ହାଇଦ୍ରାବାଦ: ଆମେରିକାର ବାଲଟିମୋର ସହରରେ ଏକ ପୋଲରେ ଏକ କଣ୍ଟେନର ଜାହାଜ ଧକ୍କା ହେବା ଫଳରେ ପୋଲଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ପୋଲରେ ଥିବା କିଛି ଯାନବାହନ ଓ ଲୋକେ ନଦୀରେ ଖସିପଡିଥିଲେ । ଏକାଧିକ ଏବେ ମଧ୍ୟ ନିଖୋଜ ଅଛନ୍ତି । ପୋଲରେ ଧକ୍କା ଖାଇଥିବା ଜାହାଜଟି ସିଙ୍ଗାପୁରର ଥିବା ବେଳେ ଏଥିରେ 22ଜଣ କ୍ର୍ୟୁ ସଦସ୍ୟ ଥିଲେ । ଏହି ସମସ୍ତ ସଦସ୍ୟ ଭାରତୀୟ ବୋଲି ଜଣାପଡିଛି । ଜାହାଜର କ୍ୟାପଟେନ ଜରୁରୀ ବାର୍ତ୍ତା ପଠାଇବା ପରେ ଉଦ୍ଧାରକାରୀ ଟିମ୍ ସମସ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ପୋଲଟି ସମ୍ପୂର୍ଣ୍ଣ ଭୁଶିଡି ପଡିବା ସହ କିଛି ସେକେଣ୍ଡରେ ନଦୀ ମଧ୍ୟରେ ଲୀନ ହୋଇଯିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।
ସୂଚନା ଅନୁସାରେ, ବାଲଟିମୋର ସହରର ଫ୍ରାନ୍ସିସ ସ୍କଟ ବ୍ରିଜର ଏକ ପିଲରକୁ ଆଜି ଭୋର ସମୟରେ ଏକ କଣ୍ଟେନର ଜାହାଜ ଧକ୍କା ଦେଇଥିଲା । ଏହାପରେ ପୋଲଟି ସମ୍ପୂର୍ଣ୍ଣ ଭାବେ ପାଲପସ୍କୋ ନଦୀରେ ଲୀନ ହୋଇଯାଇଥିଲା । ପୋଲ ଉପରେ ଥିବା କିଛି ଗାଡି ମଧ୍ୟ ନଦୀରେ ଖସିପଡିଥିଲା । ଦିନ ତମାମ ଉଦ୍ଧାର ଅପରେସନ ଚାଲିଥିଲେ ସୁଦ୍ଧା ଏବେବି ଅନେକ ନିଖୋଜଙ୍କ ପତ୍ତା ମିଳିନି । କିଛି ଉଦ୍ଧାର ମଧ୍ୟ ହୋଇଛନ୍ତି । ଏବେ ମଧ୍ୟ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।