ବଲାଙ୍ଗୀର: ସ୍ୱପ୍ନର ପ୍ରକଳ୍ପ ‘ଲୋୟର ସୁକତେଲ’ ଉଦଘାଟନକୁ ଦୀର୍ଘ ସାତ ମାସ ବିତିଲାଣି । ମାତ୍ର ନାହିଁନଥିବା ମସସ୍ୟା ମଧ୍ୟରେ ଅସ୍ଥାୟୀ ଥଇଥାନ କେନ୍ଦ୍ରରେ କାଳତିପାତ କରୁଛନ୍ତି ପ୍ରକଳ୍ପ ପାଇଁ ନିଜ ଭିଟାମାଟି ହରାଇ ବିସ୍ଥାପିତ ହୋଇଥିବା ବଂଛୋର ପାଳି ଗ୍ରାମର 32ଟି ଭୂମିହୀନ ପରିବାର । ଏମାନଙ୍କ କଥା ଯେପରି ପ୍ରଶାସନ ଓ ସରକାର ଭୁଲିଯାଇଛି । ଟିଣ ସିଟ୍ସ ଅସ୍ଥାୟୀ ଥଇଥାନ କ୍ୟାମ୍ପରେ ଅତି ଅସହାୟ ଭାବରେ ଏମାନେ ଦୁର୍ଦ୍ଦିନରେ କାଳତିପାତ କରୁଥିବା ବେଳେ, ପ୍ରଶାସନ ଓ ସରକାରଙ୍କଠାରୁ ମିଳିଛି କେବଳ ମାତ୍ର ପ୍ରତିଶୃତି ।
- ଦୁର୍ଦ୍ଦିନରେ ବଂଛୋର ପାଳିର 32 ପରିବାର:-
ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ‘ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ’ ଚଳିତବର୍ଷ ଜାନୁୟାରୀ 3 ତାରିଖରେ ଉଦ୍ଘାଟିତ ହୋଇଥିଲା । ଏହାକୁ ଇତିମଧ୍ୟରେ ସାତ ମାସ ବିତି ସାରିଲାଣି । ସେପଟେ ଗତ ଶ୍ରାବଣରୁ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଏକ ଗାଁର ଭୂମିହୀନ ପାରିବାର ଏପର୍ଯ୍ୟନ୍ତ ଥଇଥାନ ହୋଇପାରି ନାହାନ୍ତି । ସେମାନଙ୍କୁ ଗତବର୍ଷ ଜୁଲାଇ ମାସରେ ପ୍ରକଳ୍ପ ପାଇଁ ରାତାରାତି ସ୍ଥାନାନ୍ତର କରାଯାଇଥିଲା । ଯେଉଁଥିରେ ପ୍ରକଳ୍ପରେ ସମ୍ପୂର୍ଣ ବୁଡିଥିବା ଅଞ୍ଚଳ ମଧ୍ୟରେ ଥିବା ବଂଛୋର ପାଳି ଗ୍ରାମବାସୀ ମଧ୍ୟ ଥିଲେ । ସେମାନଙ୍କୁ ଅସ୍ଥାୟୀ କ୍ୟାମ୍ପରେ ରଖାଯାଇଥିବା ବେଳେ ଶୀଘ୍ର ଥଇଥାନର ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଏହା ମଧ୍ୟରେ ବର୍ଷେ ବିତିଛି । ଥଇଥାନ ଆଶାରେ ଏବେ ବି ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ବଂଛୋର ପାଳି ଗ୍ରାମର ଏହି 32 ପରିବାର ।
- ଟିଣ ସିଟ୍ସ ଅସ୍ଥାୟୀ କ୍ୟାମ୍ପରେ ବିତୁଛି ଜୀବନ
