କଟକ: ଆରମ୍ଭ ହେଲା ୭୧ତମ ଜାତୀୟ ପୁରୁଷ କବାଡି ପ୍ରତିଯୋଗିତା । ଚିତ୍ତାକର୍ଷକ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗତକାଲି (ଗୁରୁବାର) କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ପୁରୁଷ ଜାତୀୟ କବାଡି ପ୍ରତିଯୋଗିତା ଉଦଘାଟିତ ହୋଇଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ମେଗା ପ୍ରତିଯୋଗିତା ଆୟୋଜନ କରାଯାଇଛି । ଦେଶର ୩୦ଟି ରାଜ୍ୟରୁ ୩୩ଟି ଦଳର ପ୍ରାୟ ୫ ଶହରୁ ଊର୍ଦ୍ଧ୍ବ ଖେଳାଳି ଏବଂ ଅଫିସିଆଲ ଯୋଗ ଦେଇଛନ୍ତି । ସେପଟେ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ ବିଶିଷ୍ଟ ବଲିଉଡ୍ ତାରକା ଶଶିକାନ୍ତ ପୋଡୁୱାଲ ।
ଜାତୀୟ ପୁରୁଷ କବାଡି ପ୍ରତିଯୋଗିତା:
ଭାରତୀୟ କବାଡି ଫେଡେରେସନ ଅନୁମୋଦନ କ୍ରମେ ଓଡ଼ିଶା କବାଡି ଆସୋସିଏସନ୍ ଏହି ପ୍ରତିଯୋଗିତା ଆୟୋଜନ କରିଛି । ଉଦଘାଟନ ଉତ୍ସବରେ ଏକ ସ୍ବତନ୍ତ୍ର ମାର୍ଚ୍ଚ ପାଷ୍ଟ ବାଲିଯାତ୍ରା ପଡ଼ିଆରୁ ବାହାରି ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିଥିଲା । ସାଂସଦ ଭର୍ତ୍ତୃହରି ମହତାବ ଆନୁଷ୍ଠାନିକ ଭାବରେ ଏହି ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ । ଏହା ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ବହୁ ଜାତୀୟ ଓ ଆନ୍ତର୍ଜାତିକ କବାଡି ଖେଳାଳି ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି ।
'ଖେଳାଳି ଚୟନ ମୁଖ୍ୟ ଲକ୍ଷ୍ୟ':
ଏନେଇ ଭାରତୀୟ କବାଡି ସଂଘ ସମ୍ପାଦକ ଜିତେନ୍ଦ୍ର ସିଂ ଠାକୁର କହିଛନ୍ତି," ଓଡ଼ିଶା କବାଡି ଆସୋସିଏସନ୍ ଦ୍ବାରା କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ପୁରୁଷ ଜାତୀୟ କବାଡି ପ୍ରତିଯୋଗିତା ଆରମ୍ଭ ହୋଇଛି । ଏହିର ମୁଖ୍ୟ ଲକ୍ଷ୍ୟ ଭାରତୀୟ କବାଡ଼ି ଟିମ ପାଇଁ ଖେଳାଳି ଚୟନ କରିବା । ଆଗାମୀ ଦିନରେ ଅଲମ୍ପିକରେ କବାଡିକୁ କିପରି ସ୍ଥାନ ଦିଆଯିବ ସେନେଇ ଆମର ଲକ୍ଷ୍ୟ ରହିଛି । "