ଡବଲିନ:ଆୟରଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହେଲେ ସାଇମନ ହ୍ୟାରିସ୍ । ଏଥିସହ 37 ବର୍ଷୀୟ ହ୍ୟାରିସ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହାପୂର୍ବରୁ ଭାରତୀୟ ବଂଶୋଦ୍ଭବ ଲିଓ ବରାଡକର ମାତ୍ର 38 ବର୍ଷରେ ପ୍ରଧାନମନ୍ତ୍ରୀ ହୋଇ ଆୟାରଲ୍ୟାଣ୍ଡର ନୂଆ ଇତିହାସ ସୃଷ୍ଟି କରିଥିଲେ । କିନ୍ତୁ ସେ ପୂର୍ବ ମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ।
ସାଇମନ ହ୍ୟାରିସ୍ ମାତ୍ର 24 ବର୍ଷରେ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଭାବେ ସେ ନିର୍ବାଚିତ ହୋଇଛନ୍ତି । ଦେଶରେ ଶାସକ ଦଳ ଫାଇନ ଗେଲ ପାର୍ଟି ସାଇମନ ହ୍ୟାରିସଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି । ଆୟରଲ୍ୟାଣ୍ଡ ସଂସଦରେ ହାରିସଙ୍କ ସମର୍ଥନରେ 88 ଖଣ୍ଡ ଭୋଟ ପଡିଥିଲା । ତାଙ୍କୁ ଫାଇନ ଗେଲ ଓ ଗ୍ରୀନ ପାର୍ଟି ମେଣ୍ଟ ସରକାରଙ୍କ ସହ ନିର୍ଦ୍ଦଳୀୟ ସାଂସଦମାନଙ୍କ ମଧ୍ୟ ସମର୍ଥନ ମିଳିଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଲିୟୋ ବରାଡକର ସରକାରରେ ଥିବା ବେଳେ ଉଚ୍ଚ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ହ୍ୟାରିସ । ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ସେ ଏକ୍ସରେ ଲେଖିଛନ୍ତି ଯେ ଆଜି ମହାନ ଦେଶର ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଥିବାରୁ ମୁଁ ନିଜକୁ ବହୁତ ଗୌରାବନ୍ବିତ ମନେ କରୁଛି । ମୁଁ ସମସ୍ତଙ୍କ ପ୍ରଧାନମନ୍ତ୍ରୀ ହେବି, ଆମ ଜନତାଙ୍କ ଆଶା, ସ୍ୱପ୍ନ ଓ ଆଙ୍କାକ୍ଷାକୁ ପୂରଣ କରିବା ପାଇଁ ମୁଁ ସବୁବେଳେ ପରିଶ୍ରମ କରିଛି ।
24 ବର୍ଷରେ ସାଂସଦ ହୋଇଥିଲେ ସାଇମନ:ସାଇମନଙ୍କ ରାଜନୈତିକ କ୍ୟାରିଅର ଉପରେ ନଜର ପକାଇବା । ମାତ୍ର 16 ବର୍ଷରେ ହାରିସ ଫାଇନ ଗେଲ ପାର୍ଟିରେ ଯୋଗ ଦେଇଥିଲେ । ମାତ୍ର 22 ବର୍ଷରେ ସେ କାଉଣ୍ଟି କାଉନସିଲ ହୋଇଥିଲେ । ଏହାପରେ 2011 ମସିହାରେ ମାତ୍ର 24 ବର୍ଷରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହି ସମୟରେ ସେ ଦଳର ସବୁଠୁ ଯୁବ ସାଂସଦ ଭାବେ ବେଶ ଲୋକପ୍ରିୟ ଥିଲେ । ସେ 2016ରେ କ୍ୟାବିନେଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେତେବେଳେ ସେ ମାତ୍ର 29 ବର୍ଷର ହୋଇଥିଲେ । ଏହାପରେ 2020ରେ ଶିକ୍ଷା ମନ୍ତ୍ରୀ ହୋଇଥିଲେ ।