Eating rice at night is good or bad: ଭାତ ଭାରତର ପ୍ରମୁଖ ଖାଦ୍ୟ । ଅଧିକାଂଶ ଲୋକେ ଦିନକୁ ଏକାଧିକ ଥର ଭାତ ଖାଇଥାନ୍ତି । ଦିନରେ ଗୋଟିଏ ବେଳା ଭାତ ନ ଖାଇଲେ ମନ ଶାନ୍ତି ହୁଏନି ବୋଲି ଅନେକ ଲୋକ କୁହନ୍ତି । ଭାତରୁ ବିଭିନ୍ନ ପ୍ରକାର ଭିଟାମିନ, କ୍ୟାଲୋରୀ, ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ, ଆଇରନ, କ୍ୟାଲେସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ, ଜିଙ୍କ ଭଳି ଖଣିଜ ସାର ମିଳେ, ଯାହାକି ଆମ ସ୍ବାସ୍ଥ୍ୟ ପାଇଁ ଜରୁରୀ । ତଥାପି ରାତିରେ ଅଧିକ ଭାତ ଖାଇବା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । କାରଣ ଭାତରେ ଷ୍ଚାର୍ଚ ଓ କାର୍ବସ ଅଧିକ ଥାଏ, ଯାହା ସହଜରେ ଭାଙ୍ଗିଯାଏ । ଏହା ସହଜରେ ହଜମ ହୋଇଯାଉଥିଲେ ହେଁ ଶରୀରରେ ଗ୍ଲୁକୋଜ ସ୍ତର ଶୀଘ୍ର ବଢାଇଥାଏ । ତେଣୁ ଡାଇବେଟିସ୍ ରୋଗୀ ରାତିରେ ଭାତ ନ ଖାଇବାକୁ ପରାମର୍ଶ ଦିଆଯାଏ । ଏକ କ୍ଲିନିକାଲ ଅଧ୍ୟୟନରୁ ଜଣାପଡିଛି, ଅଧିକ ଭାତ ଖାଇବା ଦ୍ବାରା ଟାଇପ୍-2 ଡାଇବେଟିସ୍ ହେବାର ଆଶଙ୍କା ବୃଦ୍ଧି ପାଏ । ତେବେ ଧଳା ଭାତ ବଦଳରେ ଆପଣ ବ୍ରାଉନ ରାଇସ୍ ଖାଇପାରିବେ ।
ଡାଇବେଟିସ୍ ରୋଗୀ: ଭାତରେ ଅଧିକ ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି, ଯାହା ରକ୍ତରେ ସୁଗାର ଲେବଲ ଶୀଘ୍ର ବଢାଇପାରେ । ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ହାନିକାରକ । ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟପଦାର୍ଥ ଦ୍ବାରା ଟାଇପ୍-2 ଡାଇବେଟିସ୍ ଆଶଙ୍କା ମଧ୍ୟ ବଢିଥାଏ । ତେଣୁ ଡାଇବେଟିସ୍ ରୋଗୀ ରାତିରେ ଭାତ ଖାଇବା ଠିକ୍ ନୁହେଁ । ତେବେ ହ୍ବାଇଟ୍ ରାଇସ୍ ବଦଳରେ ବ୍ରାଉନ ରାଇସ୍ ଖାଇପାରିବେ ।
ମେଦବହୁଳତା: ଭାତରେ ଅଧିକ କ୍ୟାଲେରୀ ଓ କାର୍ବୋହାଇଡ୍ରେଟ ମିଳେ । ଏହା ଓଜନ ବୃଦ୍ଧିର କାରଣ ହୋଇପାରେ । ତେଣୁ ଯଦି ନିଜର ଓଜନ କମାଇବାକୁ ଚାହୁଁଛନ୍ତି, ତାହେଲେ ରାତିରେ ଭାତ ଖାଇବା ଅନୁଚିତ୍ ।
ନିଦ୍ରା ସମସ୍ୟା: ଭାତ ଖାଇବା ଦ୍ବାରା ଶରୀରରେ ଟ୍ରିପ୍ଟୋଫନ ମାତ୍ରା ବୃଦ୍ଧି ପାଏ, ଯାହାକି ନିଦରେ ସହାୟକ ହୁଏ । କିନ୍ତୁ କିଛି ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ । ସେମାନଙ୍କ ସ୍ଲିପ୍ କ୍ବାଲିଟି ପ୍ରଭାବିତ ହୋଇପାରେ । ଏଥିସହ ଭାତ ଖାଇବା ଫଳରେ ତୁରନ୍ତ ଶରୀରରେ ଏନର୍ଜି ସୃଷ୍ଟି ହେଉଥିବାରୁ ନିଦ ପ୍ରଭାବିତ ହେବାର ସମ୍ଭାବନା ଥାଏ । ଯଦି ଆପଣଙ୍କୁ ନିଦ୍ରା ସମସ୍ୟା ରହିଛି, ତାହେଲେ ରାତିରେ ଭାତ ଖାଇବାରୁ ଦୂରେଇ ରୁହନ୍ତୁ ।
ଆର୍ଥ୍ରାଇଟିସ୍ ରୋଗୀ: ଚାଉଳରେ ଏମିତି ଉପାଦନ ରହିଛି ଯାହା ଶରୀରରେ ପ୍ରଦାହ (inflammation) ବଢାଇପାରେ, ଆଉ ଏହା ଆର୍ଥ୍ରାଇଟିସ୍ ଯନ୍ତ୍ରଣା ବଢାଇଥାଏ । ତେଣୁ ଆର୍ଥ୍ରାଇଟିସ୍ ରୋଗୀ ରାତିରେ ଭାତ ନ ଖାଇବା ଭଲ ।
ଧଳା ଭାତ ବଦଳରେ ବ୍ରାଉନ ରାଇସ୍ ଖାଇବା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ । ଏଥିରେ ହାଇ ଫାଇବର ମିଳେ, ଯାହାକି ହ୍ବାଇଟ୍ ରାଇସଠାରୁ ଅଧିକ ସ୍ବାସ୍ଥ୍ୟଗତ ଫାଇଦା ଦିଏ । ଏଥିସହ ରାତ୍ରିଭୋଜନ ଓ ଶୋଇବା ମଧ୍ୟରେ 3ରୁ 4 ଘଣ୍ଟା ବ୍ୟବଧାନ ରଖିବା ଉଚିତ୍ । ଫଳରେ ଆପଣଙ୍କ ଶରୀର ଭଲ ଭାବେ ଖାଦ୍ୟ ହଜମ କରିପାରିବ ।