ମୁମ୍ବାଇ:ବଲିଉଡଅଭିନେତା ସୈଫ ଅଲି ଖାନଙ୍କୁ ଆକ୍ରମଣ ଘଟଣାରେ ପୋଲିସକୁ ବଡ ସଫଳତା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୋଲିସ । ଆଜି (ରବିବାର) ହିରାନାନ୍ଦାନୀ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ବାଂଲାଦେଶୀ ହୋଇଥିବା ସନ୍ଦେହ କରାଯାଉଛି ।
ସୈଫ ଛୁରାମାଡ ଘଟଣାର ଅଭିଯୁକ୍ତ ଗିରଫ:
ମୁମ୍ବାଇ ଜୋନ ୯ ଡିସିପି ଦିକ୍ଷିତ ଜେଡମଙ୍କ ସୂଚନା ଅନୁଯାୟୀ, ‘ଜାନୁଆରୀ ୧୬ ତାରିଖ ରାତି ୨ଟାରେ ଅଭିନେତା ସୈଫ ଅଲି ଖାନଙ୍କୁ ତାଙ୍କ ବାସଭବନରେ ଆକ୍ରମଣ କରାଯାଇଥିଲା ।ଏନେଇ ମାମଲା ରୁଜ୍ଜୁ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ମହମ୍ମଦ ସରିଫୁଲ ଇସଲାମ ଶେହଜାଦ (୩୦) । ସେ ବାଂଲାଦେଶର ହୋଇଥିବା ନେଇ ସନ୍ଦେହ କରାଯାଉଛି । ଚୋରି କରିବା ଉଦ୍ଦେଶ୍ୟରେ ସେ ଘର ଭିତରକୁ ପଶିଥିଲା । ତେବେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ପୋଲିସ ହେପାଜତରେ ନେବାକୁ କୋର୍ଟରେ ଆବେଦନ କରିବ ।
ନାଁ ପରିବର୍ତ୍ତନ କରୁ ରହୁଥିଲା:
ପୋଲିସ ସୂଚନା ଅନୁଯାୟୀ, "ଅଭିଯୁକ୍ତ ଜଣକ ବାଂଲାଦେଶର ହୋଇଥିବା ନେଇ ସନ୍ଦେହ କରାଯାଉଛି । କାରଣ ତା ପାଖରେ ଭାରତୀୟ ହୋଇଥିବା ନେଇ କୌଣସି ପ୍ରମାଣ ପତ୍ର ନାହିଁ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ଜଣକ ବେଆଇନ ଭାବେ ଭାରତରେ ପ୍ରବେଶ କରିବା ପରେ ନାଁ ପରିବର୍ତ୍ତନ କରି ବିଜୟ ଦାସ ରଖିଥିଲା । ୫ରୁ ୬ ମାସ ତଳେ ସେ ମୁମ୍ବାଇ ଆସିଥିଲା । ଅଭିଯୁକ୍ତ ଜଣକ ହାଉସକିପିଙ୍ଗ ଏଜେନ୍ସିରେ କାମ କରୁଥିଲା ।
ମୋବାଇଲ ଲୋକେସନରୁ ଧରିଲା ପୋଲିସ:
ପୋଲିସ ମୋବାଇଲ ଲୋକେସନରୁ ଅଭିଯୁକ୍ତକୁ ଟ୍ରାକ କରି ଧରିବାରେ ସଫଳ ହୋଇଥିଲା । ମୁମ୍ବାଇର ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, ଅଭିଯୁକ୍ତ ମହମ୍ମଦ ସଜ୍ଜାଦ ଓରଫ ବିଜୟ ଦାସର ମୋବାଇଲ ଲୋକେସନ ବଡବଲି ପୋଲିସ ଷ୍ଟେସନ ଅଞ୍ଚଳରେ ମିଳିଥିଲା ।ପୋଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରି ତାକୁ ଗିରଫ କରିଛି ।