ରାଉରକେଲା: ହେମଗିରିରେ ବଡ଼ ଧରଣର ଗୁଳିକାଣ୍ଡ । ଏହାସହ ବୋମାମାଡ଼ ହୋଇଥିବା ନେଇ ସୂଚନା ରହିଛି । ହେମଗିରି ଅଞ୍ଚଳରେ ବର୍ତ୍ତମାନ ଚାପା ଉତ୍ତେଜନା ଦେଖାଦେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗ୍ୟାଙ୍ଗ ୱାର ଦେଖିବାକୁ ମିଳିଛି । ବ୍ୟାପକ ଗୁଳିଚାଳନା ସହ ବ୍ୟାପକ ବୋମାମାଡ଼ ହୋଇଛି । ସୂଚନା ଅନୁସାରେ, ଗତକାଲି (ଗୁରୁବାର) ରାତିରେ ହେମଗିରି ଥାନା ଗର୍ଜନବାହାଲ ଅଞ୍ଚଳରେ କୋଲ୍ ୱାସେରି ମାଲିକାନାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସୀମାନ୍ତ ଛତିଶଗଡ଼, ରାଇଘର ଓ ସୁନ୍ଦରଗଡ଼ର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ସହ ଖଣ୍ଡା ବୁଲିଥିଲା । ଏହାସହ ବହୁ ରାଉଣ୍ଡ ଗୁଳିଚାଳନା ହୋଇଥିବା ସୂଚନା ମିଳିଛି । ଏପରିକି କୋଲ ୱାସେରୀ ପ୍ଲାଣ୍ଟରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି । ଘଣ୍ଟାଏ ଧରି ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ ଓ ଗୁଳିଚାଳନା କରିବାରୁ ଅନେକ ଯୁବକ ଆହତ ଏବଂ ଗୁରୁତର ମଧ୍ୟ ହୋଇଛନ୍ତି ।
ସୂଚନା ଅନୁସାରେ, ପ୍ରାୟ ୧୦ ରୁ ୧୨ ଆହତଙ୍କୁ ଛତିଶଗଡ଼ ରାଇଘର ଡାକ୍ତରଖାନା ନିଆଯାଇଛି । ଜଣକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ହେଉଛନ୍ତି ଭବାନୀପୁରର ମଣ୍ଟୁ ତୋଲାନି (୩୭) । ସୂଚନା ମୁତାବକ, କୋଲ୍ ୱାସେରୀର ମାଲିକାନାକୁ ନେଇ ବହୁ ବର୍ଷ ଧରି ରାଇଘରର ଦୁଇ ମାଲିକଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା । ଜଣେ ମାଲିକ କୋଲ୍ ୱାସେରୀରେ ତାଲା ପକାଇ ଦେଇଥିବାବେଳେ ଅନ୍ୟ ଜଣେ ଏହାକୁ ଖୋଲିବାକୁ ଉଦ୍ୟମ କରିଥିଲେ । ଗୁରୁବାର ରାତିରେ ଦୁଇ ଗୋଷ୍ଠୀ ୱାସେରୀରେ ସାମ୍ନାସାମ୍ନି ହୋଇଥିଲେ । କଥା କଟାକଟି, ପାଟିତୁଣ୍ଡରୁ ମାରପିଟ୍ ଆଡ଼କୁ କଥା ଯାଇଥିଲା । ଲୁହା ରଡ୍, ବାଡ଼ିରେ ଆକ୍ରମଣ ସହ ବହୁ ମାତ୍ରାରେ ଗୁଳିଚାଳନା, ବୋମା ମାଡ଼ ଓ ଅଫିସ ଭଙ୍ଗାରୁଜା ଆଦି ହୋଇଥିଲା ।