ଅନୁଗୋଳ:ନଦୀ ପାଇଁ ଚିନ୍ତା । ରାଜ୍ୟ ଓ ଦେଶରେ ନଦୀର ସ୍ଥିତିକୁ ନେଇ ଅନୁଗୋଳରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ନଦୀ ସମ୍ମିଳନୀ । ଏହି ସମ୍ମିଳନୀରେ ଜଳ ଜମି ଓ ଜଙ୍ଗଲ ଏବଂ ନଦୀ ସୁରକ୍ଷା ସହ କାମ କରୁଥିବା ଦେଶର 52ଟି ଅନୁଷ୍ଠାନ ସାମିଲ ହୋଇ ନଦୀର ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ ଓଡ଼ିଶାର ସବୁଠୁ ବଡ଼ ନଦୀ ମହାନଦୀର ସାମ୍ପ୍ରତିକ ବିପର୍ଯ୍ୟସ୍ତ ଅବସ୍ଥା ସମସ୍ତଙ୍କ ପ୍ରତି ଏକ ଆହ୍ବାନ ବୋଲି କୁହାଯାଇଥିଲା ।
ଅନୁଗୋଳରେ ଗୁରୁବାର ଦିନ ୱାଟର ଇନିସିଏଟିଭ, ଓଡ଼ିଶା ଏବଂ ଏଫ୍ଇଏସ୍ର ମିଳିତ ସହଯୋଗରେ ୪ର୍ଥ ଓଡ଼ିଶା ନଦୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଗାନ୍ଧିବାଦୀ ଓ ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି ଉଦଘାଟନ କରିଥିବା ବେଳେ ଏହି ସମ୍ମିଳନୀରେ 52ଟି ଅନୁଷ୍ଠାନ ସାମିଲ ହୋଇଥିଲେ । ଏହି ଅବସରରେ କ୍ରିଷ୍ଣା ମହାନ୍ତି କହିଥିଲେ ଯେ, ନଦୀର ଜଳାଧାର କମିଗଲେ ଜୀବନଧାରା ବି ବ୍ୟାହତ ହେବ। ଓଡ଼ିଶାର ସବୁଠୁ ବଡ଼ ନଦୀ ମହାନଦୀର ସାମ୍ପ୍ରତିକ ବିପର୍ଯ୍ୟସ୍ତ ଅବସ୍ଥା ସମସ୍ତଙ୍କ ପ୍ରତି ଏକ ଆହ୍ବାନ ବୋଲି ସେ କହିଥିଲେ ।
ଏହାମଧ୍ୟ ପଢନ୍ତୁ.. ଗୋଲମରିଚ ଚାଷ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ, କମୁଛି ଅମଳ ଚିନ୍ତାରେ କୋରାପୁଟ ଚାଷୀ - Climate Change Effect
ଏହି ସମ୍ମିଳନୀରେ ୱାଟର ଇନିସିଏଟିଭ ଓଡ଼ିଶାର ମୁଖ୍ୟ ରଂଜନ ପଣ୍ଡା, ଏଫଇଏସର ବରିଷ୍ଠ କାର୍ଯ୍ୟକର୍ତ୍ତା ସ୍ଵପ୍ନା ଷଡ଼ଙ୍ଗୀଙ୍କ ସମେତ ବିଶାଖା ଭଞ୍ଜ, ଆଇନାର ସମ୍ପାଦିକା ସ୍ନେହ ମିଶ୍ର, ମହାରାଷ୍ଟ୍ର ଜୀବିତ ନଦୀ ସଂସ୍ଥାର ଶୁଭା ସାଗର କୁଲକର୍ଷି ପ୍ରମୁଖ ସାମିଲ ହୋଇଥିଲେ । ଆଉମଧ୍ୟ ବାସୁଦେବାଜୀ, ମହାରାଷ୍ଟ୍ରର ଶୁଭା କୁଲକଣ୍ଠି, ଟିସ୍ ହାଇଦ୍ରାବାଦର ପ୍ରଫେସର ଡ. ବିଭୂ ନାୟକ ପ୍ରମୁଖ ଭାରତ ଏବଂ ନିଜ ନିଜ ରାଜ୍ୟରେ ନଦୀଗୁଡ଼ିକର ସୁରକ୍ଷା ପାଇଁ ନିଜ ଉଦ୍ୟମରେ ନିଆଯାଉଥିବା ବିବିଧ ସଫଳ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ ।
ଅନ୍ୟପଟେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଚଳିତବର୍ଷ ପ୍ରଥମ ଥର ପାଇଁ ଜଳଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ବଲପୁରର ସରୋଜଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ 'ଆଜିର ଭଗୀରଥ' ସମ୍ମାନ କନ୍ଧମାଳ ଜିଲ୍ଲାର ବୁଡ଼ନପିପଲୀ ଗୋଷ୍ଠୀ ଜଙ୍ଗଲ ସୁରକ୍ଷା କମିଟିକୁ ପ୍ରଦାନ କରାଯାଇଥିଲା । ଆଉମଧ୍ୟ ପ୍ରଥମ ଜାତୀୟ ସ୍ତରୀୟ ୟୁଥ ଫର ୱାଟର ‘ଜଳ ଓ ପରିବେଶ ପ୍ରଭାବ’ ସମ୍ମାନ ଅନୁଗୋଳର ଉର୍ମିଳା ବେହେରାଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବାର ଆଉ ଏକ ପଦକ୍ଷେପ ସ୍ଵରୂପ ‘ପ୍ଲାଷ୍ଟିକମୁକ୍ତ ସବୁଜ ପିକନିକ୍ ପୁରସ୍କାର’ ଜାତୀୟ ସ୍ତରରେ ୩ଟି ରାଜ୍ୟ ଯଥାକ୍ରମେ ତାମିଲନାଡୁ, ଗୁଜରାଟ ଓ ଓଡ଼ିଶାକୁ ମିଳିଥିଲା ।
ଇଟିଭି ଭାରତ, ଅନୁଗୋଳ