ପାଲ୍ଲେକେଲ (ଶ୍ରୀଲଙ୍କା):ଆଜି ଶ୍ରୀଲଙ୍କା ବିପକ୍ଷରେ ଟି20 ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । 3 ମ୍ୟାଚ୍ ବିଶିଷ୍ଟ ଟି20 ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଲଙ୍କା ଅଧିନାୟକ ଚରିଥ ଅସଲଙ୍କା । ଅର୍ଥାତ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଥିବା ଭାରତୀୟ ଦଳ ଆଜି ପ୍ରଥମେ ବ୍ୟାଟିଂ କରିବ । ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ମହମ୍ମଦ ସିରାଜଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କର ପ୍ରତ୍ୟାବର୍ତ୍ତନ ହୋଇଥିବାବେଳେ ଗିଲ୍, ଜୈସ୍ବାଲ, ରିଙ୍କୁ ସିଂ ଓ ରିୟାନ ପରାଗଙ୍କ ଭଳି ଯୁବ ଖେଳାଳିଙ୍କୁ ମଧ୍ୟ ମିଳିଛି ସ୍ଥାନ ।
ଯୁବ ଖେଳାଳିଙ୍କ କାନ୍ଧରେ ଭାର:-
ବର୍ତ୍ତମାନ ଦଳରେ ପ୍ରାୟ ଯୁବ ଖେଳାଳି ରହିଛନ୍ତି । ଶୁବମନ ଗିଲ ଓ ଜୈସ୍ବାଲ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଛନ୍ତି । ଏହି ଯୁବ ତାରକାଙ୍କ ପ୍ରଦର୍ଶନ ଉପରେ ଦଳୀୟ ସ୍କୋର ନିର୍ଭରଶୀଳ । ସେହିପରି ସୂର୍ଯ୍ୟ ଟି20ରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଅଧିନାୟକ ଦାୟିତ୍ବରେ ରହିଥିବାରୁ ସାମାନ୍ୟ ଚାପରେ ରହିପାରନ୍ତି । ସେହିପରି ମିଡିଲ ଅଡରରେ ରିଙ୍କୁ ସିଂ ଓ ପାଣ୍ଡ୍ୟାଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ । ପେସ ବୋଲିଂ ବିଭାଗ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜଙ୍କ ନେତୃତ୍ବରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି । ସେହିଭଳି ଅଭିଜ୍ଞ ଅକ୍ଷର ପଟେଲଙ୍କୁ ସ୍ପିନ୍ ବିଭାଗରେ ଯୁବ ଅଲରାଉଣ୍ଡର ରବି ବିଷ୍ଣୋଇଙ୍କର ଭରପୁର ସାଥ ମିଳିବ ବୋଲି ଆଶା ।