ଓଡିଶା

odisha

ରାଜନୀତିରେ ପାଦ ଦେବେ ଭିନେଶ ଫୋଗାଟ; ଭଉଣୀଙ୍କ ବିରୋଧରେ ଲଢିବେ ନିର୍ବାଚନ ! - Vinesh Phogat may join Politics

By ETV Bharat Sports Team

Published : Aug 20, 2024, 4:51 PM IST

Vinesh Phogat can join politics : ରାଜନୀତିରେ ପାଦ ଥାପିବେ ଷ୍ଟାର ରେସଲର ଭିନେଶ ଫୋଗାଟ ! ବିଜେପିରେ ଥିବା ନିଜ ସମ୍ପର୍କୀୟ ଭଉଣୀ ବବିତା ଫୋଗାଟଙ୍କ ବିରୋଧରେ ଲଢ଼ିପାରନ୍ତି ନିର୍ବାଚନ । ଅଧିକ ପଢ଼ନ୍ତୁ

Vinesh Phogat
Vinesh Phogat (IANS Photo)

ନୂଆଦିଲ୍ଲୀ : ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ଓ ସେଠାରୁ ଫେରିବା ପରେ ତାଙ୍କୁ ମିଳିଥିବା ଭବ୍ୟ ସ୍ବାଗତ ପାଇଁ ସେ ଏବେ ପୁରା ଦେଶରେ ଖୁବ ଚର୍ଚ୍ଚାରେ । ଏବେ ଆଉ ଏକ ଚର୍ଚ୍ଚା ତାଙ୍କୁ ଖବର ଶିରୋନାମାକୁ ଆଣିଛି । ଆଗକୁ ଆସୁଥିବା ହରିୟାଣା ବିଧାନସଭା ନିର୍ବାଚନରେ ସମ୍ଭବତଃ ଭିନେଶ ​​ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି । ତାଙ୍କ ନିକଟତମ ଲୋକମାନେ ମଙ୍ଗଳବାର IANSକୁ ଏହି ସୂଚନା ଦେଇଛନ୍ତି । ଯଦିଓ ସକ୍ରିୟ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଭିନେଶ ପୂର୍ବରୁ କହିଥିଲେ, ହେଲେ ସଦ୍ୟତମ ଖବର ଅନୁଯାୟୀ କିଛି ରାଜନୈତିକ ଦଳ ତାଙ୍କୁ ମନାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ରାଜନୀତିରେ ପ୍ରବେଶ କରିବେ ଭିନେଶ :-

ଷ୍ଟାର ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସ 2024ରେ ମହିଳା ଫ୍ରିଷ୍ଟାଇଲ 50 କିଲୋଗ୍ରାମ ଇଭେଣ୍ଟରେ ଫାଇନାଲ୍‌ରେ ପହଞ୍ଚି ସାରା ଦେଶର ଧ୍ୟାନ ଆକର୍ଷିତ କରିଥିଲେ । ହେଲେ ଫାଇନାଲ ମ୍ୟାଚ୍‌ ପୂର୍ବରୁ ତାଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଯାହା ତାଙ୍କୁ ସାରା ବିଶ୍ବରେ ଖବର ଶିରୋନାମାକୁ ଆଣିଥିଲା । ସ୍ବର୍ଣ୍ଣ ପଦକ ପାଖରେ ପହଞ୍ଚି ପଦକ ହରାଇଥିଲେ ଭିନେଶ । ତେବେ ବର୍ତ୍ତମାନ ଖବର ଆସୁଛି ଯେ ପ୍ୟାରିସରୁ ନିରାଶ ହୋଇ ଫେରିଥିବା କୁସ୍ତିଯୋଦ୍ଧା ଆଗାମୀ ହରିୟାଣା ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି ।

