ଓଡିଶା

odisha

ETV Bharat / sports

IPL ଅକ୍ସନରେ RTM କାର୍ଡ କ'ଣ ? କେମିତି ବ୍ୟବହାର କରିବେ ଫ୍ରାଞ୍ଚାଇଜ ? ଜାଣନ୍ତୁ,

IPL Mini Auction, Mega Auction and RTM : ଆଇପିଏଲ୍‌ ମିନି ଆଉ ମେଗା ଅକ୍ସନ କଣ ? ଅକ୍ସନ ପୂର୍ବରୁ ଚର୍ଚ୍ଚା ହେଉଥିବା RTM କାର୍ଡର ବ୍ୟବାହାର କ'ଣ ? ଜାଣନ୍ତୁ,

By ETV Bharat Sports Team

Published : 4 hours ago

RTM Card and Mega Auction in IPL
RTM Card and Mega Auction in IPL (ETV Bharat Odisha)

ହାଇଦ୍ରାବାଦ : ଆଇପିଏଲ୍‌ 2025 ପାଇଁ ଏବେଠାରୁ ଆରମ୍ଭ ହେଲାଣି କାଉଣ୍ଟ-ଡାଉନ । ଏଥର ମେଗା ଅକ୍ସନ ସମ୍ଭବତଃ ଡିସେମ୍ବର ମାସରେ ଅନୁଷ୍ଠିତ ହେବ । ମେଗା ଅକ୍ସନ କାରଣରୁ ବିଭିନ୍ନ ଦଳରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହା ପୂର୍ବରୁ ବିସିସିଆଇ ଆଇପିଏଲ୍‌ 2025 ଅକ୍ସନ ପାଇଁ ଏକାଧିକ ନିୟମ ଘୋଷଣା କରିଛି । ଯାହା ମଧ୍ୟରେ ଏକ ବଡ଼ ନିୟମ ହେଉଛି ଅକ୍ସନ ପୂର୍ବରୁ ଫ୍ରାଞ୍ଚାଇଜଗୁଡ଼ିକ ନିଜ ନିଜ ଦଳରେ ସର୍ବାଧିକ 6 ଖେଳାଳି ରିଟେନ କରିପାରିବେ ବା RTM କାର୍ଡର ବ୍ୟବହାର କରିପାରିବେ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ମେଗା ଅକ୍ସନ କ'ଣ ? ଏଥିରେ ଫ୍ରାଞ୍ଚାଇଜ ଗୁଡ଼ିକ ବ୍ୟବହାର କରିବାକୁ ଯାଉଥିବା RTM କାର୍ଡ କ'ଣ ? ତେବେ ଏଠାରେ ଆଇପିଏଲ୍‌ ମେଗା ଅକ୍ସନ, ଏଥିରେ RTM କାର୍ଡ ଓ ଏହାର ବ୍ୟବହାର ବିଷୟରେ ଜାଣନ୍ତୁ,

