ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସ 2024ର ସପ୍ତମ ଦିନ ଭାରତ ପାଇଁ ଏକ ମିଶ୍ରିତ ଫଳାଫଳର ଦିନ ଥିଲା । କିନ୍ତୁ ଭାରତୀୟ ଷ୍ଟାର ଶୁଟର ମନୁ ଭାକର ମହିଳା 25 ମିଟର ପିସ୍ତଲ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ । ଏହା ସହିତ ଭାରତୀୟ ହକି ଦଳ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଯାହା ଅଲିମ୍ପିକ୍ସରେ ଭାରତର 52 ବର୍ଷର ପରାଜୟ ଧାରା ଭାଙ୍ଗିଛି । ତେବେ ଆଜି (3 ଅଗଷ୍ଟ), ଅର୍ଥାତ ପ୍ୟାରିସ ଅଲିମ୍ପିକ୍ସ 2024ର 8ମ ଦିନରେ ଭାରତକୁ ମିଳିପାରେ ପ୍ରଥମ ଗୋଲ୍ଡ ମେଡାଲ । ଏହି ଗୋଟିଏ ସଂସ୍କରଣରେ ଭାରତକୁ ଦୁଇ ଦୁଇଟି ବ୍ରୋଞ୍ଜ ମେଡାଲ ଦେଇଥିବା ମନୁ ଭାକର ଆଜି ଆଉ ଏକ ମେଡାଲ ଲକ୍ଷ୍ୟରେ ଫାଇନାଲ ମ୍ୟାଚ୍ ଖେଳିବେ । ତେବେ ଆଉ କେଉଁ କେଉଁ ଇଭେଣ୍ଟରେ ଆଜି ଭାରତର ଆଥଲେଟ୍ ଓହ୍ଲାଇବେ, ଏଠାରେ ନଜର ପକାନ୍ତୁ...
3 ଅଗଷ୍ଟ (ଶନିବାର) ଖେଳାଯିବାକୁ ଥିବା ଭାରତୀୟ ଖେଳାଳିଙ୍କ କ୍ରୀଡ଼ାସୂଚୀ:-
ଗଲ୍ଫ: ଭାରତ ପାଇଁ ତୃତୀୟ ରାଉଣ୍ଡ ଗଲ୍ଫ ମ୍ୟାଚ୍ ପୁରୁଷ ବ୍ୟକ୍ତିଗତ ଷ୍ଟୋକ୍-ପ୍ଲେ ରାଉଣ୍ଡ 3ରେ ଶୁଭଙ୍କର ଶର୍ମା ଏବଂ ଗଗନଜିତ୍ ଭୁଲାର ମୈଦାନକୁ ଓହ୍ଲାଇବେ । ବିଶ୍ବର 173 ମାନ୍ୟତା ପ୍ରାପ୍ତ ଶୁଭଙ୍କର 17ଟି ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି, ସେଥିମଧ୍ୟରୁ ସେ 14ରେ ସଫଳ ହୋଇଛନ୍ତି । ତେଣୁ ତାଙ୍କଠାରୁ ଦେଶବାସୀ ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି । ଅନ୍ୟପଟେ ବିଶ୍ବର 295 ମାନ୍ୟତାପ୍ରାପ୍ତ ଗଗନଜିତ କେବଳ ଗତ ଦୁଇ ବର୍ଷ ମଧ୍ୟରେ ଇଭେଣ୍ଟରେ ଭାଗ ନେଇଛନ୍ତି । ତେଣୁ ସେ କିଛି ଚମତ୍କାର କରିବାକୁ ନିଶ୍ଚୟ ଚେଷ୍ଟା କରିବେ ।
- ପୁରୁଷ ବ୍ୟକ୍ତିଗତ ଷ୍ଟୋକ୍-ପ୍ଲେ ରାଉଣ୍ଡ 3 - (ଶୁଭଙ୍କର ଶର୍ମା ଏବଂ ଗଗନଜିତ୍ ଭୁଲାର) - ଦିନ 12:30
ଶୁଟିଂ: ଭାରତ ଅଷ୍ଟମ ଦିନର ଅଭିଯାନ ଶୁଟିଂ ଇଭେଣ୍ଟରୁ ଆରମ୍ଭ କରିବ । ପଦକ ଜିତିବା ଆଶାରେ ମନୁ ଭାକର ମହିଳା 25 ମିଟର ପିସ୍ତଲ ଫାଇନାଲରେ ମୈଦାନକୁ ଓହ୍ଲାଇବେ । ଏହା ସହିତ ପୁରୁଷ ବର୍ଗରେ ସ୍କିଟ୍ ଫାଇନାଲ ପାଇଁ ମ୍ୟାଚ୍ ଖେଳାଯିବ । ଯଦି ଭାରତର ଅନନ୍ତ ଏହି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରନ୍ତି, ତେବେ ସେ ଭାରତ ପାଇଁ ପଦକ ଦାବିଦାର ରହିବେ । ଭାରତ ପାଇଁ ସ୍କିଟ୍ ମହିଳା ଯୋଗ୍ୟତା ପର୍ଯ୍ୟାୟ ପ୍ରଥମ ଦିନରେ ରାଇଜା ଢିଲନ୍ ଏବଂ ମହେଶ୍ବରୀ ଚୌହାନଙ୍କୁ ଦେଖିବାକୁ ମିଳିବ । ସ୍କିଟ୍ ପୁରୁଷ ଯୋଗ୍ୟତା ଦ୍ବିତୀୟ ଦିନରେ ଭାରତର ଅନନ୍ତ ଜିତ ସିଂହ ନାରୁକା ମୈଦାନକୁ ଓହ୍ଲାଇବେ ।
- ସ୍କିଟ ମହିଳା ଯୋଗ୍ୟତା ପର୍ଯ୍ୟାୟ Day-1 (ରାଇଜା ଢିଲନ୍ ଏବଂ ମହେଶ୍ବରୀ ଚୌହାନ) - ଦିନ 12:30
- ସ୍କିଟ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ Day-2 (ଅନନ୍ତ ଜିତ ସିଂହ ନାରୁକା) - ଦିନ 1
- ମହିଳା 25 ମିଟର ପିସ୍ତଲ ଫାଇନାଲ (ମନୁ ଭାକର) - ଦିନ 1
- ସ୍କିଟ ପୁରୁଷ ଫାଇନାଲ - ସନ୍ଧ୍ୟା 7ଟା