ଶୀତ ଋତୁ ଆସିଲେ ଓଠ ଫାଟିବା ଆରମ୍ଭ ହୁଏ । ଅନେକଙ୍କ ଓଠ ଫାଟିବା ସହ କଳା ପଡିବା ଏବଂ ରକ୍ତସ୍ରାବ ହେବାର ଦେଖାଯାଏ । ସେହି ସମୟରେ ଉପଯୁକ୍ତ ଯତ୍ନର ଅଭାବ ଓ କିଛି ଭୁଲ୍ ଅଭ୍ୟାସ ଓଠ ସମସ୍ୟାକୁ ଆହୁରି ବଢାଇଦିଏ । ଯାହାକି କେବଳ ଯନ୍ତ୍ରଣାଦାୟକ ହୋଇନଥାଏ, ବରଂ ମୁହଁର ସୌନ୍ଦର୍ଯ୍ୟକୁ ମଧ୍ୟ ମିଳନ କରେ । ତେଣୁ ଶୀତ ଦିନେ ଶରୀର ସହ ଓଠର ଯତ୍ନ ନେବା ଜରୁରୀ ହୋଇପଡେ ।
ଉତ୍ତରାଖଣ୍ଡର ଚର୍ମରୋଗ ବିଶେଷଜ୍ଞ ଡାକ୍ତ ଆଶା ସକଲାନୀ କହିଛନ୍ତି, ଓଠର ଚର୍ମ ଅତ୍ୟନ୍ତ ପତଳା ଓ ସମ୍ବେଦନଶୀଳ ହୋଇଥାଏ । ଶରୀରର ଅନ୍ୟ ଅଂଶ ଅପେକ୍ଷା ପାଣିପାଗ ଓ ପରିବେଶରେ ଥିବା ଉପାଦାନଗୁଡିକ ସଂସ୍ପର୍ଶରେ ଶୀଘ୍ର ଆସିଥାଏ । ସାଧାରଣତଃ ଡିହାଇଡ୍ରେସନ, ସଂକ୍ରମଣ, ଟାଣ ଖରାରେ ଅଧିକ ସମୟ ରହିବା କିମ୍ବା କୌଣସି ଔଷଧର ପାର୍ଶ୍ବପ୍ରତିକ୍ରିୟା ଆଦି ବିଭିନ୍ନ କାରଣରୁ ଓଠ ଫାଟେ । ହେଲେ ଶୀତ ଦିନ ହେବା ମାତ୍ରେ ଓଠ ଫାଟିବା ଅତି ସାଧାରଣ ହୋଇଥାଏ ।
ଏହାର କାରଣ ହେଲା ଶୀତ ଦିନେ ଥଣ୍ଡା ପବନ ଚର୍ମକୁ ଶୁଷ୍କ କରିଦିଏ । ଏହାଯୋଗୁଁ ଓଠ ଫାଟିବା ସହ ତ୍ବଚା ମଧ୍ୟ ଶୁଷ୍କ ହୋଇଯାଏ । ଏଥିସହ ଶୀତ ଦିନେ ଲୋକେ କମ୍ ପାଣି ପିଇଥାନ୍ତି । ଫଳରେ ଶରୀରରେ ପର୍ଯ୍ୟାପ୍ତ ପାଣି ଅଭାବରୁ ଫଟା ସମସ୍ୟା ଅଧିକ ବଢିଯାଏ । ସେହିପରି ଶୁଖିଲା ଓଠକୁ ନରମ କରିବା ପାଇଁ ଲୋକେ ବାରମ୍ବାର ଜିଭରେ ଚାଟିଥାନ୍ତି । ଲାଳ ଓଠର ତ୍ବଚାରୁ ଆହୁରି ଅଧିକ ଶୁଷ୍କ କରିଦିଏ । ଆଉ କିଛି ଲୋକ ଅସହଜତା କାରଣରୁ ଓଠ ଉପର ଚର୍ମକୁ ଟାଣି ବାହାର କରିଦିଅନ୍ତି । ଏହା କରିବା ଦ୍ବାରା ଓଠ ଚର୍ମ କ୍ଷତିଗ୍ରସ୍ତ ହେବା ସହ ରକ୍ତସ୍ରାବ ହୁଏ । ଓଠ ଶୁଖିବା ଓ ଫାଟିବା କାରଣରୁ ଏହା କଳା ହେବାକୁ ଲାଗେ ।
ଶୀତ ଦିନେ ଅଧିକ ସମୟ ଯାଏ ସୂର୍ଯ୍ୟକିରଣରେ ରହିବା, ଏହାର ହାନିକାରକ UV (ଅତି ବାଇଗଣୀ ରଶ୍ମି) କିରଣ ଓଠକୁ କଳା ଓ ଶୁଷ୍କ କରିପାରେ । ଏହାବ୍ୟତୀତ ଅଧିକ ଧୂମପାନ କିମ୍ବା କଫିନ ଖାଉଥିବା ଲୋକଙ୍କ ଓଠର ରଙ୍ଗ ମଧ୍ୟ କଳା ହୋଇଥାଏ ।