲି, କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରି ଜଷ୍ଟିସ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ ଭି ନରସିଂହଙ୍କୁ ନେଇ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।



ବାଲିଯାତ୍ରାକୁ ତଳ ପଡିଆରେ ଆୟୋଜନ କରିବାର କାରଣ କ'ଣ:

ଉପର ବାଲିଯାତ୍ରା ପଡ଼ିଆରେ ଶହ ଶହ ବର୍ଷ ଧରି ହୋଇ ଆସୁଛି ଐତିହାସିକ ବାଲିଯାତ୍ରା । କୁହାଯାଏ ଉପର ବାଲିଯାତ୍ରା ପଡ଼ିଆରେ ପ୍ରଥମେ ବାଲିଯାତ୍ରା ଆରମ୍ଭ ହୋଇଥିଲା । ୨୫ ବର୍ଷ ତଳେ ଏହି ବାଲିଯାତ୍ରା ତଳ ପଡିଆ ବା ମହାନଦୀ ପଠାକୁ ସଂପ୍ରସାରିତ କରାଯାଇଥିଲା । ମାତ୍ର ଏବେ ଏହା କେବଳ ତଳ ପଡ଼ିଆରେ ହେବା ନେଇ ଯଥେଷ୍ଟ ସମ୍ଭାବନା ସୃଷ୍ଟି କରିଛି । ଏହି ମାମଲାର ଶୁଣାଣି ସମୟରେ କୋର୍ଟଙ୍କୁ ଅବଗତ କରାଯାଇଥିଲା କି ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେଲେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ବିଶେଷକରି ଟ୍ରାଫିକ ସମସ୍ୟା ଉପୁଜୁଛି । ଏପରିକି କଟକ ବଡ଼ ମେଡିକଲକୁ ଆସୁଥିବା ଆମ୍ବୁଲାନ୍ସ ପାଇଁ ସମସ୍ୟା ଦେଖାଦେଉଛି । କେବଳ ସେତିକି ନୁହେଁ, ଉଭୟ ତଳ ଏବଂ ଉପର ପଡିଆ ମଝିରେ ଥିବା ରିଂ ରୋଡ଼ରେ ପ୍ରବଳ ଗହଳି ହେଉଛି । ଏହାଦ୍ୱାରା ଦଳାଚକଟା ଆଶଙ୍କା ବି ରହିଛି । ଓଡିଶାର ନୈବାଣିଜ୍ୟ ପରମ୍ପରା, ସଂସ୍କୃତି, ଐତିହ୍ୟ ସହ ଜଡିତ ବାଲିଯାତ୍ରାକୁ ତଳ ପଡିଆରେ କରବାକୁ ଆଡ଼ଭୋକେଟ କମିଟି ପ୍ରସ୍ତାବ ଦେଇଥିଲେ । ବିଶେଷକରି ତଳ ପଡ଼ିଆରେ ବହୁ ଜାଗା ଥିବାରୁ ପୁରା ବାଲିଯାତ୍ରାକୁ ତଳ ପଡିଆରେ ଆୟୋଜନ କରିବାକୁ କମିଟି ପ୍ରସ୍ତାବ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଏଥର ତଳ ପଡ଼ିଆରେ ବାଲିଯାତ୍ରା, ଉପରେ ପଡିଆରେ ପାର୍କିଂ ! ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଏହା ମଧ୍ୟ ପଢ଼ନ୍ତୁ...ଏଥର ଲଣ୍ଡନରେ ହେବ ବାଲିଯାତ୍ରା; ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢ଼ନ୍ତୁ...ବାଲିଯାତ୍ରାରେ ଓଡ଼ିଆ ଅସ୍ମିତା-ସିନେମା ଥିମ, ମନମୋହିବ ବଲିଉଡ ନାଇଟ୍ ଓ ଡ୍ରୋନ ସୋ'


ଏହିଦିନ ମାମଲାର ପରବର୍ତ୍ତୀ ଶୁଣାଣି:

କୋର୍ଟ ଏହି ପ୍ରସ୍ତାବକୁ ଆଧାର କରି କଟକ ଜିଲ୍ଲାପାଳ ତୁରନ୍ତ ଏକ ବୈଠକ ଡାକିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ବାଲିଯାତ୍ରା ସହ ଜଡିତ ବିଭିନ୍ନ ସଂସ୍ଥା, କଟକ ଡିସିପି, ସିଏମସି କମିଶନର ଉପସ୍ଥିତ ରହିବେ । ଏହି ବୈଠକରେ ବାଲିଯାତ୍ରାକୁ କିପରି ଉପର ପଡିଆରୁ ତଳ ପଡିଆକୁ ସ୍ଥାନାନ୍ତର କରାଯାଇପାରିବ ଏବଂ ଉପର ବାଲିଯାତ୍ରା ପଡିଆକୁ କିପରି ପାର୍କିଂ ପାଇଁ ବ୍ୟବହାର କରାଯାଇ ପାରିବ ସେନେଇ ନିଷ୍ପତ୍ତି ନେବେ । ଆସନ୍ତା ଶୁଣାଣି ମଧ୍ୟରେ କମିଟି ଏନେଇ ନିଷ୍ପତ୍ତି ନେବା ସହ ପରବର୍ତ୍ତୀ ଶୁଣାଣି ବେଳେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବାଲିଯାତ୍ରାକୁ ସଫଳ କରିବା ପାଇଁ କ'ଣ କ'ଣ ପଦକ୍ଷେପ ନିଆଯାଇଛି, ବିଶେଷକରି ଦର୍ଶକଙ୍କ ସୁବିଧା ପାଇଁ କ'ଣ କ'ଣ ପଦକ୍ଷେପ ନିଆଯାଇଛି ସେନେଇ ଆସନ୍ତା ଶୁଣାଣି ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details