IPL ମେଗା ଅକ୍ସନ କ'ଣ ? :-

ଆଇପିଏଲ୍‌ ହେଉଛି ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ପ୍ରିମିୟର ଲିଗ୍‌ । ଶହ ଶହ କୋଟି ଟଙ୍କା ବ୍ୟୟରେ ବିସିସିଆଇ ଏହାର ଆୟୋଜନ କରୁଥିବାରୁ ଏହାକୁ ବିଶ୍ବର ସବୁଠାରୁ ଦାମୀ ଲିଗ୍‌ ବୋଲି ମଧ୍ୟ କୁହାଯାଏ । ତେବେ ପ୍ରତିବର୍ଷ ଆଇପିଏଲ୍‌ ପୂର୍ବରୁ ଖେଳାଳି ନିଲାମ ପ୍ରକ୍ରିୟା ବା ଆଇପିଏଲ୍‌ ଅକ୍ସନ ଆୟୋଜନ କରାଯାଏ । ସାଧାରଣତଃ ଦୁଇ କ୍ରମାଗତ ବର୍ଷ ମନି-ଅକ୍ସନ ପରେ ଗୋଟିଏ ବର୍ଷ ମେଗା ଅକ୍ସନ ଆୟୋଜନ ହୋଇଥାଏ । ମିନି-ଅକ୍ସନରେ ଫ୍ରାଞ୍ଚାଇଜଗୁଡ଼ିକୁ ସେମାନଙ୍କ ଖେଳାଳି ରିଟେନ କରିବାର ସମସ୍ତ ଅଧିକାର ଦିଆଯାଏ । ଅର୍ଥାତ ଏଥିରେ ଖେଳାଳି ରିଟେନ କରିବାରେ କୌଣସି ପ୍ରତିବନ୍ଧକ ନଥାଏ । ହେଲେ ମେଗା ଅକ୍ସନରେ ପୂର୍ବରୁ ଫ୍ରାଞ୍ଚାଇଜ ଗୁଡ଼ିକୁ ସର୍ବାଧିକ 5 ଖେଳାଳିଙ୍କୁ ରିଟେନ କରିବାକୁ ପଡ଼ିଥାଏ । ଏଥର ଏହି ସଂଖ୍ୟା '6' କୁ ବୃଦ୍ଧି କରାଯାଇଛି । ଅଥବା ଦଳ ଗୁଡ଼ିକ RTM କାର୍ଡ ବ୍ୟବହାର କରିପାରିବେ ।

RTM କାର୍ଡ କ'ଣ ? :-

ଏହି ସମୟ ମଧ୍ୟରେ ଯେତେବେଳେ ଆଇପିଏଲ୍‌ ଏତେ ଚର୍ଚ୍ଚାରେ ରହିଛି, କ୍ରିକେଟପ୍ରେମୀଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି 'RTM', ଯଦିଓ ଏହା ବିଷୟରେ ବହୁତ କମ ଜାଣିଛନ୍ତି । RTM ହେଉଛି Right-To-Match (ରାଇଟ-ଟୁ-ମ୍ୟାଚ୍‌) କାର୍ଡ । 2014 ଆଇପିଏଲ୍‌ ମେଗା ଅକ୍ସନ ପୂର୍ବରୁ ଏହି କାର୍ଡ ନିୟମ ଆଣିଥିଲା BCCI । ଏହି କାର୍ଡ ଆଇପିଏଲ୍‌ର ଏକ ଫ୍ରାଞ୍ଚାଇଜ୍କୁ ପୂର୍ବ ସିଜିନରେ ଏହାର ଜଣେ ଖେଳାଳିଙ୍କୁ କିଣିବାକୁ ଅନୁମତି ଦେଇଥାଏ । ମେଗା ଅକ୍ସନରେ ପ୍ଲେୟର ବିକ୍ରି ହୋଇଥିବା ମୂଲ୍ୟ ସହିତ ମେଳ ଖୁଆଇ ଗୋଟିଏ ଫ୍ରାଞ୍ଚାଇଜ୍ ଏହାର ପୁରୁଣା ଖେଳାଳିଙ୍କୁ କିଣି ପାରିବ ।