ସମ୍ପର୍କୀୟ ଭଉଣୀଙ୍କ ବିରୋଧରେ ଲଢ଼ିପାରନ୍ତି ନିର୍ବାଚନ :-

ଯଦି ରାଜନୀତି ମୈଦାନକୁ ଭିନେଶ ଫୋଗାଟ ଓହ୍ଲାନ୍ତି, ତେବେ ସେ କେଉଁ ଦଳରେ ଯୋଗଦେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତଥାପି, ଯେତେବେଳେ ଷ୍ଟାର ରେସଲରଙ୍କ ଭବିଷ୍ୟତ ଯୋଜନା ବିଷୟରେ ପଚରାଗଲା, ତାଙ୍କ ପରିବାରର ଜଣେ ଖାସ ଲୋକ ଖବର ସରୋବରାହ ସଂସ୍ଥା IANSକୁ ଏହାର ଉତ୍ତରରେ କହିଛନ୍ତି, "ହଁ, କାହିଁକି ନୁହେଁ ? ହରିୟାଣା ବିଧାନସଭାରେ ଭିନେଶ ଫୋଗାଟ ବନାମ ବବିତା ଫୋଗାଟ ଏବଂ ବଜରଙ୍ଗ ପୁନିଆ ବନାମ ଯୋଗେଶ୍ବର ଦତ୍ତଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିପାରେ ।" ପ୍ରକାଶ ଥାଉ, ଭିନେଶ ପ୍ୟାରିସରୁ ଫେରି ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ବହୁ ସଂଖ୍ୟାରେ ଏକାଠି ହୋଇଥିବା ତାଙ୍କ ପ୍ରଶଂସକ, ପରିବାର ଏବଂ ବନ୍ଧୁମାନେ ତାଙ୍କୁ ସ୍ବାଗତ କରିଥିଲେ । ଅହେତୁକ ସମର୍ଥନ ଏବଂ ପ୍ରେମ କୁସ୍ତି ଆଇକନକୁ ଭାବବିହ୍ବଳ କରିଥିଲା । ସେଠାରେ କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡ୍ଡା ମଧ୍ୟ ଉପସ୍ଥିତ ଥିଲେ ।

ଭାବୁକ ହେଲେ ଭିନେଶ :-

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଭିନେଶଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ଏହି ସମୟରେ ସେ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଦେଶବାସୀଙ୍କ ଭଲ ପାଇବା ଦେଖି ସେ କୋହ ସମ୍ଭାଳି ପାରିନଥିଲେ । ପଦକ ନପାଇ ଖାଲି ହାତରେ ଫେରିବା ସତ୍ତ୍ବେ ଦେଶବାସୀଙ୍କର ଏତେ ସମର୍ଥନ ପାଇ ସେ କାନ୍ଦି ପକାଇଥିଲେ । ସେ କହିଥିଲେ, "ଆମର ଲଢ଼େଇ ଶେଷ ହୋଇନାହିଁ ଏବଂ ସଂଗ୍ରାମ ଜାରି ରହିବ ଏବଂ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ସତ୍ୟର ହିଁ ବିଜୟ ହେଉ ।"

ହରିୟାଣାରେ ମିଳିଥିଲା ଭବ୍ୟ ସ୍ବାଗତ :-

ଶନିବାର ଦିନ ହରିୟାଣାର ଚରଖି ଦାଦ୍ରିସ୍ଥିତ ତାଙ୍କ ଗାଁ ବଲାଲିରେ ଭିନେଶଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହରିୟାଣାରେ ଭିନେଶଙ୍କ ନିଜ ଗାଁ ପର୍ଯ୍ୟନ୍ତ ଶହ ଶହ ପ୍ରଶଂସକ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ଭିନେଶଙ୍କୁ ତାଙ୍କ ଘରକୁ ପାଛୋଟି ନେଇଥିଲେ । ରାସ୍ତାରେ ଅନେକ ସ୍ଥାନରେ ଲୋକେ ଭିନେଶଙ୍କୁ ଅଟକାଇ ସମ୍ମାନିତ କରାଯାଉଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଭିନେଶ ଫୋଗାଟଙ୍କୁ ମିଳିଲା ଗୋଲ୍ଡ ମେଡାଲ; ଶୁଭେଚ୍ଛା ଜଣାଇଲେ ଗ୍ରାମବାସୀ - Vinesh Phogat Gets Gold Medal

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details