ଟିଣ ସିଟରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଥଇଥାନ ଶିବିର କଥା ନକହିବା ଭଲ । ପିଇବା ପାଣିଠାରୁ ନେଇ ସବୁ ସମସ୍ୟାରେ ଜର୍ଜରିତ ହେଉଛନ୍ତି ବିସ୍ଥାପିତ । ପ୍ରଶାସନିକ ଅଧିକାରୀ, ନେତା ଓ ମନ୍ତ୍ରୀ ସମସ୍ତେ ଆସି ଥଇଥାନର କଥା କହୁଥିଲେ ସୁଦ୍ଦା ତାହା ଏମାନଙ୍କ ପାଇଁ ଯେପରି ପାଣିର ଗାର ପାଳିଟିଛି ।ବଂଛୋର ପାଳିର ଜଣେ ବ୍ୟକ୍ତି ମଧୁ ପଟଣିଆ କହିଛନ୍ତି ଯେ,‘‘ଦିନ ଥିଲା ଆମେ ଆମ ଗାଆଁରେ ସ ପରିବାର ହସ ଖୁସିରେ ରହୁଥିଲୁ । ବାଡ଼ି, ବଗିଚା ଓ କ୍ଷେତରେ ଚାଷ କରି ନିଜ ଘରେ ରହି ଆସୁଥିଲୁ । ହେଲେ ପ୍ରକଳ୍ପ ପାଇଁ ଆମକୁ ରାତାରାତି ସେଠାରୁ ତଡି ଦିଆଯାଇଥିଲା । ସେଠୁ ଆଣି ଏଠି ଟିଣ ଘରେ ରଖା ଯାଇଥିଲା। ଆମକୁ ଘର ଜମି ସହ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଥିଲା । ଯାହା ପାଇଁ ଆମେ ଛାତିରେ ପଥର ରଖି ଗାଁ ମାଟି ଘରଦ୍ୱାର ଛାଡିଥିଲୁ । ହେଲେ ଶ୍ରାବଣ ଯାଇ ପୁଣି ଶ୍ରାବଣ ଆସି ବର୍ଷେ ବିତିଥିଲେ ସୁଦ୍ଧା ଆମକୁ କିଛି ମିଳିଲା ନାହିଁ । ଆମେ ଏଠି ଅତି ଅସହାୟ ଅବସ୍ଥାରେ ମାଛି ମଶା ଓ ଗରମରେ ରହୁଥିବା ବେଳେ କେହି ଆମ ଦୁଃଖ ଦେଖିବାକୁ ମଧ୍ୟ ଆସୁ ନାହାନ୍ତି । "
ସମାନ ଭାବରେ ଏହି ଗ୍ରାମର ଆଉ ଜଣେ ବାସିନ୍ଦା ସୁଭାଷ ଚିନ୍ଦା କହିଛନ୍ତି ଯେ ‘‘ଗତ ଶ୍ରାବଣରେ ଆମକୁ ସେଠାରୁ ବିସ୍ଥାପିତ କରା ଯାଇଥିଲା । ସେଠି ଆମର ଘର, ଦ୍ୱାର, କ୍ଷେତ ଓ ବାଡି ସବୁ ଥିଲା । ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଦୁଇ ପଇସା ରୋଜଗାର ହେଉଥିଲା । ହେଲେ ସେଠୁ ରାତାରାତି ଆଣି ଏଠି ଟିଣ ଡବା ଘରେ ରଖି ଆମକୁ ସମସ୍ତେ ଭୁଲି ଯାଇଛନ୍ତି । ଏଠି ପିଇବା କିମ୍ବା ଗାଧୋଇବା ପାଇଁ ପାଣି ନାହିଁ । ଅନ୍ୟ ଗାଁକୁ ଗଲେ ଯାଇ ସେଠି ପାଣି ମିଳୁଛି ।’’
- କ୍ଷେତ ବାଡି ସହ ଜୀବିକା ମଧ୍ୟ ହରାଇଲେ 29 ଖଣ୍ ଗ୍ରାମବାସୀ :-