RTM କାର୍ଡ କିପରି ବ୍ୟବହାର ହୁଏ ? :-

ମେଗା ଅକ୍ସନରେ ଫ୍ରାଞ୍ଚାଇଜ ଗୁଡ଼ିକ ଏହାର ସମସ୍ତ ପ୍ରମୁଖ ଖେଳାଳିମାନଙ୍କୁ ରିଟେନ କରି ରଖିପାରନ୍ତି ନାହିଁ । ତେଣୁ ଟିମ୍‌ ପାଖରେ ବଳକା ଥିବା ଟଙ୍କା ଅନୁଯାୟୀ ସେମାନେ RTM କାର୍ଡର ବ୍ୟବହାର କରିଥାନ୍ତି ସେମାନଙ୍କ ପୁରୁଣା ଖେଳାଳିଙ୍କୁ ଅନ୍ୟଦଳଠାରୁ ଫେରାଇ ଆଣିବା ପାଇଁ । ଯଦି ଜଣେ ଖେଳାଳି ଗୋଟିଏ ଟିମ୍‌ରୁ ରିଲିଜ ହେବାପରେ ଅକ୍ସନରେ ତାଙ୍କୁ ଅନ୍ୟ ଦଳ କିଣୁଥାଏ, ତେବେ RTM କାର୍ଡ ବ୍ୟବହାର କରି ସେହି ଦଳ ସମାନ ଟଙ୍କା ଖର୍ଚ୍ଚ କରି ଏହାର ପୁରୁଣା ଖେଳାଳିଙ୍କୁ ନିଜ ଦଳକୁ ଫେରାଇ ଆଣିବାରେ ସଫଳ ହେବ । ଏହି ରଣନୀତି ଦଳଗୁଡ଼ିକ ପାଇଁ ବେଶ ଲାଭଦାୟକ ହୋଇପାରେ । ପୁରୁଣା ୱିନିଂ କମ୍ବିନେସନ୍‌ ବଜାୟ ରଖିବାକୁ ଚାହୁଁଥିବା ଦଳ RTM କାର୍ଡର ସଠିକ ବ୍ୟବହାର କରି ନିଜ ପୁରୁଣା ଖେଳାଳିଙ୍କୁ ପୁଣି ନିଜ ଦଳକୁ ଆଣିପାରିବ ।

ଉଦାହରଣ ସହ ଜାଣନ୍ତୁ :-

ଉଦାହରଣ ସ୍ବରୂପ, ଯଦି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍‌ 2025 ମେଗା ଅକ୍ସନ ପୂର୍ବରୁ ବିରାଟ କୋହଲି, ମହମ୍ମଦ ସିରାଜ, ରଜତ ପଟିଦାର ଓ କାମେରନ ଗ୍ରୀନ ଏଭଳି 4 ଖେଳାଳିଙ୍କୁ ରିଟେନ୍‌ କରେ, ତେବେ ଏହି ଫ୍ରାଞ୍ଚାଇଜକୁ ମେଗା ଅକ୍ସନ ପାଇଁ 2ଟି RTM କାର୍ଡ ମିଳିବ । ଗତ ସଂସ୍କରଣରେ ଦଳ ପାଇଁ ୱିଲ ଜ୍ୟାକ୍ସ ଓ ୟଶ ଦୟାଲ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଥିଲେ । ଯଦି ମେଗା ଅକ୍ସନରେ ୱିଲ ଜ୍ୟାକ୍ସଙ୍କୁ ଅନ୍ୟ କୌଣସି ଦଳ 4 କୋଟି ଟଙ୍କାରେ କିଣେ, ତେବେ ଏହି ସମୟରେ ଆର୍‌ସିବି RTM କାର୍ଡ ବ୍ୟବହାର କରି ସେହି 4 କୋଟି ଟଙ୍କାରେ ୱିଲ ଜ୍ୟାକ୍ସଙ୍କୁ ପୁଣି ନିଜ ଦଳରେ ସାମିଲ କରିପାରିବ ।

ପ୍ରକାଶ ଯୋଗ୍ୟ, 2014ରୁ ଆରମ୍ଭ ହୋଇଥିବା ଏହି RTM କାର୍ଡ ନିୟମ ଗତ (2022) ମେଗା ଅକ୍ସନରେ ବ୍ୟବହାର ହୋଇନଥିଲା । 2022 ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଗୁଜରାଟ ଟାଇଟନ୍ସ ଭଳି ଦୁଇଟି ନୂଆ ଦଳ ଆଇପିଏଲ୍‌ରେ ଭାଗ ନେଉଥିବାରୁ ଏଥିରେ RTM ବ୍ୟବହାର ହୋଇନଥିଲା । ଏହାକୁ ପୁଣିଥରେ ଆଇପିଏଲ୍‌ 2025 ଅକ୍ସନ ପୂର୍ବରୁ ପୁନଃ-ଲାଗୁ କରାଯାଇଛି । ଏହାପରେ 2026 ଓ 27 ଆଇପିଏଲ୍‌ ପୂର୍ବରୁ ମିନି-ଅକ୍ସନ ଅନୁଷ୍ଠିତ ହେବ । 2028ରେ ପୁଣିଥରେ ମେଗା ଅକ୍ସନ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details