ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହର ନିକଟରେ ରହିଥିବା ଗ୍ରାସୀମ କେମିକାଲ ପ୍ଳାଣ୍ଟରେ ଶୁକ୍ରବାର ଅଘଟଣ ଘଟିଛି । ଯେଉଁଥିରେ ଦୁଇ ଜଣ ଇଞ୍ଜିନିୟର ସମେତ ଛଅ ଜଣ ଆହତ ହୋଇଥିବା ବେଳେ ଏହି ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗ୍ରାସୀମ କେମିକାଲ ପ୍ଳାଣ୍ଟ ପରିସରରେ ରହିଥିବା ସଲଫରିକ୍ ଏସିଡ୍ ପ୍ଲାଣ୍ଟର ପାଇପ ଲାଇନରେ ହଠାତ୍ କାର୍ଯ୍ୟ ଚାଲିଥିଲା ବେଳେ ତାହା ଫାଟି ଯାଇଥିଲା। ଫଳରେ ଦୁଇ ଇଞ୍ଜିନିୟର ସମେତ ଛଅ ଜଣ ଆହତ ହୋଇଥିଲେ । ସୂଚନା ମୁତାବକ ଏହି ଦୁର୍ଘଟଣା ସକାଳ 9ଟା 30 ପାଖାପାଖି ହୋଇଥିଲା ।
ସେପଟେ ସଲଫରିକ୍ ଏସିଡ୍ ଆଘାତରୁ ପ୍ଳାଣ୍ଟ ପରିସରରେ କାର୍ଯ୍ୟରତ ରହିଥିବା ସୁଫରଭାଇଜର ରୋହିତ ୟାଦବ ଗୁରୁତର ଆହତ ହୋଇଥିଲେ । ତେବେ ସଲଫରିକ୍ ଏସିଡ୍ କାରଣରୁ ତାଙ୍କ ଆଖିରେ ଆଘାତ ଲାଗିଥିଲା । ତେବେ ତାଙ୍କୁ ପ୍ରଥମେ ଗଞ୍ଜାମର ରହିଥିବା ଗ୍ରାସୀମର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ ପରେ ତାଙ୍କୁ ବ୍ରହ୍ମପୁର ସହରର ଏକ ଚକ୍ଷୁ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ଏବେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସେହିପରି ଏହି ଘଟଣାରେ ଅନ୍ୟ ଦୁଇଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ସେମାନେ ହେଲେ ଇଞ୍ଜିନିୟର କେଶବ ସାହୁ ଏବଂ ଶଶିକାନ୍ତ ମହାରଣା। ସେହିପରି ଏହି ଘଟଣାରେ ଆହତ ହୋଇଥିବା ଅନ୍ୟ ତିନି ଜଣ ହେଲେ ଜି.ଅଶୋକାନ୍, ଇଞ୍ଜିନିୟର ଲକ୍ଷ୍ମୀକାନ୍ତ ନାୟକ ଓ ଶ୍ରମିକ ଠିକାଦାର ଜଗଦୀଶ ରେଡି ।