ଓଡିଶା

odisha

ETV Bharat / state

ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ବରଗଡରେ 12 ଘଣ୍ଟିଆ ବନ୍ଦ ପାଳନ - BARGARH BANDH

ନ୍ୟାୟ ଦାବିରେ 12 ଘଣ୍ଟା ବନ୍ଦ ରହିଲା ବରଗଡ ସହର । ବିଜେଡି ଓ କଂଗ୍ରେସ ସହ ସାମିଲ ହେଲେ ବିଭିନ୍ନ ଛାମୁଆ ସଂଗଠନ । ଏବେ ସୁଦ୍ଧା 5 ଅଭିଯୁକ୍ତ ଗିରଫ ସୂଚନା

ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ବରଗଡରେ 12 ଘଣ୍ଟିଆ ବନ୍ଦ ପାଳନ
ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ବରଗଡରେ 12 ଘଣ୍ଟିଆ ବନ୍ଦ ପାଳନ (ETV Bharat Odisha)

By ETV Bharat Odisha Team

Published : Jan 21, 2025, 9:38 PM IST

ବରଗଡ଼:ଧନୁଯାତ୍ରା ଦେଖିବାକୁ ଆସି ଯୁବତୀ ନିଖୋଜ ହେବା ଓ ପରବର୍ତ୍ତୀ ସମୟରେ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେବା ଘଟଣାରେ ଆଜି ବରଗଡରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଜିଲ୍ଲା ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ଜିଲ୍ଲାର ପ୍ରାୟ ସମସ୍ତ ଛାମୁଆ ସଂଗଠନମାନେ ସାମିଲ ହୋଇଥିଲେ । ଆଜି (ମଙ୍ଗଳବାର) ସକାଳ 6 ଘଟିକାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ବରଗଡ଼ ସହର ସମ୍ପୂର୍ଣ ବନ୍ଦ ରହିଥିଲା l ସମସ୍ତ ଜରୁରିକାଳୀନ ସେବା ସମେତ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ଓ ବିବାହ ବ୍ରତ ପାଇଁ ଯାଉଥିବା ବ୍ୟକ୍ତିବିଶେଷଙ୍କୁ ବାଧା ନଦେବା ପାଇଁ ଆନ୍ଦୋଳନକାରୀଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା ।

  • ପାଳନ ହେଲା 12 ଘଣ୍ଟିଆ ବନ୍ଦ

ଶାସକ ଦଳ ‘ବିଜେପି’ ବ୍ୟତୀତ ବରଗଡ଼ର ଏକାଧିକ ସକ୍ରିୟ ସଂଗଠନ ଏକତ୍ରିତ ହୋଇ 12 ଘଣ୍ଟିଆ ବନ୍ଦରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ଦଳର ଆଗଧାଡିର ନେତା ଓ କର୍ମୀଙ୍କ ସହିତ ବିଜେଡି ଦଳର ଆଗଧାଡିର ନେତା ଓ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ l

ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ବରଗଡରେ 12 ଘଣ୍ଟିଆ ବନ୍ଦ ପାଳନ (ETV Bharat Odisha)
  • ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିଲେ ଯୁବତୀ

ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ଯୁବତୀ ନିଖୋଜ ହେବା ଓ ପରେ ଗୁରୁତର ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର ହେବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ମାମଲାରେ ଏପର୍ଯ୍ୟନ୍ତ ପୋଲିସ 5 ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ସୁଦ୍ଧା ଆଉ କେଉଁମାନେ ଏଥିରେ ସମ୍ପୃକ୍ତ ଓ ଏପରି ବର୍ବରକାଣ୍ଡର ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ହୋଇପାରିନି । ପୀଡିତା ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ତେଣୁ ପୀଡିତାଙ୍କୁ ନ୍ୟାୟ ଦାବିରେ ଏହି ବନ୍ଦ ପାଳନ କରାଯାଇଥିଲା ବୋଲି ବନ୍ଦ ଡାକରା ଦେଇଥିବା ସଂଗଠନର ସଦସ୍ୟମାନେ କହିଥିଲେ ।

ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ବରଗଡରେ 12 ଘଣ୍ଟିଆ ବନ୍ଦ ପାଳନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

ବରଗଡ଼ ଜଙ୍ଗଲରୁ ଉଦ୍ଧାର ଯୁବତୀଙ୍କ ସହ ହୋଇନି ଦୁଷ୍କର୍ମ, ସ୍ପଷ୍ଟ କଲେ ଡାକ୍ତର

ଧନୁଯାତ୍ରାରୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ! ଗୁରୁତର ଅବସ୍ଥାରେ ଜଙ୍ଗଲରୁ ଯୁବତୀ ଉଦ୍ଧାର

  • ସାମିଲ ହେଲେ ଜିଲ୍ଲାର ବିଭିନ୍ନ ସଂଗଠନ

ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ଯଥା ବରଗଡ଼ ବ୍ୟବସାୟୀ ସଙ୍ଘ, ବରଗଡ଼ ହାଟପଦା ପନିପରିବା ବ୍ୟବସାୟୀ ସଙ୍ଘ, ବରଗଡ଼ ଦୁର୍ଗା ମନ୍ଦିର କମିଟି, ଭୀମ ଆର୍ମୀ, ସମତା ସୈନିକ ଦଳ, ଆମ୍ବେଦକର ଯୁବକ ସଙ୍ଘ, ସଂଯୁକ୍ତ କୃଷକ ସଂଗଠନ, ଅଭିଭାବକ ମହାସଙ୍ଘ, ସମ୍ବିଧାନ ସୁରକ୍ଷା ମଞ୍ଚ ବରଗଡ଼, ବିର୍ସା ମୁଣ୍ଡା ସଂଘର୍ଷ ବାହିନୀ ପ୍ରମୁଖ ବନ୍ଦରେ ସହଯୋଗ କରିଥିଲେ । ବରଗଡ଼ ସହରର ଗାନ୍ଧୀ ଛକ, ବରାହଗୁଡା ଛକ, ହଳଦୀପାଳି ଛକ, ବସଷ୍ଟାଣ୍ଡ ଆଦି ଅଞ୍ଚଳରେ ଆନ୍ଦୋଳନକାରୀମାନେ ନାରାବାଜୀ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ କରିଥିଲେ । ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରଖିଥିଲେ ଆନ୍ଦୋଳନକାରୀ l ସହରରେ ସାଧାରଣ ଜୀବନଯାତ୍ରା ପ୍ରାୟତଃ ପ୍ରବାଭିତ ହୋଇଥିଲା । କେଉଁଟି ହିଂସା ଦେଖିବାକୁ ମିଳିନି ।

ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ବରଗଡରେ 12 ଘଣ୍ଟିଆ ବନ୍ଦ ପାଳନ (ETV Bharat Odisha)
  • ପୋଲିସ କବଜାରେ 5 ଅଭିଯୁକ୍ତ :

ଘଟଣାକୁ 9 ଦିନ ବିତିଛି । ପ୍ରଥମେ 3 ଜଣ ଓ ଆଜି ଆଉ ଦୁଇଜଣଙ୍କୁ ମିଶାଇ ମୋଟ 5 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପୀଡିତାଙ୍କ ପରିବାର ଲୋକେ ସନ୍ଦେହ କରୁଥିବା ମୁଖ୍ୟ ଆସାମୀକୁ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ରୁ ଗିରଫ କରିବାରେ ସଫଳ ହୋଇଥିବା ପୋଲିସ ସୂଚନା ଦେଇଛି । ଏମାନଙ୍କ ବ୍ୟତୀତ ଆଉ କେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି, ଆଉ କେହି ମୁଖ୍ୟ ଅଭିଯୁକ୍ତ ଅଛନ୍ତି କି ନାହିଁ ତାହା ତଦନ୍ତକ୍ରମେ ପୋଲିସ ସ୍ପଷ୍ଟ କରିବ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details