କଳାହାଣ୍ଡିରେ ପିକଅପ ଭ୍ୟାନ ଦୁର୍ଘଟଣା; ପୁଣି ୪ ଜଣଙ୍କ ମୃତ୍ୟୁ ଭବାନୀପାଟଣା: ଗତକାଲି କଳାହାଣ୍ଡିରେ ସନ୍ଧ୍ୟା ସମୟରେ ଓଲଟିଯାଇଥିଲା ପିକଅପ୍ ଭ୍ୟାନ । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ରୁ ଉର୍ଦ୍ଧ୍ବ ଗୁରୁତର ଭାବରେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ହେଲେ ଆଜି ପୁଣି ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗତକାଲି ଧର୍ମଗଡ ଏବଂ ଜୁନାଗଡ଼ ହସ୍ପିଟାଲରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି l ମୃତକ ମାନେ ହେଲେ ମୋହନ ବିଶ୍ବାଳ, ମଞ୍ଜୁଲତା ବିଶ୍ବାଳ, ପ୍ରମିଳା ଚଲାନ ଏବଂ ସୁକାନ୍ତି ମାଝୀ ।
ଗତକାଲି ଧର୍ମଗଡ ହସ୍ପିଟାଲରେ ମୋହନଙ୍କ ମୃତ୍ୟୁ ହୋଇଥିବା ବେଳେ ଜୁନାଗଡ଼ ହସ୍ପିଟାଲରେ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାରେ ଚିକିତ୍ସାଧୀନ ହେଉଥିବା ପ୍ରମିଳା ଚଲାନଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟପୂର୍ଣ୍ଣ ହୋଇଥିବା ବେଳେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ଯିବା ସମୟରେ ଅଧା ବାଟରେ ବଲାଙ୍ଗୀର ନିକଟରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସାଧୀନ ଥିବା ସୁକାନ୍ତି ମାଝୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l
ଏହା ମଧ୍ୟ ପଢନ୍ତୁ ...ଭାରସାମ୍ୟ ହରାଇ କାରକୁ ଧକ୍କା ଦେଲା ଯାତ୍ରୀବାହୀ ବସ, 30ରୁ ଊର୍ଦ୍ଧ୍ବ ଆହତ
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଆଁଟି ଗାଁର ପ୍ରାୟ ୫୦ ଜଣ ଶ୍ରମିକ ଗୋଲାମୁଣ୍ଡା ଥାନା ବୋରଗୁଡାକୁ ଧାନ ରୋଇବା ପାଇଁ ଯାଇଥିଲେ । ସେଠୁ କାମ ସାରି ଘରକୁ ଫେରିବା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡକରୀପଡା ନିକଟରେ ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ମିଚାଗାଁର ମୋହନ ବିଶ୍ବାଳ ଓ ମଞ୍ଜୁଲତା ବିଶ୍ବାଳଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିଲେ । ଖବର ପାଇଁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଉଦ୍ଧାର କରିବା ସହ ପୋଲିସ ଓ ଓଡ୍ରାଫ୍ ଟିମକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ମେଡିକାଲ ଟିମ୍, ପୋଲିସ ଓ ଓଡ୍ରାଫ ଟିମ୍ ପହଞ୍ଚି ସମସ୍ତ ଗୁରୁତର ମାନଙ୍କୁ ଉଦ୍ଧାର କରି ଧର୍ମଗଡ , ଜୁନାଗଡ଼ ଓ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ୧୦ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି ।
ଏହା ମଧ୍ୟ ପଢନ୍ତୁ ...ଝାରସୁଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: 4 ମୃତ, 9 ଗୁରୁତର
ସେପଟେ ଖବର ପାଇ ଭବାନୀପାଟଣା ମେଡିକାଲରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହ ଦୁର୍ଘଟଣାରେ ପୀଡିତଙ୍କ ପରିବାର ଓ ମେଡିକାଲ ଟିମ୍ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିବା ବେଳେ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି