କେନ୍ଦ୍ରାପଡା:ଦମ ଦେଖାଇଲା କଂଗ୍ରେସ । ଗତକାଲି(ଶନିବାର) କେନ୍ଦ୍ରାପଡା ସହରରେ ଏକ ବିଶାଳ ବାଇକ ଶୋଭାଯାତ୍ରା କରି ନିଜର ଉପସ୍ଥିତି ଜାହିର କରିଛି ଦଳ । ଦଳର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପ ଦାସ, କେନ୍ଦ୍ରାପଡା ବିଧାୟିକା ପ୍ରାର୍ଥୀ ସିପ୍ରା ମଲ୍ଲିକ, ସଂସଦୀୟ କ୍ଷେତ୍ରର ଦୁଇ ବିଧାନସଭା ଆସନ ଆଳି ଓ ରାଜନଗରର ବିଧାୟକ ପ୍ରାର୍ଥୀ ଡା.ଦେବସ୍ମିତା ଶର୍ମା ଓ ଅଶୋକ ପ୍ରତିହାରୀ ସହରରେ ରୋଡ ସୋ’ କରିବା ସହ ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସରକାର ଓ ଶାସକ ଦଳକୁ ଟାର୍ଗେଟ କରିବା ସହ ଜିଲ୍ଲାର ବିଭିନ୍ନ ମୌଳିକ ସମସ୍ୟା ଓ ଏହାର ସମାଧାନ ଦିଗରେ ସେମାନଙ୍କର ଥିବା ଲକ୍ଷ୍ୟ ସମ୍ପର୍କରେ କହିଥିଲେ ।
ଗତକାଲି (ଶନିବାର) ଅପରାହ୍ନରେ କଂଗ୍ରେସର ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପ କେନ୍ଦ୍ରାପଡାର ଦୁହୁରିଆରେ ପହଞ୍ଚିବା ପରେ ସେଠାରୁ କଂଗ୍ରେସର ପାଟକୁରା, କେନ୍ଦ୍ରାପଡା, ଆଳି ଓ ରାଜନଗର ବିଧାୟକ ପ୍ରାର୍ଥୀମାନେ ନିଜର ସମର୍ଥକଙ୍କ ସହ ଯୋଗଦେଇ ଶୋଭାଯାତ୍ରାକୁ ଇଚ୍ଛାପୁର ସ୍ଥିତ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଆଳି କଂଗ୍ରେସ ପ୍ରାର୍ଥୀନୀ ଡା.ଦେବସ୍ମିତା ଶର୍ମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଳିରେ ବାଲି ମାଫିଆ, ଜମି ମାଫିଆ ଓ ମଦ ମାଫିଆଙ୍କ ବିରୋଧରେ ଲଢ଼ିବା ପାଇଁ ତାଙ୍କ ନିକଟରେ ଅର୍ଥବଳ ନଥିଲେ ସୁଦ୍ଧା ଲୋକମାନଙ୍କ ଭଲପାଇବା ବହୁତ ଅଛି ବୋଲି କହିଛନ୍ତି । ଜେଜେବାପା ତଥା ଆଳିର ପୂର୍ବତନ ବିଧାୟକ ଓ ଜଣାଶୁଣା ଡାକ୍ତର ସ୍ବର୍ଗତଃ ଦିବାକରନାଥ ଶର୍ମାଙ୍କର ପ୍ରେରଣାରେ ସେ ମଧ୍ୟ ଡାକ୍ତରୀ ବୃତ୍ତି ଛାଡି ସେବା ମନୋବୃତି ସହ ରାଜନୀତିକୁ ଆସିଥିବା କହିଥିଲେ ଦେବସ୍ମିତା ।
ସେହିପରି ସାଂସଦ ପ୍ରାର୍ଥୀ ଭାବେ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ସିଦ୍ଧାର୍ଥ ସ୍ୱରୂପ ଦାଶ ନିଜ ପ୍ରତିକ୍ରିୟାରେ କେନ୍ଦ୍ରାପଡା ଜିଲ୍ଲାର ଦୂରାବସ୍ଥା ବଖାଣିବା ସହ ଏଠାରୁ ଦୁଇ ଦଳର ପ୍ରାର୍ଥୀ ହୋଇଥିବା ଦୁଇଜଣ ସାଂସଦଙ୍କୁ ୨୦୧୯ ନିର୍ବାଚନରେ ଯଥାକ୍ରମେ ରାଜନଗର ଓ କେନ୍ଦ୍ରାପଡା ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିଥିଲେ । ତେବେ ବିଜେଡି ଦଳରେ ଦୀର୍ଘ ବର୍ଷ ଧରି କାମ କରି ୨୦୦୯-୧୪ ପର୍ଯ୍ୟନ୍ତ କେନ୍ଦ୍ରାପଡା ବିଧାୟିକା ରହିଥିବା ସିପ୍ରା ମଲ୍ଲିକ ଚଳିତ ସପ୍ତାହରେ ବିଜେଡି ଛାଡି କଂଗ୍ରେସ ଦଳର ଯୋଗ ଦେଇଥିଲେ । ଏବେ କଂଗ୍ରେସ ତାଙ୍କୁ କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ପ୍ରାର୍ଥିତ୍ବ ଘୋଷଣା ପରେ ସିପ୍ରାଙ୍କ କଂଗ୍ରେସ ନେତୃତ୍ବଙ୍କୁ ଧନ୍ୟବାଦ ଦେଇଥିଲେ । ତାଙ୍କ ବାପା ପ୍ରହ୍ଲାଦ ମଲ୍ଲିକ କଂଗ୍ରେସରେ ଥିବା କାରଣରୁ ଏହା ତାଙ୍କ କ୍ଷେତ୍ରରେ ଘରବାହୁଡା ବୋଲି ସିପ୍ରା କହିବା ବିପୁଳ ବ୍ୟବଧାନରେ ବିଜୟୀ ହେବାର ଆଶା ଥିବା ମଧ୍ୟ କହିଥିଲେ ।